ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ପୂର୍ବରୁ କରୋନା ‌ନେଗେଟିଭ୍‌ ରିପୋର୍ଟ ଦରକାର। ଯାହାଙ୍କ ପାଖରେ ନେଗେଟିଭ୍‌ ରିପୋର୍ଟ ନ ଥିବ, ସେ‌ ପ୍ରବେଶ କରିପାରିବେ ନାହିଁ। ଜାନୁଆରି ୩ରୁ ୧୫ତାରିଖ ପର୍ଯ୍ୟନ୍ତ ବିଏମ୍‌ସି ପକ୍ଷରୁ ମନ୍ଦିର ନିକଟରେ ଥର୍ମାଲ ସ୍କ୍ରିନିଂ ସେଣ୍ଟର ଓ ଆଣ୍ଟିଜେନ୍‌ ‌ଟେଷ୍ଟ ସେଣ୍ଟର୍‌ ଖୋଲାଯିବ। ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୁଇଟି ବ୍ୟାଚ୍‌ରେ ଏହାକୁ କାର୍ଯ୍ୟକ୍ଷମ କରାଯିବ। ଲୋକଙ୍କ ସମ୍ପର୍କରେ ଆସୁଥିବା ବ୍ୟକ୍ତିବିଶେଷ ଯଥା ସେବାୟତ, ପୁଲିସ ଅଧିକାରୀ, ଫୁଲ ବିକାଳୀ, ସମର୍ଥା ସେବକଙ୍କ ଲାଗି ଆଣ୍ଟିଜେନ୍‌ ଟେଷ୍ଟ ବାଧ୍ୟତାମୂଳକ। ସେବାୟତ, ଭକ୍ତଙ୍କ ସମେତ ମନ୍ଦିର ସେବା ସହ ଜଡ଼ିତ ରହିଥିବା ସମସ୍ତଙ୍କ ଲାଗି ସବୁ ସମୟରେ ମାସ୍କ ପରିଧାନ ଓ ୬ ଫୁଟ୍‌ର ସାମାଜିକ ଦୂରତା ରକ୍ଷା କରିବା ନିତାନ୍ତ ଅପରିହାର୍ଯ୍ୟ। ମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ହ୍ୟାଣ୍ଡୱାସ୍‌ ଓ ହ୍ୟାଣ୍ଡ ସାନିଟାଇଜେସନ୍‌ ସୁବିଧା କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

Advertisment

ଶ୍ରୀଲିଙ୍ଗରାଜ ମନ୍ଦିର ଭିତର ଓ ବାହାରେ ଛେପ ପକାଇବା ଉପରେ କଟକଣା ଲାଗିଛି। ପାନ, ଗୁଟ୍‌ଖା ଖାଇବାକୁ ବାରଣ କରାଯାଇଛି। ଯଦି କୌଣସି ଭକ୍ତ, ସେବାୟତ କିମ୍ବା ପୁଲିସ ଅଧିକାରୀ ଏହି ନିୟମର ଉଲ୍ଲଂଘନ କରୁଥିବା ନଜର ଆସେ, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଶ୍ବାସଜନିତ ରୋଗ(ସାରି) ଓ ଥଣ୍ଡା, କାଶ, ଜ୍ବର(ଇଲି) ପରି ଲକ୍ଷଣ ଥିବା ବ୍ୟକ୍ତିଙ୍କ ମନ୍ଦିର ପ୍ରବେଶ କରିପାରିବେ ନାହିଁ। ଏଥିସହ ବୟସ୍କ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ସାଙ୍ଗରେ ଆଣି ମନ୍ଦିରକୁ ନ ଆସିବାକୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଆଜି ନି‌ର୍ଦେଶାବଳୀ ଜାରି ହୋଇଛି। ଏଥିସହ ବାହାର ଦେଶରୁ ଆସିଥିବା ଭକ୍ତମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରୋଟୋକଲ ପାଳନ କରିବା ପରେ ହିଁ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ବୋଲି କୁହାଯାଇଛି।

୨୫ରେ ଚର୍ଚ୍ଚ ଖୋଲିବାକୁ ମିଳିବ ସର୍ତ୍ତମୂଳକ ଅନୁମତି, ସାରି ଓ ଇଲି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମନ୍ଦିର ବାରଣ

ବିଏମ୍‌ସି ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ ଡିସେମ୍ବର ୨୫ରେ ଖ୍ରୀଷ୍ଟ ମାସ ପାଳନ ଲାଗି ଚର୍ଚ୍ଚ ଖୋଲିବ। ଏଥିଲାଗି ବିଏମ୍‌ସି ପକ୍ଷରୁ ଅନୁମତି ଦିଆଯିବ। ତେବେ ଚର୍ଚ୍ଚ କର୍ତୃପକ୍ଷ ଏକ ଅଣ୍ଡରଟେକିଂ ଦେବାକୁ ବାଧ୍ୟ। ଗୋଟିଏ ସମୟରେ ସାମାଜିକ ଦୂରତା ରଖି ସର୍ବାଧିକ କେତେ ସଂଖ୍ୟକ ଭକ୍ତ ଚର୍ଚ୍ଚ ପରିସରରେ ରହିପାରି‌ବେ, ସେନେଇ ଜଣାଇବେ। ତାହାକୁ ଆଧାର କରି କେବଳ ୨୫ତାରିଖ ପାଇଁ ବିଏମ୍‌ସି ଅନୁମତି ଦେବ। କୋଭିଡ୍‌-୧୯ ପ୍ରୋଟୋକଲ ତଥା ସୁରକ୍ଷାକୁ କଡ଼ାକଡ଼ି ପାଳନ କରାଯାଇ ରାଜଧାନୀର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଜାନୁଆରି ୩ରୁ ଖୋଲିବ। ମନ୍ଦିର କମିଟି ଏନେଇ ବିଏମ୍‌ସି ନିକଟରେ ପ୍ରତିଶ୍ରୁତିପତ୍ର ଦାଖଲ କରିବେ। ସମସ୍ତ ସମୟରେ ସେବାୟତ ଓ ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ୬ ଫୁଟ୍‌ର ସାମାଜିକ ଦୂରତା ପାଳନ ହେବ। ସବୁ ଧର୍ମାନୁଷ୍ଠାନରେ ହ୍ୟାଣ୍ଡୱାସିଂ, ହ୍ୟାଣ୍ଡ ସାନିଟାଇଜେସନ୍‌ ସୁବିଧା ରହିବ। ‌କେବେ ଧର୍ମାନୁଷ୍ଠାନ ଖୋଲିବେ, କେତେ ଲୋକଙ୍କୁ ଅନୁମତି ଦେବେ, ଗୋଟିଏ ସମୟରେ ସାମାଜିକ ଦୂରତା ରକ୍ଷା କରି କେତେ ଲୋକ ପ୍ରବେଶ କରିପାରି‌ବେ, ସେନେଇ ସ୍ଥାନୀୟ କମିଟି ବିଏମ୍‌ସିକୁ ଅଣ୍ଡରଟେକିଂ ଦେବ। ଏଥିପାଇଁ ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଅଣ୍ଡରଟେକିଂକୁ ଆଧାର କରି ବିଏମ୍‌ସି ପକ୍ଷରୁ ଅନୁମତି ପ୍ରଦାନ କରାଯିବ।

ଡିସେମ୍ବର ୨୭ରୁ ୩୧ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେବାୟତଙ୍କ ପରିବାର ଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। ଜାନୁଆରି ୧ ଓ ୨ ତାରିଖରେ ବନ୍ଦ ରହିବ। ଏହି ସମୟରେ ସେବାୟତ କିମ୍ବା ସେମାନଙ୍କ ପରିବାରର କେହି ପ୍ରବେଶ କରିପାରିବେ ନାହିଁ। ତେବେ ମହାପ୍ରଭୁଙ୍କ ନିତିଦିନିଆ କାର୍ଯ୍ୟ ଜାରି ରହିବ। ଜାନୁଆରି ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱରବାସୀଙ୍କ ପାଇଁ ମନ୍ଦିର ଖୋଲିବ। ୬ତାରିଖରୁ ସର୍ବସାଧାରଣ ତଥା ଭୁବନେଶ୍ୱର ସମେତ ବାହାରର ଭକ୍ତ, ପର୍ଯ୍ୟଟକଙ୍କ ପାଇଁ ମନ୍ଦିର ଖୋଲିବ। ଜାନୁଆରି ୩୦ ପର୍ଯ୍ୟନ୍ତ ଗୋଟିଏ ସମୟରେ ୫୦୦ଭକ୍ତ ପ୍ରବେଶ କରିପାରିବେ। ଏହି ସମୟରେ ଭକ୍ତମାନେ ସିଂହଦ୍ବାରରୁ ଆଡ଼କାଠ ମଧ୍ୟରେ ହିଁ ରହିପାରିବେ। ଜାନୁଆରି ୩୧ପର୍ଯ୍ୟନ୍ତ ସାହାଣ ଦର୍ଶନ ଓ ଗର୍ଭଗୃହ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଜାନୁଆରି ୩୧ ପରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତୀ ସମୟରେ କେତେ ସଂଖ୍ୟକ ଦର୍ଶକ ଏକାଥ‌ରେ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରି‌ବେ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।