ଭୁବନେଶ୍ୱର : ବିଏମ୍ସିର ୯ଟି ଷ୍ଟାଣ୍ଡିଂ କମିଟି ପାଇଁ ଆଜି ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। କୌଣସି ବି କମିଟି ପାଇଁ ଏକାଧିକ ନାମାଙ୍କନପତ୍ର ଦାଖଲ ନ ହେବାରୁ ସମସ୍ତ ପ୍ରାର୍ଥୀ ଅପ୍ରତିଦ୍ବନ୍ଦ୍ବୀ ଭାବେ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ପବ୍ଲିକ ୱାର୍କସ କମିଟିରେ ଅମରେଶ ଜେନା ଅଧ୍ୟକ୍ଷ ହୋଇଥିବା ବେଳେ ଜନସ୍ବାସ୍ଥ୍ୟ, ବିଦ୍ୟୁତ୍, ପାନୀୟ ଜଳ, ଡ୍ରେନେଜ୍ ଓ ପରିବେଶ କମିଟିରେ ବିରଞ୍ଚି ନାରାୟଣ ମହାସୂପକାର, ପ୍ଲାନିଂ ଆଣ୍ଡ୍ ଡେଭଲ୍ପମେଣ୍ଟ କମିଟିରେ ଶ୍ରୀଧର ଜେନା, କର୍ପୋରେସନ୍ ଏଷ୍ଟାବ୍ଲିସ୍ମେଣ୍ଟ କମିଟିରେ କୁମାରେନ୍ଦ୍ର ମହାପାତ୍ର, ଅଭିଯୋଗ ଓ ସାମାଜିକ ନ୍ୟାୟ କମିଟିରେ ବିନୟିନୀ ଜେନା, ସ୍ଲମ୍ ରିସେଟେଲ୍ମେଣ୍ଟ ଅତିରିକ୍ତ ଷ୍ଟାଣ୍ଡିଂ କମିଟିରେ ମହାମାୟା ସ୍ବାଇଁ, ଟ୍ୟାକ୍ସ, ଫାଇନାନ୍ସ ଓ ଆକାଉଣ୍ଟସ୍ କମିଟିରେ ପ୍ରୀତିନନ୍ଦା ରାଉତରାୟ, ଲାଇସେନ୍ସ୍ ଓ ଅପିଲ୍ସ୍ କମିଟିରେ ପ୍ରେମାନନ୍ଦ ଜେନା, ଶିକ୍ଷା, ଚିତ୍ତ ବିନୋଦନ ଓ ସଂସ୍କୃତି କମିଟିରେ ମିହିର କୁମାର ରାଉତ ରହିଛନ୍ତି। ଏ ସମସ୍ତେ ଡେପୁଟି ମେୟର୍ ପଦ ପାଇଁ ଆଶାୟୀ ଥିଲେ। କିନ୍ତୁ ମହିଳାଙ୍କୁ ଡେପୁଟି ମେୟର ପଦ ଦେବା ପରେ ଏମାନଙ୍କୁ ଏହି ଅଧ୍ୟକ୍ଷ ପଦରେ ସନ୍ତୁଷ୍ଟ କରାଯାଇଥିବା କୁହାଯାଉଛି। ତେବେ ଅଭିଯୋଗ ଓ ସାମାଜିକ ନ୍ୟାୟ କମିଟି ଅଧ୍ୟକ୍ଷ ପାଇଁ ଦାବିଦାର ଥିବା ନୃପେଶ ନାୟକ ସୁଯୋଗ ପାଇନାହାନ୍ତି।
ଅପରପକ୍ଷେ ଶିକ୍ଷା, ଚିତ୍ତ ବିନୋଦନ ଓ ସଂସ୍କୃତି କମିଟି ଅଧ୍ୟକ୍ଷ ପାଇଁ ୨୯ନମ୍ବର ୱାର୍ଡର ଅପରୂପ ନାରାୟଣ ରାଉତ ନାମାଙ୍କନ କରିଥିଲେ। କିନ୍ତୁ ତାଙ୍କ ନାମାଙ୍କନ ଗ୍ରହଣ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ପୂର୍ବାହ୍ନ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିବାର ଥିଲା। ମୁଁ ୧୦ଟା ୫୫ ମିନିଟ୍ ବା ଧାର୍ଯ୍ୟ ସମୟର ୫ ମିନିଟ୍ ପୂର୍ବରୁ ନାମାଙ୍କନ ଦାଖଲ କରିଥିଲି। କିନ୍ତୁ ୧୧ଟା ୧୦ରେ ଜଣେ କର୍ମଚାରୀ ନାମାଙ୍କନପତ୍ର ଫେରାଇ ଦେଇ କହିଲେ, ‘ଆମକୁ ନୁହେଁ, ମାଡାମ୍(ମେୟର)ଙ୍କୁ ଦିଅ।’ ମୁଁ ୧୧ଟା ୧୦ ମିନିଟ୍ରେ ଦାଖଲ କରିବା ବେଳେ ସମୟ ଚାଲି ଯାଇଥିବା କହି ଗ୍ରହଣ କରିନଥିଲେ। ଏଥିରେ ଆମର ସମର୍ଥନ ଅଧିକ ଥିଲା। ନାମାଙ୍କନ ଦାଖଲ ହୋଇଥିଲେ ବିଜେଡି କର୍ପୋରେଟରଙ୍କୁ ଅଧ୍ୟକ୍ଷ ସୁଯୋଗ ମିଳିନଥା’ନ୍ତା। ଏଣୁ ଜାଣିଶୁଣି ଏଭଳି କାରବାର ହୋଇଥିବା ସେ ଅଭିଯୋଗ କରିଛନ୍ତି। ସମସ୍ତ କମିଟିର ଅଧ୍ୟକ୍ଷ ବିଜେଡି କର୍ପୋରେଟର୍ ରହିଛନ୍ତି। ଏଣୁ ଦୁର୍ନୀତି ହେବା ଜଳଜଳ ଦିଶୁଛି ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ପବ୍ଲିକ ୱାର୍କସ୍ କମିଟି ଅଧ୍ୟକ୍ଷ ଅମରେଶ ଜେନା କହିଛନ୍ତି, ପ୍ରତ୍ୟେକ କମିଟିରେ ସଦସ୍ୟ ଭାବେ ଅନ୍ୟ ଦଳ ଓ ସ୍ବାଧୀନ କର୍ପୋରରେଟର୍ ଅଛନ୍ତି। ଏଣୁ ଦୁର୍ନୀତି ଜଗିବାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ନାହିଁ। ଭୁବନେଶ୍ବରକୁ ବିଶ୍ବସ୍ତରୀୟ କରିବା ତଥା ହାତପାଆନ୍ତାରେ ସେବା ଉପଲବ୍ଧ କରିବା ପାଇଁ ଆମେ ନିରନ୍ତର ପ୍ରଚେଷ୍ଟା କରିବୁ। ଏଥିପାଇଁ ରାଜନୀତି ନ କରି ସହଯୋଗ କରିବା ଜରୁରୀ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ବିଏମ୍ସିରେ ୧୦ଟି ଷ୍ଟାଣ୍ଡିଂ କମିଟି ରହିଛି। କଣ୍ଟ୍ରାକ୍ଟ୍ସ୍ କମିଟିରେ ମେୟର୍ ଅଧ୍ୟକ୍ଷ ରହିଥିବାରୁ ବାକି ୯ଟି ପାଇଁ ଆଜି ବିଏମ୍ସି କନ୍ଫରେନ୍ସ ହଲ୍ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମେୟର୍ ସୁଲୋଚନା ଦାସ, କମିସନର୍ ସଞ୍ଜୟ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଶେଷ ହୋଇଥିଲା।