ବିଏମ୍‌ସିର ଅପରେସନ୍‌ ବିବାହ ମଣ୍ଡପ: ୩ ସଂସ୍ଥାକୁ ୫୫ ହଜାର ଜରିମାନା, ୫ଟିକୁ କାରଣ ଦର୍ଶାଅ ନୋଟିସ୍‌

ଚନ୍ଦ୍ରଶେଖରପୁର: କୋଭିଡ୍‌ ସଂକ୍ରମଣକୁ ନଜରରେ ରଖି ବିବାହ ଉପରେ କଟକଣା ଲାଗିଛି। ମାତ୍ର ୨୦ ଜଣ ସାମିଲ ହୋଇପାରିବେ ବୋଲି ନିୟମ କରାଯାଇଛି। ତା’ପରେ ବି ଅମାନିଆ ନିୟମ ମାନୁ ନାହାନ୍ତି। ବିବାହ ପାଇଁ ଅନୁମତି ପାଇବା ପରେ ସମସ୍ତ କଟକଣା ଭୁଲି ଯାଉଛନ୍ତି। ୨୦ ଜଣଙ୍କ ପାଇଁ ଅନୁମତି ନେଇ ୨୦୦ ଲୋକ ଗୋଟିଏ ସ୍ଥାନରେ ଏକାଠି ହେଉଛନ୍ତି। କାହା ମୁହଁରେ ମାସ୍କ ରହୁନି। ସାମାଜିକ ଦୂରତାକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି। ଗୋଟିଏ କି ଦୁଇଟି ନୁହେଁ, ଆଜି ବିବାହ ତିଥି ଥିବାରୁ ରାଜଧାନୀର ଅଧିକାଂଶ ମଣ୍ଡପରେଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ କଟକଣା ପାଳନ ହେଉ ନ ଥିବା ନେଇ ଅଭିଯୋଗ ହେବା ପରେ ବିଏମ୍‌ସିର ଉତ୍ତର ଜୋନ‌୍‌ ପକ୍ଷରୁ ପଟିଆ, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର ପ୍ରଭୃତି ଅଞ୍ଚଳରେ ଥିବା ମଣ୍ଡପ ଉପରେ ଚଢ଼ଉ କରାଯାଇଥିଲା। ଅପରେସନ୍‌ ବିବାହ ମଣ୍ଡପ ଜରିଆରେ ଅପରାହ୍ନରେ ବିଏମ୍‌ସି ସ୍କ୍ବାଡ୍‌ ୧୦ରୁ ଅଧିକ ମଣ୍ଡପ ଉପରେ ଚଢ଼ଉ କରି ୫ଟି ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ସହ ୩ଟି ସଂସ୍ଥାକୁ ୫୫ ହଜାର ଟଙ୍କାର ଜରିମାନା କରିଛି।

ବିଏମ୍‌ସି ଉତ୍ତର ଜୋନ୍‌ ଡେପୁଟି କମିସନର ପୁରନ୍ଦର ନନ୍ଦ କହିଛନ୍ତି ଯେ ବିବାହ ତିଥି ଥିବାରୁ ଆଜି ସହରର ବିଭିନ୍ନ ମଣ୍ଡପରେ ଭିଡ଼ ହୋଇଥିବା ଖବର ପାଇଥିଲୁ। ତାହାକୁ ଆଧାର କରି ଅପରାହ୍ନରେ ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ ୧୦ରୁ ଅଧିକ ମଣ୍ଡପରେ ଚଢ଼ଉ କରିଥିଲା। କଟକଣା ପାଳନ ହେଉ ନ ଥିବାରୁ ୫ଟି ସଂସ୍ଥାକୁ କାରଣଦର୍ଶାଅ ନୋଟିସ୍‌ ଦେଇଛୁ। ଆବଶ୍ୟକ ପଡ଼ିଲେ ସିଲ୍‌ କରାଯିବ। ୩ଟି ସଂସ୍ଥା ଉପରେ ୫୫ ହଜାର ଜରିମାନା କରିଛୁ। କୋଭିଡ୍‌ କଟକଣା ପାଳନ କରୁ ନ ଥିବାରୁ ପୂର୍ବରୁ ଅପରେସନ୍‌ ଟି’ ଷ୍ଟଲ୍‌ ଓ ୱାଇନ୍‌ ସପ୍‌ ହୋଇଥିଲା। ଆଜି ଅପରେସନ ବିବାହ ମଣ୍ଡପ ହୋଇଛି। ଆଗକୁ ଏହି ଚଢ଼ଉକୁ ଜୋର୍‌ଦାର କରାଯିବ।

ସମ୍ବନ୍ଧିତ ଖବର