କରୋନା ମୁକାବିଲା ପାଇଁ ବିଏମ୍ସିର ନୂଆ ରଣନୀତି : ଆରମ୍ଭ ହେବ ସମ୍ପର୍କ ବୈଠକ
ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିବ
ଭୁବନେଶ୍ୱର : ରାଜଧାନୀରେ କରୋନା ଏବେ ଉପରମୁହାଁ ହୋଇଛି। ନିୟମିତ ପ୍ରାୟ ୫୦୦ ଆକ୍ରାନ୍ତ ବାହାରୁଛନ୍ତି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। ସ୍ଥିତି ସଙ୍ଗିନ ହେବାର ଆଶଙ୍କା ଅଛି। ତେଣୁ କରୋନା ମୁକାବିଲା ପାଇଁ ବିଏମ୍ସି ନୂଆ ରଣନୀତି ପ୍ରସ୍ତୁତ କରିଛି। ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ସହ ବୈଠକ କରି ସଚେତନ କରିବ, ଲୋକଙ୍କ ମତାମତ ଗ୍ରହଣ କରି ପଦକ୍ଷେପ ନେବ। ଏଥିପାଇଁ ସୋମବାରଠାରୁ ‘ସମ୍ପର୍କ’ ବୈଠକ କରିବ।
ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଏହି ବୈଠକ ବିଏମ୍ସିର ତିନିଟି ୱାର୍ଡରେ ହେବ। ଏଥିରେ ବିଏମ୍ସିର ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ବି ଯୋଗ ଦେବେ। ଏହି ସମ୍ପର୍କ ବୈଠକର ଲକ୍ଷ୍ୟ ହେଉଛି ଲୋକଙ୍କ ପାଖରେ ପହଞ୍ଚି ତାଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରିବା, ସମସ୍ତ ନିୟମାବଳି ବିଷୟରେ ଜଣାଇବା, ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା ନେଇ ସଚେତନ କରିବା। ଏହାବାଦ୍ ସେମାନେ ବିଏମ୍ସିଠାରୁ କି’ ପ୍ରକାରର ସହଯୋଗ ଚାହୁଛନ୍ତି, ବିଏମ୍ସି ପକ୍ଷରୁ ନିଆଯାଉଥିବା ପଦକ୍ଷେପରେ କୌଣସି ପ୍ରକାରର ତ୍ରୁଟି ରହୁଛି କି, ସେ ବିଷୟରେ ମତାମତ ସଂଗ୍ରହ କରାଯିବ।
ଏହି ବୈଠକରେ ବିଭିନ୍ନ ଅଞ୍ଚଳର ପ୍ରମୁଖ ଲୋକ, ଆବାସିକ କଲ୍ୟାଣ ସଂଘ, ପୂଜା କମିଟି, ମାର୍କେଟ ସଂଘ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସମାଜସେବୀ, ବସ୍ତି ପିଅର୍ ଲିଡର ପ୍ରମୁଖ ଯୋଗଦେବେ।
ଏନେଇ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଏବେ କୌଣସି ପ୍ରକାରର କଟକଣା ନାହିଁ, ସବୁ ଖୋଲି ଯାଇଥିବାରୁ ଲୋକଙ୍କୁ ସଚେତନ ହେବାକୁ ପଡ଼ିବ। ଦୈନନ୍ଦିନ ଜୀବନରେ କିପରି ପରିବର୍ତ୍ତନ ଆଣିଲେ ସେମାନେ କରୋନାଠାରୁ ଯଥାସମ୍ଭବ ଦୂରରେ ରହିବେ, ସେନେଇ ଆମେ ସଚେତନ କରିବୁ। ସବୁବର୍ଗର ଲୋକଙ୍କ ମତାମତ ସଂଗ୍ରହ କରି ଆମେ ଆମ ସେବାରେ ଆବଶ୍ୟକ ପରିବର୍ତ୍ତନ ଆଣିବୁ। ଦକ୍ଷିଣ-ପୂର୍ବ ଜୋନ୍ରେ ସୋମବାରରୁ ରବିବାର ମଧ୍ୟରେ ଯଥାକ୍ରମେ ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ, ଏକାମ୍ର କଲେଜ, ବିଏମ୍ସି ଭବାନୀ ଏନକ୍ଲେଭ୍, ୟୁନିଟ-୨ ମାର୍କେଟ ବିଲ୍ଡିଂ, ସହିଦନଗର କଲ୍ୟାଣ ମଣ୍ଡପ, ସହିଦନଗର ପୂଜାମଣ୍ଡପ, ଏସ୍ପ୍ଲାନେଡ୍ ୱାନ୍ ମଲ୍ରେ ବୈଠକ ହେବ। ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍ରେ ବରମୁଣ୍ଡା ଗୋଷ୍ଠୀକେନ୍ଦ୍ର, ଖଣ୍ଡଗିରି ବାରି, ୱାର୍ଡ-୧୫ ଡେ’ କେୟାର ସେଣ୍ଟର, କସ୍ମୋପଲିସ, ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟରରେ ହେବ। ଉତ୍ତର ଜୋନ୍ରେ ଇନ୍ଫୋସିଟି ଗ୍ରିନ୍ ଆପାର୍ଟମେଣ୍ଟ, ୱାର୍ଡ-୧୪ ୱାର୍ଡ ଅଫିସ, ଭିଏସ୍ଏସ୍ ନଗର କଲ୍ୟାଣ ମଣ୍ଡପ, ଦ ହାବିଟାଟ୍, ଲୟୋଲା ସ୍କୁଲ, କ୍ଲବ୍ ଟାଉନ୍ରେ ସୋମବାରଠାରୁ ଶନିବାର ମଧ୍ୟରେ ବୈଠକଗୁଡ଼ିକ ଅନୁଷ୍ଠିତ ହେବ। ତିନିଜୋନ୍ର ଡେପୁଟି କମିସନରମାନେ ଏହି ବୈଠକ ଆୟୋଜନ କରିବେ।