ଭୁବନେଶ୍ବର, ୨୫/୭ (ଇମିସ): ଅକ୍ଟ୍ରାଇ ଟିକସ ବାବଦକୁ ଆଦାୟ କରିଥିବା ୩୦ ଲକ୍ଷ ଟଙ୍କା ବିଏମ୍ସି ୨୩ ବର୍ଷ ପରେ ସମ୍ପୃକ୍ତ ଘରୋଇ ସଂସ୍ଥାକୁ ଫେରାଇ ଦେଇଛି। ୨୨ ବର୍ଷ ଧରି ପକ୍ଷ ନ ରଖିବାରୁ ଆଦେଶ ବିଏମ୍ସି ବିପକ୍ଷରେ ଯାଇଛି। ୨୨ ବର୍ଷ ଧରି ଯାହା ହୋଇପାରୁନଥିଲା ବିଏମ୍ସି ଅଧିକାରୀମାନେ ମାତ୍ର ତିନି ଦିନରେ କରିଛନ୍ତି। ଆଦେଶ ହେବା ମାତ୍ରେ ୨୨ ବର୍ଷ ଧରି ପଡ଼ି ରହିଥିବା ଫାଇଲ୍ ରକେଟ୍ ବେଗରେ ଗତି କରିଛି। ୪ ଦିନ ମଧ୍ୟରେ ସମ୍ପୃକ୍ତ ସଂସ୍ଥାକୁ ଟଙ୍କା ଫେରାଇ ଦିଆଯାଇଛି। ଏବେ ପ୍ରଶ୍ନ ଉଠୁଛି, କିଏ ଫାଇଲ୍ ଚାପି ରଖିଥିଲା? କାହିଁକି କୋର୍ଟରେ ମାମଲାର ଉତ୍ତର ରଖାଗଲା ନାହିଁ? ଉତ୍ତର ନ ରଖିବା ପଛରେ ଅଧିକାରୀମାନଙ୍କର ସ୍ବାର୍ଥ ଥିଲା? ବିଏମ୍ସି ପାଖରେ ଏ ନେଇ ଖବର ଥିଲେ ମଧ୍ୟ ବିଏମ୍ସିର ସ୍ବାର୍ଥରେ ଅଧିକାରୀମାନେ କୋର୍ଟରେ କାହିଁକି ଉପଯୁକ୍ତ କାରଣ ଦେଖାଇଲେ ନାହିଁ? ଏହା ପଛରେ ବଡ଼ କେଳେଙ୍କାରୀ ରହିଥିବା ଚର୍ଚ୍ଚା ଚାଲିଛି।
ପକ୍ଷ ନ ରଖିବାରୁ ୨୨ ବର୍ଷ ପରେ ବିଏମ୍ସି ବିପକ୍ଷରେ ଗଲା
ରକେଟ୍ ବେଗରେ ଗଲା ଫାଇଲ୍, ୪ ଦିନରେ ଫେରାଇ ଦେଲେ ୩୦ ଲକ୍ଷ
ଘରୋଇ ସଂସ୍ଥା ପକ୍ଷରୁ ଲଢ଼ୁଥିବା ଓକିଲ ଏବେ ବିଏମ୍ସିର
ଅଭିଯୋଗକାରୀ ଘରୋଇ ସଂସ୍ଥା ହେଉଛି ରସୁଲଗଡ଼ର ଟାଟା ଆଇରନ୍ ଆଣ୍ଡ ଷ୍ଟିଲ୍ କର୍ପୋରେସନ ଲିମିଟେଡ୍ (ଟିଆଇଏସ୍ସିଏଲ୍)। ସମ୍ପୃକ୍ତ ସଂସ୍ଥା ବାହାରୁ ବିଭିନ୍ନ ଜିନିଷ ଆମଦାନୀ କରୁଥିଲା ଓ ଏଠାରେ ବିଭିନ୍ନ ବଡ଼ ବଡ଼ ସଂସ୍ଥାକୁ ତାହାକୁ ବିକ୍ରି କରୁଥିଲା। ଏହି ଦେଣନେଣ ଉପରେ ଭୁବନେଶ୍ବର ମୁନିସିପାଲିଟି (ଏବେ ବିଏମ୍ସି) ଅକ୍ଟ୍ରାଇ ଟିକସ ହିସାବ କରି ୩୭ ଲକ୍ଷ ୯୩ ହଜାର ୯୪୭ ଟଙ୍କା ପ୍ରଦାନ କରିବାକୁ ୧୯୯୯ ଅଗଷ୍ଟ ମାସ ୩ ତାରିଖରେ ସମ୍ପୃକ୍ତ ସଂସ୍ଥାକୁ ଚିଠି ଲେଖିଥିଲା। ଏହାକୁ ଚାଲେଞ୍ଜ କରି ସମ୍ପୃକ୍ତ ସଂସ୍ଥା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା। ଉଭୟ ପକ୍ଷକୁ ବିଚାର କରି କୋର୍ଟ ଅଭିଯୋଗକାରୀଙ୍କ ବିପକ୍ଷରେ ଅନ୍ତରୀଣ ରାୟ ଦେଲେ। ୩୦ ଲକ୍ଷ ଟଙ୍କା ବିଏମ୍ସି ଖାତାରେ ଜମା କରିବାକୁ ସମ୍ପୃକ୍ତ ସଂସ୍ଥାକୁ ଆଦେଶ ପ୍ରଦାନ କରିବା ସହ ବିଚାର ଶେଷ ପର୍ଯ୍ୟନ୍ତ ଏହି ଅର୍ଥକୁ ବିଏମ୍ସି ତାହାର ନିୟମିତ ବ୍ୟାଙ୍କ୍ ଖାତାରେ ନ ରଖି ଅନ୍ୟ ଏକ ଆକାଉଣ୍ଟରେ ରଖିବା ପାଇଁ କହିଲେ।
ଇତିମଧ୍ୟରେ ୨୨ ବର୍ଷ ବିତିଗଲା। ଭୁବନେଶ୍ବର ମୁନିସିପାଲିଟି ବିଏମ୍ସିରେ ରୂପାନ୍ତରିତ ହେଲା। ୨୨ ବର୍ଷ ପରେ ବା ୨୦୨୧ ମସିହାରେ ପୁଣି ଥରେ ସମ୍ପୃକ୍ତ ସଂସ୍ଥା କୋର୍ଟଙ୍କ ଦ୍ବାରସ୍ଥ ହେଲା ଓ ସେହି ପୁରୁଣା କାରଣ ଦର୍ଶାଇ ବିଏମ୍ସି ଅର୍ଥ ଫେରାଇ ଦେଉ ବୋଲି ପ୍ରାର୍ଥନା କଲା। ଏ ନେଇ ଉତ୍ତର ରଖିବାକୁ ନୋଟିସ୍ ହେଲେ ମଧ୍ୟ ବିଏମ୍ସି ଉପଯୁକ୍ତ କାରଣ ଦେଖାଇ ନିର୍ଦ୍ଦିଷ୍ଟ ସମୟରେ ଉତ୍ତର ରଖିଲାନି। ବିଏମ୍ସି ଉତ୍ତର ନ ରଖିବାରୁ ବିଏମ୍ସି ବିପକ୍ଷରେ ଆଦେଶ ହେଲା। ଯେଉଁ ହାଇକୋର୍ଟ ବିଏମ୍ସି ସପକ୍ଷରେ ଆଦେଶ ଦେଇଥିଲେ ସେହି ହାଇକୋର୍ଟ ୨୦୨୧ ଫେବ୍ରୁଆରି ୧୫ ତାରିଖରେ ତୁରନ୍ତ ଅର୍ଥ ଫେରାଇବାକୁ ବିଏମ୍ସିକୁ ଆଦେଶ ଦେଲେ। ଏପରିକି ୨୦୨୧ ଅପ୍ରେଲ ୧୯ ତାରିଖରେ ଅର୍ଥ ନ ଫେରାଇଲେ ୬ ପ୍ରତିଶତ ସୁଧସହ ଫେରାଇବ ବୋଲି ଆଦେଶ ହେଲା। କିନ୍ତୁ ବିଏମ୍ସି ନା ଅର୍ଥ ଫେରାଇଲା ନା ଉପଯୁକ୍ତ କାରଣ ଦେଖାଇ ଅର୍ଥ ନ ଫେରାଇବାକୁ ଯୁକ୍ତି ବାଢ଼ିଲା। ଏଣୁ ସମୟ ଗଡ଼ିଯିବାରୁ କାହିଁକି କୋର୍ଟ ଅବମାନନା ମାମଲା ରୁଜୁ ହେବ ନାହିଁ ତାହାର କାରଣ ଦର୍ଶାଇବା ପାଇଁ ତତ୍କାଳୀନ କମିସନର ସଞ୍ଜୟ ସିଂହଙ୍କୁ ହାଇକୋର୍ଟ ନୋଟିସ୍ କଲେ। ୨୦୨୨ ନଭେମ୍ବର ୧୪ ସୁଦ୍ଧା ଏ ନେଇ ଉତ୍ତର ରଖିବାକୁ କୁହାଗଲା। କିନ୍ତୁ ସେହି ବର୍ଷ ଜୁନ୍ ମାସରୁ ସଞ୍ଜୟ ସିଂହଙ୍କର ବିଏମ୍ସିରୁ ବଦଳି ହୋଇ ସାରିଥିଲା। ବର୍ତ୍ତମାନର କମିସନର ବିଜୟ ଅମୃତା କୁଲାଙ୍ଗେ ଦାୟିତ୍ବ ନେଇ ସାରିଥିଲେ।
ଏହା ପରେ ବିଏମ୍ସି ଅଧିକାରୀମାନଙ୍କର ଖେଳ ଆରମ୍ଭ ହେଲା। ୨୦୨୨ ଅଗଷ୍ଟ ୨୪ ତାରିଖରେ ତତ୍କାଳୀନ ଡେପୁଟି କମିସନର (ଲିଗାଲ୍) ପ୍ରମୋଦ ପୃଷ୍ଟି ପ୍ରସ୍ତାବ ଦେଲେ, କାଳେ ବିଏମ୍ସି ବିପକ୍ଷରେ କିଛି ଆଦେଶ ହୋଇଯିବ ତେଣୁ ଏହି ଅର୍ଥ ତୁରନ୍ତ ଆବେଦନକାରୀଙ୍କୁ ଫେରାଇ ଦିଆଯାଉ। ଏ ନେଇ ସିଏଫ୍ଓ (ମୁଖ୍ୟ ବିତ୍ତ ଅଧିକାରୀ)ଙ୍କୁ ଉପଯୁକ୍ତ ଆଦେଶ ଦିଆଯାଉ। ଏହି ପ୍ରସ୍ତାବର ଦୁଇଦିନ ପରେ ବା ୨୬ ତାରିଖରେ ତତ୍କାଳୀନ ଅତିରିକ୍ତ କମିସନର ବିନୟ କୁମାର ଦାସ ପ୍ରସ୍ତାବ ଦେଲେ କି ୨୦୨୧ ଫେବ୍ରୁଆରି ୧୫ ତାରିଖ ଆଦେଶର ବିଏମ୍ସି ଉତ୍ତର ନ ରଖିବାରୁ ଏଭଳି ଆଦେଶ ହୋଇଛି। ଏଣୁ ଘରୋଇ ସଂସ୍ଥାର ଦାବି ମୁତାବକ ଅର୍ଥ ଫେରାଇବାକୁ ସିଏଫ୍ଓଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଦିଆଯାଉ ବୋଲି ସେ କମିସନରଙ୍କୁ ପ୍ରସ୍ତାବ ଦେଲେ। ଏହାର ଠିକ୍ ଦୁଇ ଦିନ ପରେ ୨୮ ତାରିଖରେ କମିସନର ବିଜୟ ଅମୃତା କୁଲାଙ୍ଗେ ଏହି ପ୍ରସ୍ତାବକୁ ସ୍ବୀକୃତି ଦେଲେ। ଏବଂ ତୁରନ୍ତ ସମ୍ପୃକ୍ତ ସଂସ୍ଥାକୁ ଅର୍ଥ ପ୍ରଦାନ କରି ଦିଆଗଲା। ମୋଟା ଅଙ୍କର ଅର୍ଥ(୩୦ ଲକ୍ଷ ଟଙ୍କା) ହୋଇଥିଲେ ମଧ୍ୟ ଏହାକୁ ବିଏମ୍ସିର ରାଜସ୍ବ ଭାବରେ ରଖିବାକୁ ଅଧିକାରୀମାନେ ଯତ୍ନବାନ ହେଲେ ନାହିଁ। ଏଥିପାଇଁ ଲକ୍ଷଲକ୍ଷ ଟଙ୍କା କାରବାର ହୋଇଥିବା ଚର୍ଚ୍ଚା ହୋଇଥିଲା। ଏହି ଘଟଣା ପରେ ପରେ ସମ୍ପୃକ୍ତ ଘରୋଇ ସଂସ୍ଥାର ଓକିଲ ବିଏମ୍ସି ‘ଲୟର ପ୍ୟାନେଲ୍’ରେ ସ୍ଥାନ ପାଇଲେ। ଘଟଣାର ତଦନ୍ତ ହେଲେ ଏହା ପଛରେ ଥିବା ଅଧିକାରୀମାନଙ୍କ ମୁଖା ଖୋଲିବ ବୋଲି କୁହାଯାଉଛି।