କଣ୍ଟାକ୍ଟ ଟ୍ରେସିଂ ପାଇଁ ବିଏମ୍ସିର ନୂଆ ନିର୍ଦ୍ଦେଶନାମା, ସୁପରସ୍ପ୍ରେଡର୍ଙ୍କ ଉପରେ ରୋକ୍ ଲାଗିବ
ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା କମିବ, ପରୀକ୍ଷା ରିପୋର୍ଟର ତୁରନ୍ତ ତଥ୍ୟ ଦେବେ ଲାବ୍, ହସ୍ପିଟାଲ
ଭୁବନେଶ୍ବର: ରାଜଧାନୀରେ ଏବେ ଦିନକୁ ସରକାରୀ ଓ ବେସରକାରୀସ୍ତରରେ ପ୍ରାୟ ୧୬୦୦ ପରୀକ୍ଷା ହେଉଥିଲେ ହେଁ ସମସ୍ତେ ବିଏମ୍ସିକୁ ବିଳମ୍ବରେ ରିପୋର୍ଟ ଦେଉଛନ୍ତି। ଏପରିକି କେତେକ କ୍ଷେତ୍ରରେ ଯେଉଁ ଦିନ ନମୁନା ସଂଗ୍ରହ ହେଉଛି, ତା’ର ଦୁଇରୁ ତିନି ଦିନ ପରେ ରିପୋର୍ଟ ଆସୁଛି। ଫଳରେ ରିପୋର୍ଟ ମିଳିବା ବେଳକୁ ଆକ୍ରାନ୍ତଜଣଙ୍କ ବହୁ ଲୋକଙ୍କ ସଂସ୍ପର୍ଶରେ ଆସି ଯାଉଛନ୍ତି। କେତେକ ସ୍ଥାନରେ ତ ଆକ୍ରାନ୍ତ ଅଜାଣତରେ ସୁପରସ୍ପ୍ରେଡର୍ ହୋଇଯାଉଛନ୍ତି।
ଆଇସିଏମ୍ଆର୍ ୱେବ୍ସାଇଟ୍ରେ ମିଳିବ ରିଅଲ୍ ଟାଇମ୍ ତଥ୍ୟ
କେବଳ ଏତିକି ନୁହେଁ, ବିଏମ୍ସିକୁ ଏକସଙ୍ଗେ ଶତାଧିକ ଲୋକଙ୍କ ପଜିଟିଭ୍ ରିପୋର୍ଟ ଦିଆଯାଉଥିବାରୁ କଣ୍ଟାକ୍ଟ ଟ୍ରେସିଂ କରିବା ସହଜ ହେଉନି। ଫଳରେ ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବା ବିଳମ୍ବ ହୋଇଯାଉଛି। ଏହା ମଧ୍ୟରେ ଆକ୍ରାନ୍ତ ଓ ତାଙ୍କ ପରିବାରଲୋକ ବା ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ହାଟ ବଜାର ବୁଲି ବହୁ ଲୋକଙ୍କ ସଂସ୍ପର୍ଶରେ ଆସି ଯାଉଛନ୍ତି। ଏହାଦ୍ବାରା ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ କ୍ଷେତ୍ରରେ ଭୁଲ୍ ଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲ ଆମ୍ବୁଲାନ୍ସ ଉଠାଇ ନେଉଛି। ଏ ସବୁର ସମାଧାନ ପାଇଁ ବିଏମ୍ସି ଆଜି ରାଜଧାନୀରେ କରୋନା ପରୀକ୍ଷା କରୁଥିବା ୧୧ଟି ହସ୍ପିଟାଲ ଓ ଲାବ୍ କର୍ତ୍ତୃପକ୍ଷଙ୍କୁ ଡାକି ନିର୍ଦ୍ଦେଶନାମା ଜାରି କରିଛି। ଦିନର ଯେତେବେଳେ ଯେଉଁ ନମୁନାର ପରୀକ୍ଷା ସରିବ, ତା’ର ରିପୋର୍ଟ ସଙ୍ଗେ ସଙ୍ଗେ ଆଇସିଏମ୍ଆର୍ ୱେବ୍ସାଇଟ୍ରେ ଅପଲୋଡ୍ କରିବେ। ଶେଷରେ ସଂଧ୍ୟା ୭ଟା ବେଳକୁ ବିଏମ୍ସିକୁ ସବିଶେଷ ରିପୋର୍ଟ ମେଲ୍ କରିବେ। ଏହାଦ୍ବାରା ବିଏମ୍ସି ଦିନତମାମ୍ କଣ୍ଟାକ୍ଟ ଟ୍ରେସିଂ କରିବା ସହ ଆକ୍ରାନ୍ତଙ୍କୁ ସୁବିଧାରେ କୋଭିଡ୍ ହସ୍ପିଟାଲ କିମ୍ବା କୋଭିଡ୍ କେୟାର ହୋମ୍କୁ ସ୍ଥାନାନ୍ତର କରିପାରିବ।
ଆଜି ପୂର୍ବାହ୍ନରେ ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଘରୋଇ ହସ୍ପିଟାଲ ଓ ଲାବ୍ କର୍ତ୍ତୃପକ୍ଷଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଏମ୍ସି ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂକୁ ଆହୁରି ଉନ୍ନତ କରିବା, ସମୟାନୁସାରେ ରିପୋର୍ଟ ପାଇବା, କୋଭିଡ଼୍-୧୯ ନିର୍ଦ୍ଦେଶାବଳି ଯଥା-ବାଧ୍ୟତାମୂଳକ ପଞ୍ଜୀକରଣ (କଣ୍ଟ୍ରୋଲ ଆଣ୍ଡ ରେଗୁଲେସନ୍ ଆକ୍ଟ-୧୯୯୦), ପ୍ରଶିକ୍ଷଣ ପାଇଥିବା କର୍ମୀଙ୍କୁ ନିଯୁକ୍ତି ଦେବା, ଆଇସିଏମ୍ଆର୍ ପୋର୍ଟାଲ୍ରେ ପରୀକ୍ଷଣ ଫଳାଫଳ ଅପ୍ଲୋଡ଼୍ କରିବା, ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ଦାମ୍ ୪୫୦ ଟଙ୍କାରୁ ଯେପରି ଅଧିକ ନହେବ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ପରୀକ୍ଷା ଫଳ ଆଇସିଏମ୍ଆର୍ ୱେବ୍ସାଇଟ୍ cvanalystics.icmr.org.in/log in.phpରେ ରିଅଲ ଟାଇମ୍ ଅନୁସାରେ ଅପଲୋଡ୍ ହେବ। ଯଦି କୌଣସି ଜିଲ୍ଲାରୁ ଆସି ଏଠାରେ କେହି ଟେଷ୍ଟ୍ କରାଉଛନ୍ତି, ତେବେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନଙ୍କୁ ଏହି ରିପୋର୍ଟ ର ସୂଚନା ପଠାଯିବ। ଯଦି ବିଏମ୍ସି ଅଞ୍ଚଳରେ କେହି ପରୀକ୍ଷା କରାଉଥିବେ, ତେବେ [email protected]କୁ ପଠାଇବେ। ସେହିପରି କୌଣସି ପଜିଟିଭ୍ ବ୍ୟକ୍ତି ଯଦି ବିଏମ୍ସି ଅଞ୍ଚଳର ନହୋଇ ଅନ୍ୟ ଜିଲ୍ଲାର ହୋଇଥିବେ କିନ୍ତୁ ଏଠାରେ ଚିକିତ୍ସିତ ହେଉଥିବେ, ତେବେ ବିଏମ୍ସିକୁ ଏନେଇ ସୂଚନା ଦିଆଯିବ। କାରଣ ତାଙ୍କର ଦେଖାଶୁଣା କରିବା ଦାୟିତ୍ବ ବିଏମ୍ସିର। ଏହାସହ ସମସ୍ତ ପ୍ରକାରର ଟେଷ୍ଟିଂ ଫଳାଫଳ ସଂଧ୍ୟା ୭ଟା ସୁଦ୍ଧା ବିଏମ୍ସିରେ ପହଞ୍ଚିବା ଦରକାର ବୋଲି କୁହାଯାଇଛି। ଆଜିର ବୈଠକରେ ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସିବିଏସ୍ଏନ୍ ରାଓ, କ୍ୟାପିଟାଲ ହସ୍ପିଟାଲ ଡେପୁଟି ସୁପରିନ୍ଟେଣ୍ଡେଣ୍ଟ ଡାକ୍ତର ଧନଞ୍ଜୟ ଦାଶ, ଡେପୁଟି କମିସନର୍ ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।