ନୂଆ କମିସନରଙ୍କ ପାଇଁ, ପୁଳାପୁଳା ଚ୍ୟାଲେଞ୍ଜ: ଦାୟିତ୍ବ ନେଲେ ବିଏମ୍‌ସି କମିସନର

ଆଜି ଅଧିକାରୀଙ୍କ ବୈଠକ ନେବେ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର କମିସନର ଭାବେ ଆଜି ସମର୍ଥ ବର୍ମା ଦାୟିତ୍ବ ନେଇଛନ୍ତି। ଅପରାହ୍‌ଣରେ ବିଏମ୍‌ସି କାର୍ଯ୍ୟାଳୟରେ ଦାୟିତ୍ବ ଗ୍ରହଣ କରିବା ପରେ ବିଡିଏ ଅଫିସ ଯାଇ ବିଏମ୍‌ସି ପ୍ରଶାସକ କ୍ରିଷନ କୁମାରଙ୍କୁ ବି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ କମିସନରଙ୍କୁ ସାକ୍ଷାତ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନୂଆ କମିସନର ବୁଧବାର ପୂର୍ବାହ୍ନରେ ବିଏମ୍‌ସି ଅଧିକାରୀମାନଙ୍କର ‌ବୈଠକ ଡାକିଛନ୍ତି। ଏଥିରେ ଅତିରିକ୍ତ କମିସନର, ମୁଖ୍ୟ ବିତ୍ତ ଅଧିକାରୀ, ସମସ୍ତ ଡେପୁଟି କମିସନର, ସିଟି ଇଞ୍ଜିନିୟରଙ୍କ ସମେତ ସମସ୍ତ ଇଞ୍ଜିନିୟର, ପ୍ଲାନିଂ ଅଧିକାରୀଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ବୈଠକରେ ଯୋଗଦେବାକୁ କୁହାଯାଇଛି। ନୂଆ କମିସନରଙ୍କୁ ଭେଟିବା ପୂର୍ବରୁ ଅଧିକାରୀମାନେ ସେମାନଙ୍କ ବିଭାଗର, ଜୋନ୍‌ର ସମସ୍ତ ତଥ୍ୟ ଏକଜୁଟ୍‌ କରିବାରେ ଲାଗିପଡ଼ିଛନ୍ତି। ଆଜି ହଠାତ୍ କାଳେ କମିସନର କିଛି ପଚାରିଦେବେ ସେଥିପାଇଁ ଅଧିକାରୀମାନେ ସମସ୍ତ ତଥ୍ୟ ପ୍ରସ୍ତୁତ କରିଛନ୍ତି। ଇଞ୍ଜିନିୟରିଂ ବିଭାଗ ବିଏମ୍‌ସି ଅଧୀନରେ କେତେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି, କ’ଣ ଯୋଜନା ଅଛି ତା’ର ଲମ୍ବା ଚଉଡ଼ା ତାଲିକା ପ୍ରସ୍ତୁତ କରିଛି। ରାଜସ୍ବ ବିଭାଗ ବିଏମ୍‌ସି କେଉଁ କେଉଁ ବିଭାଗରୁ ରାଜସ୍ବ ଆଦାୟ କରୁଛି, କେଉଁ କେଉଁ କ୍ଷେତ୍ରରେ କେତେ ରାଜସ୍ବ ଆସୁଛି, ଚଳିତ ଆର୍ଥିକ ବର୍ଷ ପାଇଁ କ’ଣ ଟାର୍ଗେଟ ରହିଛି ସେନେଇ ବି ତାଲିକା ପ୍ରସ୍ତୁତ କରିଛନ୍ତି। ମୁଖ୍ୟ ବିତ୍ତ ଅଧିକାରୀ ବି ବଜେଟ୍‌ ଏବଂ ରାଜସ୍ବ ଆଦାୟର ତାଲିକା ଧରି ବସିଛନ୍ତି। ବୁଧବାର ବସିବାକୁ ଥିବା ବୈଠକରେ କମିସନରଙ୍କୁ ସବୁ ବୁଝାଇବାକୁ, ବିଏମ୍‌ସିର କାର୍ଯ୍ୟପ୍ରଣାଳୀ ବିଷୟରେ କହିବାକୁ ଅଧିକାରୀମାନେ ପୂରା ପ୍ରସ୍ତୁତ ହୋଇଛନ୍ତି। ସେହିପରି ଆସନ୍ତାକାଲି କିଛି ପୂର୍ବତନ କର୍ପୋରେଟର କମିସନର୍‌ଙ୍କୁ ଭେଟିବାକୁ ବି ଆଜିଠୁ ଆପଏଣ୍ଟମେଣ୍ଟ ନେଇ ସାରିଛନ୍ତି।

ଭୁବନେଶ୍ବର: କର୍ପୋରେଟର ନାହାନ୍ତି କି ମେୟର ନାହାନ୍ତି। ନୂଆ ବିଏମ୍‌ସି କମିସନରଙ୍କ ଉପରେ ପ୍ରତ୍ୟେକ୍ଷ ରାଜନୈତିକ ଚାପ ନାହିଁ। ହେ‌ଲେ ଆସନ୍ତା କିଛି ମାସ କମିସନରଙ୍କ ପାଇଁ ପୂରା ଚ୍ୟା‌ଲେଞ୍ଜିଂ ହେବାକୁ ଯାଉଛି। ରାଜଧାନୀରେ ଏବେ ପୁଳାପୁଳା ସମସ୍ୟା ମୁଣ୍ଡ ଟେକିଥିବାବେଳେ ଏହାର ସମାଧାନ ହୋଇ ନପାରିଲେ କମିସନର ଅପଦସ୍ତ ହେବା ଥୟ। ତେଣୁ କମିସନର କିପରି, କେଉଁଭଳି ଢଙ୍ଗରେ ରାଜଧାନୀବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା। ଗତ ଜୁଲାଇ ମାସରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ରାଜଧାନୀବାସୀଙ୍କୁ ନାକେଦମ୍ କଲା। ପୂରା ରାଜଧାନୀ ପାଣିରେ ଉବୁଟୁବୁ ହେଲା। ଏହାର ସମାଧାନ ପାଇଁ ‌ଡ୍ରେନ୍ ସଫେଇରୁ ଆରମ୍ଭ କରି ନୂଆ ଡ୍ରେନ୍ ନିର୍ମାଣ ପାଇଁ ବିଏମ୍‌ସି ପକ୍ଷରୁ ୪୦କୋଟି ଟଙ୍କାର ବଜେଟ୍‌ ବି ହୋଇଛି। ହେଲେ ରାଜଧାନୀର ଜଳବନ୍ଦୀ ସମସ୍ୟାକୁ ଅଙ୍ଗେ ନିଭାଇଥିବା ଦୁଇ ଜଣ କମିସନର୍‌ଙ୍କ ଏହା ମଧ୍ୟରେ ବଦଳି ହୋଇଯାଇଥିବାରୁ ନୂଆ କରି ଯୋଗ ଦେଇଥିବା କମିସନର ଏହାକୁ କେତେ ଦୂର ବୁଝୁଛନ୍ତି, କିପରି ଆସନ୍ତା ବର୍ଷା ଋତୁ ପୂର୍ବରୁ ଏହାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି। ସେହିପରି ସ୍ବେରେଜ୍ ଲାଇନ୍ ବିଛାଇବା ପାଇଁ ପୂରା ରାଜଧାନୀର ଗଳିକନ୍ଦିରୁ ଆରମ୍ଭ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ସବୁକୁ ସ୍ବେରେଜ୍‌ ବୋର୍ଡ ଖୋଳି ଦେଇଥିବା‌େ‌ବଳେ ରାସ୍ତା ପୂରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାକୁ ଯଦି ତୁରନ୍ତ ନିର୍ମାଣ କରା ନଯାଏ ତେବେ ସ୍ଥିତି ସାଂଘାତିକ ହେବ। ଗଳିକନ୍ଦିରୁ ଆବର୍ଜନା ଦିନ ଦିନ ଧରି ଉଠୁନି। ରାସ୍ତା ଉପରେ ବି ଅଳିଆ ଗଦା ହୋଇ ରହୁଛି। ଅଭିଯୋଗ କଲେ ମଧ୍ୟ ତୁରନ୍ତ ସମାଧାନ ହେଉନି। ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଯାହା ନୂ୍ଆ କମିସନର୍‌ଙ୍କ ପାଇଁ ଚ୍ୟାଲଞ୍ଜ। ସେହିପରି ନୂଆ ବର୍ଷରୁ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା କରିବା ଏବଂ ୱାର୍ଡ ସ୍ତରରେ ଆବର୍ଜନା ପୃଥକୀକରଣ କରିବା ପାଇଁ ବିଏମ୍‌ସି ଓ ୟୁଏନ୍‌ଡିପି ମଧ୍ୟରେ ଚୁକ୍ତି ହୋଇଥିଲେ ହେଁ ଏହାକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଗଲାନି। କ୍ରିଷନ କୁମାରଙ୍କ ସମୟରେ ଏହି ଚୁକ୍ତି ସ୍ବାକ୍ଷର ହୋଇଥିବାବେଳେ ତାଙ୍କ ପରେ ଶୁଭମ୍‌ ସାକସେନା କମିସନର ଦାୟିତ୍ବ ନେଇ ବଦଳି ହୋଇଗଲେଣି। ତେଣୁ ଏହା କେବେଠୁ ଆରମ୍ଭ ହେବ ତାହାକୁ ଦେଖିବାକୁ ରାଜଧାନୀବାସୀ ଅପେକ୍ଷା କରିଛନ୍ତି। କେବଳ ଏତିକି ନୁହେଁ ବିଏମ୍‌ସି ଏପର୍ଯ୍ୟନ୍ତ ପଞ୍ଚଦୀପ ମାର୍କେଟ୍‌, ବିଏମ୍‌ସି-ଭବାନୀ ମଲ୍‌, ୟୁନିଟ-୧ ଫଳ ମାର୍କେଟ୍ ସମସ୍ୟାର ସମାଧାନ କରିପାରିଲାନି। ଏଥିବାବଦକୁ ବିଏମ୍‌ସି ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ବ ହରାଉଥି‌େଲ ବି ଏ ପର୍ଯ୍ୟନ୍ତ ଟଙ୍କାଟେ ବି ରାଜସ୍ବ ଆଦାୟ କରିବାକୁ ବାଟ କରିପାରୁନି। ଦୁଇ ଜଣ କମିସନର୍‌ ଏନେଇ କିଛି ବି ପଦ‌େକ୍ଷପ ନେଇପାରିନାହାନ୍ତି। ତେଣୁ ନୂଆ କମିସନର ଏହାର କେତେଦୂର ସମାଧାନ କରୁଛନ୍ତି ତାହାକୁ ଅପେକ୍ଷା।

ଅପରପକ୍ଷେ ବିଏମ୍‌ସି ଗତ ଆର୍ଥିକ ବର୍ଷରେ ୧୩୫କୋଟି ରାଜସ୍ବ ଆଦାୟ କରିଥିବାବେଳେ ଚଳିତବର୍ଷ ୧୫୦କୋଟି ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ଏହି ଟାର୍ଗେଟ୍ ପୂରଣ ପାଇଁ କମିସନର କ’ଣ ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଆଗକୁ ବିଏମ୍‌ସି ଓ ସାଧାରଣ ନିର୍ବାଚନ ଥିବାବେଳେ ପୂର୍ବତନ କର୍ପୋରେଟରମାନେ ନିଜ ନିଜ ଅଞ୍ଚଳର ସମସ୍ୟା ନେଇ କମିସନରଙ୍କ ନିକଟକୁ ଆସିବେ। ହେଲେ ନୂଆ କମିସନରଙ୍କର ପୁରୁଣା କର୍ପୋରେଟର୍‌ଙ୍କ ସହ ପରିଚୟ ନଥିବାରୁ ଯଦି କର୍ପୋରେଟର୍‌ଙ୍କ ଦାବି ପୂରଣ ନହୁଏ ତେବେ ପ୍ରବଳ ବିରୋଧ ହେବାର ବି ସମ୍ଭାବନା ବି ଅଛି। ‘ଉନ୍ନତି’ ଯୋଜନାରେ ବିଭିନ୍ନ ୱାର୍ଡରେ ଉନ୍ନତିମୂଳକ କାର୍ଯ୍ୟ ହେଉଥିବାବେଳେ ଏହାକୁ ଠିକ୍ ସମୟରେ ଶେଷ କରିବା ବି ଚ୍ୟାଲେଞ୍ଜ। ଆଉ ନିୟମିତ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଲୋକଙ୍କ ସମସ୍ୟା ବି ସମାଧାନ ହେବା ଦରକାର। ଯଦି ଏସବୁ ଚ୍ୟାଲେଞ୍ଜ୍‌କୁ ନୂଆ କମିସନର ସଫଳତାର ସହ ମୁକାବିଲା କରିପାରୁଛନ୍ତି କି ନାହିଁ ତାହାକୁ ସମସ୍ତେ ଚାହିଁ ବସିଛନ୍ତି। ଅନ୍ୟପକ୍ଷରେ ତାଙ୍କର କାର୍ଯ୍ୟଶୈଳୀ କିପରି ରହିଛି ତାହାକୁ ମଧ୍ୟ ବିଏମ୍‌ସି କର୍ମଚାରୀଙ୍କଠାରୁ ଆରମ୍ଭ କରି ରାଜାଧୀନବାସୀ ଅପେକ୍ଷା ରଖିଛନ୍ତି।

ସମ୍ବନ୍ଧିତ ଖବର