ଡେଙ୍ଗୁ ପାଇଁ ବିଏମ୍‌ସିର ଡ୍ରାଏ ଡେ’

ଭୁବନେଶ୍ବର : ଡେଙ୍ଗୁ ରୋକିବାକୁ ତତ୍ପର ହୋଇଉଠିଛି ବିଏମ୍‌ସି। ସ୍ୱଚ୍ଛତା ସହିତ ସୁସ୍ଥତାକୁ ଅଗ୍ରାଧିକାର ଦେଇ ଗୁରୁବାର ଠାରୁ ଡ୍ରାଏ ଡେ’ ପାଳନ କରାଯାଉଛି। ସକାଳେ ତିନିଟି ଜୋନ୍‌ରେ ମେୟର ସୁଲୋଚନା ଦାସ, କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଅନ୍ୟ ଅଧିକାରୀମାନେ ବୁଲି ଜନସାଧାରଣଙ୍କୁ ସଚେତନ କରାଇଛନ୍ତି। ଦକ୍ଷିଣ-ପୂର୍ବ ଜୋନ୍‌ର ନୂଆପଲ୍ଲୀ ଓ ଆଖପାଖ ଅଞ୍ଚଳରେ ମେୟର ଶ୍ରୀମତୀ ଦାସ ବୁଲିଥିଲେ। ଉତ୍ତର ‌ଜୋନ୍ ୮ ନମ୍ବର ୱାର୍ଡର ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରୁ କମିସନର ଶ୍ରୀ କୁଲାଙ୍ଗେ ପଦଯାତ୍ରା କରିଥିଲେ। ଏହି ପଦଯାତ୍ରା ଡିଷ୍ଟ୍ରିକ୍ଟ ସେଣ୍ଟରରୁ ହାଉସିଂ ବୋର୍ଡ କଲୋନି ପର୍ଯ୍ୟନ୍ତ ଯାଇଥିଲା। ଦକ୍ଷିଣ-ପୂର୍ବ ଜୋନ୍‌ରେ ମଙ୍ଗଳାବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ଅଧିକାରୀମାନେ ପଦଯାତ୍ରା କରିଛନ୍ତି। ଡେଙ୍ଗୁ ଦମନ ପାଇଁ ଲୋକଙ୍କର ଭୂମିକା ଓ ଡ୍ରାଏ ଡେ’ ସମ୍ବନ୍ଧରେ ‌ଲୋକମାନଙ୍କୁ ଅଧିକାରୀମାନେ ସଚେତନ କରିଛନ୍ତି।

ଘର ପାଖରେ ରହିଥିବା ପାତ୍ର କିମ୍ବା ଖାଲି ଜାଗାରେ ପାଣି ଜମିଛି କି ନାହିଁ ଦେଖିବା ସହ ଉପଯୁକ୍ତ ସୂଚନା ଅଭାବରୁ ଘରେ ଥିବା ବିଭିନ୍ନ ପାତ୍ରରେ ମଶା ଲାର୍ଭା ବଢ଼ି ସେଥିରେ କିପରି ମଶା ସୃଷ୍ଟି ହେଉଛନ୍ତି, ସେ ବାବଦରେ ଅଧିକାରୀମାନେ ଲୋକଙ୍କୁ ବୁଝାଇଥିଲେ। ଡେଙ୍ଗୁ ବ୍ୟାପିବାର କାରଣ ବାବଦରେ ଟିମ୍‌ ନାଗରିକମାନଙ୍କୁ ବୁଝାଇଥିଲେ। ଏହା ଛଡ଼ା ସୂଚନା ପତ୍ର ବଣ୍ଟନ କରାଯାଇଥିଲା। ବ୍ୟବସାୟୀମାନଙ୍କୁ ମଧ୍ୟ ସଚେତନ କରାଯାଇଥିଲା। ଆଜି ପ୍ରଥମ ଦିନରେ ଦୁଇ ହଜାର ପରିବାରକୁ ସଚେତନ କରାଯାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ମଶା ଲାର୍ଭା ଉତ୍ସ ନଷ୍ଟ କରାଯାଇଛି। ଅଭିଯାନରେ ସ୍ୱଚ୍ଛ ସାଥୀ, ସ୍ୱଚ୍ଛ କର୍ମୀ, ବରିଷ୍ଠ ନାଗରିକ ସଂଘ, ଆବାସିକ କଲ୍ୟାଣ ସଂଘ ଓ ମହିଳା ଏସ୍‌ଏଚ୍‌ଜି ସଦସ୍ୟାମାନେ ଭାଗ ନେଇଥିଲେ। ପ୍ରତ୍ୟେକ ସଚେତନ ନାଗରିକ ନିଜ ପରିବାରର ଓ ନିଜ ଅଞ୍ଚଳରେ ସପ୍ତାହକୁ ଦୁଇ ଦିନ ଗୁରୁବାର ଓ ରବିବାର ବୁଲି ବିଭିନ୍ନ ପରିତ୍ୟକ୍ତ ପାତ୍ରରେ ଥିବା ପାଣିକୁ ଖାଲି କରିବା, ଅଦରକାରୀ ପାତ୍ରକୁ ଓଲଟାଇ ଦେବା ପ୍ରଭୃତି କଲେ ମଶା ବଂଶ ବୃଦ୍ଧି ହୋଇପାରିବନାହିଁ। ଏହି ଅଭ୍ୟାସ ପାଳନ କଲେ ଭୁବନେଶ୍ୱରରୁ ଡେଙ୍ଗୁ ତଡ଼ି ହେବ ବୋଲି କହିଛନ୍ତି କମିସନର ଶ୍ରୀ କୁଲାଙ୍ଗେ। ଆଜି ଏହି ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କମିସନର (ପରିମଳ) ଶୁଭେନ୍ଦୁ କୁମାର ସାହୁ, ଜେଡ୍‌ଡିସି ରବି ନାରାୟଣ ଜେଠୀ ଓ ପୁରନ୍ଦର ନନ୍ଦଙ୍କ ସମେତ ଅନ୍ୟାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର