ବିଏମ୍‌ସିର ମାର୍କେଟ୍‌ ସର୍ଭେ ଖେଳ, ସନ୍ଦେହରେ ଅଧିକାରୀଙ୍କ କାରବାର

ଭିଏସ୍‌ଏସ୍‌ ନଗର, ଝାରପଡ଼ା ଗଣେଶ ମାର୍କେଟ୍‌ ସରିନି, କୋଚିଲେଇ ହାଟ ସର୍ଭେ ଆରମ୍ଭ

ଭୁବନେଶ୍ବର: ବିଏମ୍‌ସିରେ ଚାଲିଛି ମାର୍କେଟ୍‌ ସର୍ଭେ ଖେଳ। ଅଧିକାରୀଙ୍କ ଇଚ୍ଛା‌ରେ ବଦଳି ଯାଉଛି ବ୍ୟବସାୟୀଙ୍କ ସଂଖ୍ୟା। ଦାୟିତ୍ବରେ ଥିବା ଅଧିକାରୀଙ୍କ ମନ ନ ବୁଝିଲେ ଆନୁ‌ଷ୍ଠାନିକ ଭାବେ ହୋଇଥିବା ସର୍ଭେକୁ ବାତିଲ କରି ନୂଆ ସର୍ଭେ କରୁଛନ୍ତି। ନିଜ ହିସାବରେ ବ୍ୟବସାୟୀଙ୍କ ସଂଖ୍ୟା ସ୍ଥିର କରୁଛନ୍ତି। ଏହାର ଏକ ଜ୍ବଳନ୍ତ ଉଦାହରଣ ନିକଟରେ ଭିଏସ୍‌ଏସ୍‌ ନଗର ହାଟରେ ଦେଖିବାକୁ ମିଳିଛି। ସେପଟେ ଝାରପଡ଼ା ଗଣେଶ ମାର୍କେଟ୍‌ ଉଚ୍ଛେଦକୁ ଦୁଇମାସ ପୂରିବାକୁ ବସିଲାଣି। ହେଲେ ବିଏମ୍‌ସି ସର୍ଭେ କରୁଛି ଯେ, ସରୁନି। ଏଠାରେ ମଧ୍ୟ ସଂଖ୍ୟାକୁ ନେଇ ଖେଳ ଚାଲିଛି। ଏଭଳି ସ୍ଥିତିରେ ବିଏମ୍‌ସି କୋଚିଲେଇ ହାଟ ସର୍ଭେ ଆରମ୍ଭ କରିଛି। ଏଠାରେ ମଧ୍ୟ ନୂଆ ବ୍ୟବସାୟୀ କିମ୍ବା ପୁରୁଣା ବ୍ୟବସାୟୀଙ୍କ ନାମରେ ଏକାଧିକ ଦୋକାନ ପଞ୍ଜୀକୃତ କରିବାକୁ ଯୋଜନା ଚାଲିଥିବା ଅଭିଯୋଗ ହୋଇଛି। ଅଧିକାରୀଙ୍କ ଏଭଳି କାରବାର ବିବାଦକୁ ଆସିଛି।

ଭିଏସ୍‌ଏସ୍‌ ନଗର ହାଟକୁ ନୂଆ ରୂପ ଦେବା ପାଇଁ ଯୋଜନା ହେବା ପରେ ବଜାର ଦାୟିତ୍ବରେ ଥିବା ଡେପୁଟି କମିସନର ପ୍ରମୋଦ ପୃଷ୍ଟି ବ୍ୟବସାୟୀଙ୍କ ସଂଖ୍ୟା ଆକଳନ କରି ସେଠାରେ ୪୯୨ ବ୍ୟବସାୟୀ ଥିବା ଦର୍ଶାଇଥିଲେ। ଏହାକୁ ସ୍ବୀକୃତି ଦେବାକୁ ସମ୍ପୃକ୍ତ ଜେଡ୍‌ଡିସି(ଜୋନାଲ ଡେପୁଟି କମିସନର) ପୁରନ୍ଦର ନନ୍ଦଙ୍କୁ ଚିଠି ଜରିଆରେ ଚାପ ପକାଇଥିଲେ। ହେଲେ ସେହି ସଂଖ୍ୟାକୁ ନେଇ ସନ୍ଦେହ ହେବାରୁ ସ୍ବୀକୃତି ଦେବା ପୂର୍ବରୁ ଜେଡ୍‌ଡିସି ଭିଡିଓଗ୍ରାଫି ସହ ଜିଓ ଟ୍ୟାଗିଙ୍ଗ୍‌ ଜରିଆରେ ସର୍ବେକ୍ଷଣ କଲେ। ଏହି ବ୍ୟବସ୍ଥା ତ୍ରୁଟିଶୂନ୍ୟ ହେଉଥିବାରୁ ସମ୍ପୃକ୍ତ ଅଧିକାରୀ ଏହି ପଦ୍ଧତିକୁ ବ୍ୟବହାର କରି ୩୬୧ ମୂଳ ବ୍ୟବସାୟୀମାନଙ୍କୁ ଚିହ୍ନଟ କଲେ। ଏହାକୁ ନେଇ ତୁମ୍ବିତୁଫାନ ହେଲା। ଡେପୁଟି କମିସନର ପ୍ରମୋଦ ପୃଷ୍ଟି ଏହାକୁ ମାନିବାକୁ ରାଜି ନଥିଲେ। ଶେଷରେ ଜେଡ୍‌ଡିସିଙ୍କ ତାଲିକାକୁ ଶ୍ରୀ ପୃଷ୍ଟି ବାତିଲ କରିବା ସହ ନିଜେ ଏକ କମିଟି ଗଠନ କରି ସର୍ଭେ କଲେ। କମିଟି ସର୍ଭେ କରି ପୂର୍ବରୁ ସ୍ଥିର ହୋଇଥିବା ବ୍ୟବସାୟୀଙ୍କ ସଂଖ୍ୟା ୪୯୨ ବୋଲି ଘୋଷଣା କଲା। ଜେଡ୍‌ଡିସି କରିଥିବା ତାଲିକାରେ ଅନେକ ବ୍ୟବସାୟୀ ବାଦ୍‌ ପଡ଼ିଥିବା କମିଟି ଅଫିସରଙ୍କୁ ଦର୍ଶାଇଲା।

ଝାରପଡ଼ା ଗଣେଶ ମଣ୍ଡପ ହାଟରୁ ବିଏମ୍‌ସି ଗତ ଏପ୍ରିଲ ମାସରେ ୧୯୧ଟି ଦୋକାନ ଉଚ୍ଛେଦ କରିଥିଲା। କିନ୍ତୁ ସେଠାକାର ବ୍ୟବସାୟୀ ସଂଘ ବ୍ୟବସାୟୀଙ୍କ ସଂଖ୍ୟା ୪୨୯ ଦର୍ଶାଇଥିଲା। ଯାହାକୁ ନେଇ ଦ୍ବନ୍ଦ୍ବ ହୋଇଥିଲା। ବିଏମ୍‌ସି ମାର୍କେଟ୍‌ ଉପବିଭାଗ ଏହାର ସର୍ଭେ ଆରମ୍ଭ କରିଥିଲା। ସର୍ଭେ ସରିବା ପରେ ଏମାନଙ୍କୁ ଥଇଥାନ କରାଯିବ ବୋଲି ବିଏମ୍‌ସି ଘୋଷଣା କରିଥିଲା। ହେଲେ ସେବେ ଠାରୁ ସର୍ଭେ ଚାଲିଛି ବୋଲି ବିଏମ୍‌ସି କହୁଥିବାରୁ ଏଠାରେ ମଧ୍ୟ ବ୍ୟବସାୟୀଙ୍କ ସଂଖ୍ୟାକୁ ନେଇ ଖେଳ ଚାଲିଥିବା କୁହାଯାଉଛି। କେତେ ବ୍ୟବସାୟୀ ଅଛନ୍ତି? କେତେ ନୂଆ ବ୍ୟବସାୟୀଙ୍କୁ ଯୋଗ କରାଯିବ? କାହା ସମ୍ପର୍କୀୟଙ୍କୁ ଥଇଥାନ କରାଯିବ? ଏଭଳି ହିସାବକୁ ନେଇ ଅଧିକାରୀ ଛନ୍ଦି ହୋଇ ପଡ଼ିଥିବା ଚର୍ଚ୍ଚା ହେଉଛି।

ଏବେ କୋଚିଲେଇ ହାଟ ସର୍ଭେ ଆରମ୍ଭ ହେବା ପ‌ରେ ଅନୁରୂପ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟ ଅତୀତରେ ବିଏମ୍‌ସି ଏହାକୁ ନିଜ ହାତକୁ ନେଇଛି। ଏଣୁ ଏଠାକାର ବ୍ୟବସାୟୀଙ୍କ ଠାରୁ ମହାସୁଲ ବାବଦରେ ଅର୍ଥ ଆଦାୟ କରିବାକୁ ଯାଉଛି। ଏଠାରେ ୬ଶହରୁ ଊର୍ଦ୍ଧ୍ବ ବ୍ୟବସାୟୀ ଥିବା ମା କୋଚିଲେଇ ବ୍ୟବସାୟୀ ସଂଘ ଦାବି କରୁଥିବା ବେଳେ ବିଏମ୍‌ସି ବ୍ୟବସାୟୀଙ୍କ ସଂଖ୍ୟା କହୁନାହିଁ। ଅନ୍ୟ ହାଟଗୁଡ଼ିକ ଭଳି ଏଠାରେ ମଧ୍ୟ ସଂଖ୍ୟାକୁ ନେଇ ଖେଳ ହେବା ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର