ପୂର୍ତ୍ତ ବିଭାଗ ରାସ୍ତାରେ ବିଏମ୍‌ସିର ଦାଦାଗିରି ! ବେଆଇନ ଖୁଣ୍ଟି ପୋତିବାକୁ ରହସ୍ୟଜନକ ସ୍ବୀକୃତି

କମିସନର୍‌ଙ୍କ ନିର୍ଦ୍ଦେଶକୁ ଡେପୁଟି କମିସନର୍‌ଙ୍କ ବେଖାତିର
ବେଆଇନ ଘୋଷଣା ସତ୍ତ୍ବେ ଚାଲିଛି ଖୁଣ୍ଟି ପୋତା

ଭୁବନେଶ୍ବର : ରାଜଧାନୀ ରାସ୍ତାକଡ଼ରୁ ହଟିବ ଖୁଣ୍ଟି। ମୁଣ୍ଡ ଉପରେ ରହିବନି ତାର। ଭୂତଳ କେବୁଲ ଜରିଆରେ ବିଦ୍ୟୁତ୍‌ଠାରୁ ଆରମ୍ଭ କରି ଯାବତୀୟ ସେବା ଉପଲବ୍ଧ ହେବ। ଭୂତଳ କେବୁଲ ବିଛାଇଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)। ଅନ୍ୟ କୌଣସି ସଂସ୍ଥା ନିଜେ ଭୂତଳ କେବୁଲ ବିଛାଇପାରିବ ନାହିଁ କିମ୍ବା ମୁଣ୍ଡ ଉପରେ ତାର ନେଇପାରିବ ନାହିଁ। ବିଏସ୍‌ସିଏଲ୍‌ ବିଛାଇଥିବା ଭୂତଳ କେବୁଲ ଜରିଆରେ ହିଁ ଅନ୍ୟ ସମସ୍ତ ସଂସ୍ଥା ସେବା ପ୍ରଦାନ କରିବେ। ଏଥିପାଇଁ ଅନ୍ୟ କୌଣସି ସଂସ୍ଥାକୁ କେବୁଲ ବିଛାଇବା‌ କିମ୍ବା ଖୁଣ୍ଟ ପୋତିବା ପାଇଁ ସ୍ବୀକୃତି ନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏସ୍‌ସିଏଲ୍‌ ସିଇଓ। ହେଲେ ଏୟାରଟେଲ୍‌ ଟେଲିସୋନିକ୍‌ ନେଟ୍‌ୱର୍କକୁ ରାସ୍ତା ପାର୍ଶ୍ବରେ ଖୁଣ୍ଟି ପୋତି ତାର ଟାଣିବାକୁ ବିଏମ୍‌ସି ଅନୁମତି ଦେଇଛି। ତାହା ପୁଣି ପୂର୍ତ୍ତ ବିଭାଗର ରାସ୍ତାରେ। ଅନୁମତି ଦେଲା ବେଳେ ପୂର୍ତ୍ତ ବିଭାଗ ସହ ଆଲୋଚନା କରିବାକୁ ଉଚିତ ମଣିନି ବିଏମ୍‌ସି। ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ପହଞ୍ଚିବା ପରେ ଏହି ସବୁ ଖୁଣ୍ଟକୁ ବେଆଇନ ଘୋଷଣା କରିବା ସହ ଏହାକୁ ତୁରନ୍ତ ଉଠାଇବାକୁ କର୍ତ୍ତୃପକ୍ଷ ଏୟାରଟେଲ୍‌ ଟେଲିସୋନିକ୍‌ ନେଟ୍‌ୱର୍କକୁ ନିର୍ଦ୍ଦେଶ ଦେଇଛନ୍ତି।

କୌତୂହଳପ୍ରଦ ହେଉଛି, କୌଣସି ସଂସ୍ଥାକୁ ଏଭଳି କାମ ପାଇଁ ସ୍ବୀକୃତି ନ ଦେବାକୁ ବିଏସ୍‌ସିଏଲ୍‌ ସିଇଓ ତଥା ବିଏମ୍‌ସି କମିସନର ବିଏମ୍‌ସିକୁ ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ଚିଠି ଲେଖି ତାଗିଦ୍‌ କରିଛନ୍ତି। ସେହି ମାସରେ ହିଁ ଗୃହ ଓ ନଗର ଉନ୍ନୟନ ବିଭାଗ ମଧ୍ୟ ଆଇଟି ବିଭାଗ ପୂର୍ତ୍ତ ଓ ଅନ୍ୟ ବିଭାଗମାନଙ୍କୁ ଚିଠି ଲେଖି ମୁଣ୍ଡ ଉପରେ ତାର ନ ଯିବା କଥା ଜଣାଇଛନ୍ତି। ଏକଥା ବି ସ୍ପଷ୍ଟ କରିଛନ୍ତି ଯେ ବିଏସ୍‌ସିଏଲ୍‌ ୬୮୦ କିଲୋମିଟର କେବୁଲ ବିଛାଇଛି। ଏଣୁ ବିଏସ୍‌ସିଏଲ୍‌ଠାରୁ ସମସ୍ତ ସଂସ୍ଥା ଲିଜ୍‌ ସୂତ୍ରରେ ଭୂତଳ କେବୁଲ୍‌ ବ୍ୟବହାର କରିବେ। କିନ୍ତୁ ଏ ସବୁ ସତ୍ତ୍ବେ ବିଏମ୍‌ସି ଡେପୁଟି କମିସନର (ରାଜସ୍ବ) ଗତ ଡିସେମ୍ବର ୨ ତାରିଖରେ (ସିଇଓଙ୍କ ଚିଠିର ୩ ମାସ ପରେ)ଲାଇସେନ୍ସ ଫି’ ବାବଦକୁ ସଂସ୍ଥାଠାରୁ ୨୨ ଲକ୍ଷ ୩୦ ହଜାର ୫୦୦ ଟଙ୍କା ଜମା ରଖି ସହର ସାରା ୮୯୨୨ ଖୁଣ୍ଟି ପକାଇବାକୁ ସମ୍ପୃକ୍ତ ଘରୋଇ ସଂସ୍ଥାକୁ ଅନୁମତି ଦେଇଛନ୍ତି। ଆକଳନ ମୁତାବକ, ଯଦି ଏହି ତାର ଭୂତଳ‌ରେ ଯାଇଥା’ନ୍ତା, ପ୍ରାୟ ୬ଶହ କିଲୋମିଟର ହୋଇଥା’ନ୍ତା। ଏଥିପାଇଁ ବିଏସ୍‌ସିଏଲ୍‌ ପାଖରେ ସଂପୃକ୍ତ ସଂସ୍ଥାକୁ ଲିଜ୍‌ ବାବଦରେ ବର୍ଷକୁ ପ୍ରାୟ ୪କୋଟି ଟଙ୍କା ଜମା କରିବାକୁ ପଡ଼ିଥା’ନ୍ତା। କିନ୍ତୁ ସଂସ୍ଥାକୁ ବିଏମ୍‌ସି ବେଆଇନ ଭାବେ ୨୨ଲକ୍ଷ ୩୦ ହଜାର ୫ଶହ ଟଙ୍କାରେ ଏହି ସୁବିଧା ଦେଇଛି। ପ୍ରଶ୍ନ ଉଠୁଛି, କେଉଁ ପରିସ୍ଥିତିରେ ବିଏସ୍‌ସିଏଲ୍‌ ସିଇଓ ତଥା ବିଏମ୍‌ସି କମିସନରଙ୍କ ଆଦେଶକୁ ଫୁ’ କରି ଏକ ଘରୋଇ ସଂସ୍ଥାକୁ ଡେପୁଟି କମିସନର(ରାଜସ୍ବ) ୩ ‌କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଫାଇଦା ଦେଇଛନ୍ତି? ଏଥିରେ କାହାର କି ସ୍ବାର୍ଥ ହାସଲ ହୋଇଛି? କମିସନର୍‌ଙ୍କ ନିର୍ଦ୍ଦେଶକୁ ତଳପାହ୍ୟାର ଅଧିକାରୀମାନେ ଖୋଲା ଉଲ୍ଲଂଘନ କରୁଥିଲା ବେଳେ କମିସନର୍‌ ଏ ସମ୍ପର୍କରେ ଅବଗତ ଅଛନ୍ତି ତ? ଏହା ଏକ ସଙ୍ଗିନ୍‌ ପ୍ରସଙ୍ଗ ହୋଇଥିବାରୁ ନିଜେ କମିସନର୍ ତଦନ୍ତ କରି ସମ୍ପୃକ୍ତ ଅଧିକାରୀ କିମ୍ବା ଏଥିରେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି? ପୂର୍ବରୁ ରାଜସ୍ବ ଉପବିଭାଗର ଡେପୁଟି କମିସନର ଭାବରେ ଶ୍ରୀମନ୍ତ ମିଶ୍ର ରହିଥିଲେ। ତାଙ୍କର କଟକ ରାଜସ୍ବ ପାର୍ଷଦକୁ ବଦଳି ହୋଇଯାଇଥିବାରୁ ଏବେ ଦାୟିତ୍ବରେ ଥିବା ଅଧିକାରୀ ଏ ବାବଦରେ କିଛି କହିବାକୁ ଚାହିନାହାନ୍ତି।

ସୂଚନାଯୋଗ୍ୟ, ଏୟାରଟେଲ୍‌ ଟେଲିସୋନିକ୍‌ ନେଟ୍‌ୱର୍କ ବିଏମ୍‌ସିଠାରୁ ସ୍ବୀକୃତି ପାଇ ନୀଳାଦ୍ରିବିହାରରେ ଖୁଣ୍ଟି ପୋତିବା ଆରମ୍ଭ କରିବା ପରେ କଥା ପଦାକୁ ଆସିଛି। ଏନେଇ ବରିଷ୍ଠ ନାଗରିକ ବିକାଶ ପରିଷଦ ସାଧାରଣ ସମ୍ପାଦକ ଅବସରପ୍ରାପ୍ତ ପ୍ରଶାସକ ପ୍ରମୋଦ କୁମାର ପଟ୍ଟନାୟକ ପୂର୍ତ୍ତ ବିଭାଗକୁ ଚିଠି ଲେଖିଥିଲେ। ସେ ଚିଠିରେ ଦ‌ର୍ଶାଇଥିଲେ ଯେ ନୀଳାଦ୍ରିବିହାର ଓ ଶୈଳଶ୍ରୀବିହାର ଏହି ରାସ୍ତାକୁ ୨୦୧୩ରେ ବିଏମ୍‌ସି ପକ୍ଷରୁ ପିଡବ୍ଲୁଡିକୁ ହସ୍ତାନ୍ତର କରାଯାଇଥିଲା। ପୂର୍ତ୍ତ ବିଭାଗ ଅଧୀନରେ ଆସୁଥିଲେ ମଧ୍ୟ ବିଏମ୍‌ସି ଏୟାରଟେଲ୍‌ ଟେଲିସୋନିକ୍‌ ନେଟ୍‌ୱାର୍କକୁ ଖୁଣ୍ଟି ପକାଇବାକୁ କିଭଳି ଅନୁମତି ଦେଲା? ବିଏମ୍‌ସି ସ୍ବୀକୃତିରେ ନୂଆ ଖୁଣ୍ଟି ରାସ୍ତାର କୌଣସି ମେଡିଆନ୍‌ କିମ୍ବା ଆରଓଡବ୍ଲୁ(ରାଇଟ୍‌ ଅଫ୍‌ ୱେ)ରେ ପୋତା ଯାଇପାରିବ ନାହିଁ। କିନ୍ତୁ ସଂସ୍ଥା‌ ସର୍ତ୍ତକୁ ଉଲ୍ଲଂଘନ କରି ଗୋଟିଏ ପରେ ଗୋଟିଏ ରାସ୍ତାରେ ଖୁଣ୍ଟି ପୋତି ଚାଲିଛି। ନୀଳାଦ୍ରିବିହାର ସେକ୍ଟର-୫ର ଲେନ୍‌ ୧ରୁ ୭ ମଧ୍ୟରେ ଖୁଣ୍ଟି ପକା ସରିଛି। ଏହାଦ୍ବାରା ରାସ୍ତା ସଂକୁଚିତ ହେବା ସହ ଟ୍ରାଫିକ୍‌ ସମସ୍ୟା ଉପୁଜିଛି। ବିଦ୍ୟୁତ୍‌ ଖୁଣ୍ଟି ଯେଉଁଠାରେ ରହିଛି, ତା’ଠାରୁ କିଛି ବାଟରେ ସମ୍ପୃକ୍ତ ସଂସ୍ଥା ଖୁଣ୍ଟି ପକାଉଛି, ଯାହାକି ବେଆଇନ। ଚିଠି ପାଇବା ପରେ ପୂର୍ତ୍ତ ବିଭାଗ ଭୁବନେଶ୍ବର(ଆର୍‌ ଆଣ୍ଡ୍‌ ବି) ଡିଭିଜନ୍‌-୩ ଅଧିକ୍ଷଣ ଯନ୍ତ୍ରୀ ଏୟାରଟେଲ୍‌ ‌ଟେଲିସୋନିକ୍‌ ନେଟ୍‌ୱାର୍କ ଲିମିଟେଡ୍‌କୁ ନୋଟିସ୍‌ କରିଛନ୍ତି।

ଡିଭିଜନ୍‌-୩ର ସୁପରିଟେଣ୍ଡିଂ ଇଞ୍ଜିନିୟର ଦର୍ଶାଇଛନ୍ତି ଯେ ପିଡବ୍ଲୁଡି ଅଧୀନରେ ଥିବା ଆରଓଡବ୍ଲୁରେ ବେଆଇନ ଭାବେ ଖୁଣ୍ଟି ପୋତା ଯାଉଛି। ବିଏମ୍‌ସି ଡେପୁଟି କମିସନର(ରାଜସ୍ବ) ୨୦୨୧ ଡିସେମ୍ବର ୨ରେ ଯେଉଁ ଅନୁମତି ଦେଇଥିଲେ, ‌ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଥିଲା କି ରାସ୍ତାର ମେଡିଆନ୍‌ ଓ ଆଇଓଡବ୍ଲୁରେ ଖୁଣ୍ଟି ପକାଯାଇ ପାରିବ ନାହିଁ। ମାତ୍ର ତାହାକୁ ଉଲ୍ଲଂଘନ କରାଯାଇଥିବା ନଜରକୁ ଆସିଛି। ତେଣୁ ଯେତେଶୀଘ୍ର ସମ୍ଭବ ବେଆଇନ ଖୁଣ୍ଟକୁ ଉଠାଅ। ଆଗକୁ ପୂର୍ତ୍ତ ବିଭାଗ ଅଧୀନରେ ରାସ୍ତାକଡ଼ରେ ଖୁଣ୍ଟି ପୋତିବାକୁ ହେଲେ ପୂର୍ତ୍ତ ବିଭାଗଠାରୁ ହିଁ ଅନୁମତି ନିଅ।

ଗୋଟିଏ ପଟେ ବରିଷ୍ଠ ଅଧିକାରୀ ଓ ବିଭାଗୀୟ ନିର୍ଦ୍ଦେଶକୁ ବେଖାତିର କରି ବିଏମ୍‌ସି ଖୁଣ୍ଟ ପୋତିବାକୁ ସ୍ବୀକୃତି ଦେଇଛି। ଏପଟେ ପୂର୍ତ୍ତ ବିଭାଗ ଏହାକୁ ବେଆଇନ ଦର୍ଶାଇ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ସେପଟେ ଏୟାରଟେଲ୍‌ ଟେଲିସୋନିକ୍‌ ନେଟ୍‌ୱାର୍କ ଖୁଣ୍ଟ ପୋତିବା କାମ ଜାରି ରଖିଛି। ଏ ସଂପର୍କରେ ସଂପୃକ୍ତ ସଂସ୍ଥା ସହ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ୍‌ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର