ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ ବିଏମ୍‌ସିର ନୂଆ ଅଫିସ୍‌: ସ୍ଥିତି ଅନୁଧ୍ୟାନ କଲେ କମିସନର

ଭୁବନେଶ୍ବର, ୭।୨ (ଇମିସ): ସତ୍ୟନଗର ଶ୍ମଶାନ ସମ୍ମୁଖରେ ବିଏମ୍‌ସିର ନୂଆ ମୁଖ୍ୟାଳୟ ସହ ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର୍‌ (ଆଇସିଓଏମ୍‌ସି) ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ। ୨୦୨୧ ସୁଦ୍ଧା ଏହା ସରିବାକୁ ଥିଲା, କିନ୍ତୁ ଗୋଟିଏ ବର୍ଷ ବିଳମ୍ବ ହୋଇଛି। ଏହାର କାମ ସରିବା ପରେ ଆଜି ବିଏମ୍‌ସି କମିସନର ସଞ୍ଜୟ ସିଂହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସନ୍ଧ୍ୟାରେ ପ୍ରାୟ ୩ ଘଣ୍ଟା ଧରି ପ୍ରତ୍ୟେକ ମହଲା ବୁଲିବା ସହ ପାର୍କିଂ, ପ୍ରବେଶ ଓ ପ୍ରସ୍ଥାନ ପଥ ଯାଞ୍ଚ କରିଛନ୍ତି। ଅନୁଧ୍ୟାନ କରିବା ପରେ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ସେ ସୂଚନା ଦେଇଛନ୍ତି। କୋଠାର ଉଦ୍‌ଘାଟନ ବାବଦରେ ସୂଚନା ଦେଇନଥିଲେ ମଧ୍ୟ ସହିଦନଗର ବହୁତଳ ପାର୍କିଂସ୍ଥଳ ସହ ଏହି କୋଠାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ, ୧୧ ମହଲା ବିଶିଷ୍ଟ ଏହି କୋଠାକୁ ୭୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ ନିର୍ମାଣ କରିଛି। ଏହା ରାଜଧାନୀର ସବୁଠୁ ଆକର୍ଷଣୀୟ ସରକାରୀ ଅଫିସ୍‌ ହେବାକୁ ଯାଉଛି। ୪.୦୪ ଏକର ଜମିରେ ନିର୍ମାଣ ହେଉଥିବା ବିଏମ୍‌ସି-ଆଇସିଓଏମ୍‌ସିର କାର୍ଯ୍ୟାଳୟ କୋଠା ୨ଲକ୍ଷ ୧୯ହଜାର ୨୪୦ ବର୍ଗଫୁଟ୍‌ ଅଞ୍ଚଳର ହୋଇଛି। ଏଠାରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ସହ ଗ୍ରାଉଣ୍ଡ ଫ୍ଲୋର୍‌ରେ ବିଏମ୍‌ସି କାର୍ଯ୍ୟାଳୟ ରହିଛି। ଇ‌ଣ୍ଟେଲିଜେଣ୍ଟ ସିଟି ଅପରେସନ୍ ଆଣ୍ଡ ‌ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମ୍‌ସି) କାର୍ଯ୍ୟାଳୟ ପ୍ରଥମ, ଦ୍ବିତୀୟ ଓ ତୃତୀୟ ମହଲାରେ ରହିଛି। ବିଏମ୍‌ସି କମିସନରଙ୍କ ଚାମ୍ବର ୪ର୍ଥ ମହଲାରେ ରହିଛି। କୋଠାକୁ ଆକର୍ଷଣୀୟ କରିବା ପାଇଁ ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ବଡ଼ କନ୍‌ଫରେନ୍ସ ହଲ୍‌, ପ୍ରତୀକ୍ଷାଳୟ, କ୍ୟାଣ୍ଟିନ୍ ପ୍ରଭୃତି ଭିତରେ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନର ବିଏମ୍‌ସି ମୁଖ୍ୟାଳୟକୁ ଦକ୍ଷିଣ-ପୂର୍ବ ଜୋନ୍‌ କାର୍ଯ୍ୟାଳୟ କରାଯିବାକୁ ଯୋଜନା ଥିଲେ ମଧ୍ୟ ଏହାକୁ ଅନ୍ୟ ଏକ ସରକାରୀ ସଂସ୍ଥାକୁ ଦିଆଯିବା ନେଇ ଯୋଜନା ହେଉଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନର ପୂର୍ତ୍ତ ସଚିବ ତଥା ପୂର୍ବତନ ବିଏମ୍‌ସି କମିସନର କ୍ରିଷନ କୁମାର ବହୁ ସ୍ଥାନରେ ଜାଗା ଚିହ୍ନଟ କରିବା ପରେ ଏହି ଜାଗା ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ଡିଜାଇନ୍ ଚୂଡ଼ାନ୍ତ ରୂପ ନେବାକୁ ବହୁ ଦିନ ଲାଗିଲା। ଏହା ପରେ କାମ ଆରମ୍ଭ ହେବାକୁ ୬ ମାସ ଲାଗିଗଲା। ୨୦୧୯ ଜୁନ୍‌ରେ ଏହି କୋଠାର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସରିବାକୁ ଦୁଇବର୍ଷ ଧାର୍ଯ୍ୟ ହୋଇଥିଲା। ହେଲେ ଜଣଙ୍କ ପରେ ଜଣେ ୪କମିସନରଙ୍କ କମ୍‌ ସମୟ ବ୍ୟବଧାନରେ ବଦଳି ହୋଇଥିଲା। କାମ ଆରମ୍ଭ ହେବା ପୂର୍ବରୁ କ୍ରିଷନ କୁମାର ଯାଇଥିବା ବେଳେ ଏହା ପରେ ଆସିଥିବା ଶୁଭମ୍ ସକ୍ସେନା ମଧ୍ୟ କମ୍‌ ଦିନ ରହିଥିଲେ। ଏହା ପରେ କମିସନର ଦାୟିତ୍ବ ନେଇଥିଲେ ବର୍ତ୍ତମାନର ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା। ତେବେ ସେ ଏହାର ନିର୍ମାଣ ପାଇଁ ଉଦ୍ୟମ କରିଥିଲେ। ତାଙ୍କ କାଳରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ନିର୍ମାଣ ହେଉ ହେଉ ତାଙ୍କର ବି ବଦଳି ହେଲା। ଏହାପରେ ଆସିଥିଲେ ପ୍ରେମଚନ୍ଦ୍ର ଚୌଧରୀ। ତାଙ୍କ କାର୍ଯ୍ୟକାଳ‌ରେ ବି କାମ ସରି ପାରିନଥିଲା।

ସମ୍ବନ୍ଧିତ ଖବର