ବିଏମ୍‌ସିର ‘ମୌସୁମୀ’ ପ୍ରସ୍ତୁତି: ନଜର ରଖିବେ କର୍ପୋରେଟର୍‌

ଜାରି ହେଲା ୨୪ ଘଣ୍ଟିଆ ଟୋଲ୍‌-ଫ୍ରି ନମ୍ବର

ଭୁବନେଶ୍ବର: ଏଥରକ ମୌସୁମୀରେ ଭୁବନେଶ୍ବରକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତ ରଖିବା ପାଇଁ ବିଏମ୍‌ସି ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍‌ଣରେ ବିଏମ୍‌ସି ଅଫିସ୍‌ରେ ମେୟର ସୁଲୋଚନା ଦାସ, ବରିଷ୍ଠ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ବର୍ଷା ପୂର୍ବରୁ ଓ ବର୍ଷା ସମୟରେ ଜଳବନ୍ଦୀ ଅଞ୍ଚଳରେ କିଭଳି ତ୍ବରିତ ପଦକ୍ଷେପ ନିଆଯାଇ ପାରିବ, ସେନେଇ ବିସ୍ତୃତ ଆଲୋଚନା ହୋଇଛି। ଯେଉଁଠି ଜଳବନ୍ଦୀ ସମସ୍ୟା ହେବା ଭଳି ଆଶଙ୍କା ରହୁଛି ତଥା ଡ୍ରେନ୍‌ ଜବରଦଖଲ, ଜାମ୍‌ ହେବା, ଡ୍ରେନ୍‌ ଉପରେ ସ୍ଲାବ୍‌ ନାହିଁ; ୧୯୨୯ରେ ଫୋନ୍‌ କରି ଅଭିଯୋଗ କରିବାକୁ ମେୟର ଶ୍ରୀମତୀ ଦାସ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ଏହି ନମ୍ବରରେ ଏକ ସମୟରେ ଏବେ ୪ଜଣଙ୍କ ଅଭିଯୋଗ ଗ୍ରହଣ କରିହେଉଛି। ଆବଶ୍ୟକ ପଡ଼ିଲେ, ସଂଖ୍ୟା ବଢ଼ାଯିବ ବୋଲି ମେୟର୍‌ କହିଛନ୍ତି। ଭୁବନେଶ୍ୱରରେ ୩୧ଟି ଜଳବନ୍ଦୀ ସ୍ଥାନ ଚିହ୍ନଟ କରାଯାଇଥିବା ବେଳେ ମୋଟ ୭୫ଟି ବିପଦପୂର୍ଣ୍ଣ ସ୍ଥାନ ରହିଥିବା ଚିହ୍ନଟ କରାଯାଇଛି। ବର୍ଷା ସମୟରେ ଏଠା‌ରେ ବର୍ଷାଜଳ ନିଷ୍କାସନ ହୋଇପାରୁନଥିବାରୁ ପମ୍ପ୍ ଜରିଆରେ ନିଷ୍କାସନ କରାଯାଏ। ତେଣୁ ସେ ସବୁ ସ୍ଥାନ ଉପରେ ଅଧିକ ଗୁରୁତ୍ବ ଦେବାକୁ ମେୟର୍‌ କହିଥିଲେ। କେବଳ ସରକାରୀ କଳ ନୁହେଁ, ଜନସାଧାରଣଙ୍କ ସହ ନିର୍ବାଚିତ ଜନପ୍ରତିନିଧିଙ୍କର ସେ ସହଯୋଗ ଲୋଡ଼ିଥିଲେ।

କର୍ପୋରେଟର୍‌ମାନେ ନିଜ ଅଞ୍ଚଳର ବିପଦପୂର୍ଣ୍ଣ ସ୍ଥାନ ଓ ଆବଶ୍ୟକ ସୁରକ୍ଷା ବାବଦରେ ନିୟମିତ ସୂଚନା ଦେବେ। ଆଜି ସିଟି ଇଞ୍ଜିନିୟର ଅରୁଣ ନାୟକ ଓ ଡ୍ରେନେଜ୍ ଅଧୀକ୍ଷଣ ଯନ୍ତ୍ରୀ ଗୌତମ ଦାସ ଓ ବରିଷ୍ଠ ତଥା ଅଭିଜ୍ଞ କର୍ପୋରେଟର୍‌ଙ୍କ ସହ ମେୟର ଆଲୋଚନା କରିଛନ୍ତି। ଆଗକୁ ୱାଟ୍‌କୋ, ପୂର୍ତ୍ତ ଟିପିସିଓଡିଏଲ୍‌ ଇତ୍ୟାଦିର ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ସ୍ଥାନୀୟ କର୍ପୋରେଟର୍‌ ସମ୍ପୃକ୍ତ କର୍ମଚାରୀଙ୍କ ଯୋଗାଯୋଗରେ ରହି ଲୋକମାନଙ୍କ ସମସ୍ୟା ଦୂର କରିବାରେ ସହଯୋଗ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର