ଭୁବନେଶ୍ୱର: ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଆଜି ବିଏମ୍‌ସିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଣ ଦୋକାନ ପାଇଁ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ୨୧ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ସେଠାରେ ବ୍ୟବସାୟୀମାନେ ଦୋକାନରେ ଦୁଇଟି ଡଷ୍ଟବିନ୍‌ ଓ ଆବଶ୍ୟକ ପାଣି ଓ ବାଲି ମଧ୍ୟ ମହଜୁଦ୍ ରଖିବେ। ତଦାରଖ କରିବା ପାଇଁ ବିଏମ୍‌ସି, କମିସନରେଟ ପୁଲିସ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସ୍କ୍ୱାର୍ଡ ଗଠନ କରାଯାଇଛି। ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ମିଷ୍ଟାନ୍ନ ଭଣ୍ଡାର ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ରକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି।

Advertisment

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କମିସନରେଟ ପୁଲିସ, ଅଗ୍ନିଶମ ବିଭାଗ, ବିଏମ୍‌ସି, ସ୍ୱାସ୍ଥ୍ୟ ବିଭାଗ, ୱାଟ୍‌କୋ, ବିଦ୍ୟୁତ୍‌ ବିଭାଗ ସମନ୍ୱୟ ରକ୍ଷାକରି ନାଗରିକମାନଙ୍କ ସୁରକ୍ଷା ପାଇଁ କାମ କରିବାକୁ ବୈଠକରେ ସ୍ଥିର ହୋଇଛି। ସାଧାରଣ ଲୋକେ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହ ବିଏମ୍‌ସିକୁ ଟ୍ୟାଗ୍‌ କରିବାକୁ କୁହାଯାଇଛି। ମେୟର ସୁଳୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଷ୍ଟାଣ୍ଡିଂ କମିଟ ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, କର୍ପୋରେଟର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ରାଜକିଶୋର ଦାସ, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିସନର ମନୋରଂଜନ ସାହୁ, ପ୍ରିୟବ୍ରତ ପାଢ଼ୀ, ରାଜକିଶୋର ଜେନା, ସିଏଚ୍‌ଓ ଡାକ୍ତର ଦୀପକ କୁମାର ବିଶୋଇ, ବିଏମ୍‌ସି ହସ୍ପିଟାଲର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀପ୍ରମୁଖ ଉପସ୍ଥିତ ଥିଲେ।