ଭୁବନେଶ୍ୱର : ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପ୍ରଥମ ଷ୍ଟାଣ୍ଡିଂ କମିଟି ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଛି। ୬୭ଟି ୱାର୍ଡର ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ୧୦ଟି ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୦ଟି ଷ୍ଟାଣ୍ଡିଂ କମିଟି ନିମନ୍ତେ ସଦସ୍ୟ ନିର୍ବାଚନ ପାଇଁ ୭୦ଟି ମନୋନୟନ ପତ୍ର ଦାଖଲ ହୋଇଥିଲା। ସେଗୁଡ଼ିକୁ ଯାଞ୍ଚ କରାଯିବା ପରେ ସମସ୍ତ ମନୋନୟନ ପତ୍ର ଠିକ୍ ଥିବା ଜଣାପଡ଼ିଛି। ଏହାପରେ ସମସ୍ତ ଷ୍ଟାଣ୍ଡିଂ କମିଟି ସଦସ୍ୟ/ସଦସ୍ୟା ନିୟମ ମୁତାବକ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚିତ ହୋଇଥିଲେ। ୯ଟି କମିଟିରେ ୭ ଜଣ ଲେଖାଏ ସଦସ୍ୟ ରହିଥିବା ବେଳେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଥିବା କଣ୍ଟ୍ରାକ୍ଟ୍‌ସ୍‌ କମିଟିରେ ୩ ଜଣ ସଦସ୍ୟ ରହିଛନ୍ତି।

Advertisment

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କର୍ପୋରେସନ ଏଷ୍ଟାବ୍ଲିସ୍‌ମେଣ୍ଟ କମିଟିରେ କୁମାରେନ୍ଦ୍ର ମହାପାତ୍ରଙ୍କ ସମେତ କିରଣବାଳା ମାଝୀ, ଧରିତ୍ରୀ ଜେନା, ‌ଦୀପକ କୁମାର ମିଶ୍ର, ଅଚ୍ୟୁତାନନ୍ଦ ସ୍ବାଇଁ, ବନ୍ଦିତା ପାଲ୍‌, ଲକ୍ଷ୍ମୀପ୍ରିୟା ପରିଡ଼ା ରହିଛନ୍ତି। ଜନସ୍ବାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟ ଜଳ, ଡ୍ରେନେଜ୍‌ ଓ ପରିବେଶ କମିଟିରେ ବିରଞ୍ଚି ନାରାୟଣ ମହାସୁପକାର, ଭରତ କୁମାର ଲେଙ୍କା, ମିନୁଶ୍ରୀ ଖୁଣ୍ଟିଆ, ଛବି ଦାଶ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ମୋନାଲିସା ସାହୁ, ରଞ୍ଜୁଲତା ରାୟ, ପ୍ଲାନିଂ ଆଣ୍ଡ୍‌ ଡେଭଲ୍‌ପମେଣ୍ଟ କମିଟିରେ ଶ୍ରୀଧର ଜେନା, କବିତା ସ୍ବାଇଁ, ପିଙ୍କି ସ୍ବାଇଁ, ବିପ୍ଲବ ବେହେରା, ନମିତା ମହାପାତ୍ର, ଚାରୁଲତା ସାମନ୍ତରାୟ, ସୁକୁମାର ସାହୁ ସ୍ଥାନ ପାଇଛନ୍ତି। ପବ୍ଲିକ ୱାର୍କସ କମିଟିରେ ଅମରେଶ ଜେନା, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଜୟନ୍ତୀ ସାହୁ, ସମିତା ମହାନ୍ତି, ଶ୍ରୀଧର ବେହେରା, ସନ୍ତୋଷ କୁମାର ସିଂ, ସେଖ୍‌ ନୁର୍‌ ହାସନ ସଦସ୍ୟ ରହିଥିବା ବେଳେ ଅଭିଯୋଗ ଓ ସାମାଜିକ ନ୍ୟାୟ କମିଟିରେ ନୃପେଶ କୁମାର ନାୟକ, ଶିବ ନାରାୟଣ ରାୟ, ଇତିଶ୍ରୀ ଦାସ, ପ୍ରଭାସିନୀ ମହାନ୍ତି, ଗୀତାଞ୍ଜଳି ସାହୁ, ସଞ୍ଜୁକ୍ତା ସୁନ୍ଦରାୟ, ବିନୟିନୀ ଜେନା ରହିଛନ୍ତି।

ସ୍ଲମ୍‌ ରିସେଟେଲ୍‌ମେଣ୍ଟ ଅତିରିକ୍ତ ଷ୍ଟାଣ୍ଡିଂ କମିଟିରେ ମହାମାୟା ସ୍ବାଇଁ, ସ୍ମୃତିଶିଖା ବରିସଲ୍‌, ଅଜିତ ବେହେରା, ସକିବ୍‌ ମୁସରାତ୍‌, ଆଶିଷ କୁମାର ପଟ୍ଟନାୟକ, ପୂଜା ବେହେରା, ସୁଷମା ସାହୁ, ଟ୍ୟାକ୍ସ, ଫାଇନାନ୍‌ସ ଓ ଆକାଉଣ୍ଟସ୍‌ କମିଟିରେ ପ୍ରୀତିନନ୍ଦା ରାଉତରାୟ, ରାଜକିଶୋର ଦାସ, ଶିବପ୍ରସାଦ ବେହେରା, ଚନ୍ଦ୍ରଶେଖର ମଲ୍ଲିଆ, ଯଶୋଧାରା ପ୍ରଧାନ, ଅଲିଅଳି ମଲ୍ଲିକ, ଆସିଆ ବେଗମ ସ୍ଥାନ ପାଇଛନ୍ତି। ଲାଇସେନ୍ସ୍‌ ଓ ଅପିଲ୍‌ସ୍‌ କମିଟିରେ ପ୍ରେମାନନ୍ଦ ଜେନା, ପୁଷ୍ପା ରାଉତ, ଝରଣାରାଣୀ ପତି, ପୂଜା ମହାରଣା, ମଧୁସ୍ମିତା ପ୍ରଧାନ, ସୁଜାତା ଛୋଟରାୟ, ମାନସୀରାଣୀ ସୁନ୍ଦରାୟ ଏବଂ ଶିକ୍ଷା, ଚିତ୍ତ ବିନୋଦନ ଓ ସଂସ୍କୃତି କମିଟିରେ ମିହିର କୁମାର ରାଉତ, ଲାଲ୍‌ମୋହନ ଟୁଡୁ, ମୋନାଲିସା ବେହେରା, ସୁଚିତ୍ରା ପାତ୍ର, ଅପରୁପ ନାରାୟଣ ରାଉତ, ରଶ୍ମିରଞ୍ଜନ ପାଟ୍ଟଶାଣୀ, ରାମଚନ୍ଦ୍ର ରଣସିଂହ ସଦସ୍ୟ ରହିଛନ୍ତି। ମେୟର ମୁଖ୍ୟ ରହିଥିବା କଣ୍ଟ୍ରାକ୍ଟ୍‌ସ୍‌ କମିଟିରେ କେ ଶାନ୍ତି, ଭାରତୀ ସିଂ ଓ ପୁଷ୍ପାଞ୍ଜଳୀ ସେଠୀ ସଦସ୍ୟ ରହିଛନ୍ତି।

ଆଜିର ବୈଠକରେ କମିଟିଗୁଡ଼ିକର ଅଧ୍ୟକ୍ଷଙ୍କ ନାମ ଘୋଷଣା ହୋଇନାହିଁ। ଆସନ୍ତା ୭ ଦିନ ପରେ କମିଟି ଅଧ୍ୟକ୍ଷ ଚୟନ ହେବ ବୋଲି ଜଣାପଡ଼ିଛି। ତେବେ ତାଲିକାରୁ ଯାହା ସୂଚନା ମିଳିଛି ପୁରାତନ ତଥା ଏକାଧିକ ଥରିଆ କର୍ପୋରେଟର ହିଁ କମିଟିର ଅଧ୍ୟକ୍ଷ ହେବେ। ଡେପୁଟି ମେୟର ପଦ ଲାଗି ଆଶାୟୀ ରହିଥିବା କର୍ପୋ‌ରେଟରମାନଙ୍କୁ କମିଟିର ଅଧ୍ୟକ୍ଷ ଭାବେ ବସାଇବା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କେବଳ ନାମ ଘୋଷଣାକୁ ବାକି ରହିଥିବା ଜଣାପଡ଼ିଛି। ବିଜେପି ଓ ସ୍ବାଧୀନ କର୍ପୋରେଟରଙ୍କୁ ମଧ୍ୟ ବିଭିନ୍ନ କମିଟିରେ ସ୍ଥାନ ଦିଆଯାଇଛି। ତେବେ ଅଧ୍ୟକ୍ଷ ପଦରେ ବସାଇବାର ସମ୍ଭାବନା କମ୍‌ ରହିଛି। କାରଣ ଯେଉଁ କମିଟି ଗଠନ ହୋଇଛି ତାହାର ନେତୃତ୍ବ ଜଣେ ପୁରୁଣା ନେତାଙ୍କ ହାତରେ ଦେବାକୁ ନିଷ୍ପତ୍ତି ହୋଇଛି।

ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ର ଧାରା-୧୦ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ(ପ୍ରୋସିଜିଓର ଆଣ୍ଡକଣ୍ଡକ୍ଟ ଅଫ୍ ବିଜିନେସ୍‌) ରୁଲସ୍‌-୨୦୦୩ର ନିୟମ-୨(୩) ଅନୁଯାୟୀ ବିଏମ୍‌ସି ଷ୍ଟାଣ୍ଡିଂ କମିଟି ଗଠନ ହୋଇଛି। ମେୟର ଶ୍ରୀମତୀ ଦାସ ବୈଠକରେ କହିଛନ୍ତି ଯେ କର୍ପୋରେସନ ଏକ ପରିବାର। ଆମେ ସମସ୍ତଙ୍କୁ ନେଇ ଚାଲିବୁ। ସମସ୍ତ କମିଟିରେ ୬୭ଟି ୱାର୍ଡର କର୍ପୋରେଟରଙ୍କ ସମ୍ପୃକ୍ତି ରହିବ। ଯାହା ଆମକୁ ବିକାଶ ମୂଳକ କାର୍ଯ୍ୟ କରିବାରେ ସହାୟକ ହେବ। ୭ ଦିନ ପରେ ପ୍ରତି କମିଟିର ଚେୟାରମ୍ୟାନ୍ ନିର୍ବାଚିତ ହେବେ ଏବଂ ଆଜିର ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି। ଆଜିର ବୈଠକରେ ବିଏମ୍‌ସି କମିସନର ସଞ୍ଜୟ କୁମାର ସିଂହଙ୍କ ସମେତ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ବିନୟ କୁମାର ଦାଶ, ବିଏମ୍‌ସିର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଡେପୁଟି କମିସନର କମଳାକାନ୍ତ ବେହେରା ନିର୍ବାଚନ ପ୍ରକ୍ରିୟାର ସଂଯୋଜନା କରିଥିଲେ।