ଅବସର ନେଇଗଲେଣି, ଫାଇଲ୍ ଫେରାଇ ନାହାନ୍ତି କର୍ମଚାରୀ
ଚାକିରିରେ ଥାଇ ବି ରଖିଛନ୍ତି, କର୍ତ୍ତୃପକ୍ଷ ଆଣିପାରୁନାହାନ୍ତି
ଭୁବନେଶ୍ବର : ବିଏମ୍ସିରେ ୫୪ କୋଟି ଟଙ୍କାର ଭାଉଚର ଉଭାନ୍ ଘଟଣାରେ ତନାଘନା ଆରମ୍ଭ ହୋଇଛି। କେଉଁଠି ରହିଲା ଫାଇଲ୍? କିଏ ଜାଣି ଜାଣି ରଖିଛି ନା ୫୪ କୋଟି ହଡ଼ପ କରିନେଇ ଭାଉଚର ଚିରି ଦେଇଛି? ଏ ସବୁର ତନାଘନା କଲା ବେଳେ ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିଛି। ବିଏମ୍ସିରୁ କର୍ମଚାରୀମାନେ ବଦଳି ହୋଇଛନ୍ତି। ହେଲେ ଫାଇଲ୍ ନେଇ ପଳାଇଛନ୍ତି, ହସ୍ତାନ୍ତର କରିନାହାନ୍ତି। ଜଣେ ମୁଖ୍ୟ ସହକାରୀ ଅବସର ନେଇଗଲେଣି, କିନ୍ତୁ ଫାଇଲ୍ ହସ୍ତାନ୍ତର କରିନାହାନ୍ତି। ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜେ କମିସନର୍ ଲୋକାୟୁକ୍ତଙ୍କୁ ଲେଖି ଜଣାଇଛନ୍ତି। ଘଟଣାକୁ ବର୍ଷେ ପୂରିଗଲାଣି। ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ଫାଇଲ୍ ଆଣିବାକୁ କର୍ତ୍ତୃପକ୍ଷ ସାହସ ଜୁଟାଇ ପାରୁନାହାନ୍ତି। କ’ଣ ଏମିତି ଫାଇଲ୍ରେ ଅଛି ଯେ, ନା କର୍ମଚାରୀ ଫେରାଉଛନ୍ତି ନା ଅଧିକାରୀ ଫାଇଲ୍ ଆଣିବା ପାଇଁ ବାଟ କାଢ଼ୁଛନ୍ତି?
୨୦୧୨ ରୁ ୨୦୧୭ ମସିହା ପର୍ଯ୍ୟନ୍ତ ୫ ବର୍ଷର ଅଡିଟ୍ କଲା ବେଳେ ଲୋକାଲ୍ ଫଣ୍ଡ ଅଡିଟ୍ ବିଏମ୍ସିର ଅନେକ ଆର୍ଥିକ ଅନିୟମିତତା ଉପରେ ପ୍ରଶ୍ନ ଉଠାଇଥିଲେ। ସେଥିରେ ଥିଲା ଇଞ୍ଜିନିୟରିଂ ସେକ୍ସନର ୫୪ କୋଟିର ଭାଉଚର ଉଭାନ୍ ଘଟଣା। ଏଥିରେ ଇଞ୍ଜିନିୟରିଂ ଉପବିଭାଗର ଦୁଇଟି ଡିଭିଜନ୍ର ଫାଇଲ୍ ରହିଥିଲା। ଡିଭିଜନ୍-୧ରେ ୨୩୩ ଫାଇଲ୍ରୁ ୧୯୮ ଫାଇଲ୍ ଦାଖଲ ହୋଇଥିଲା। ଡିଭିଜନ୍-୨ରେ ୨୫୭ ଫାଇଲ୍ରୁ ୧୫୨ ଫାଇଲ୍ ଦାଖଲ କରିଥିଲା। ଡିଭିଜନ୍-୧ର ୩୫ ଓ ଡିଭିଜନ୍-୨ର ୧୦୫ ଏଭଳି ୧୪୦ ଫାଇଲ୍ ଦାଖଲ ହୋଇନଥିଲା।
/sambad/media/post_attachments/wp-content/uploads/2021/11/bmc-f-300x193.jpg)
ଡିଭିଜନ୍-୧ ନିର୍ବାହୀ ଯନ୍ତ୍ରୀଙ୍କ ଉତ୍ତର ମୁତାବକ, କୋଭିଡ୍ ମହାମାରୀ ସମୟରେ ଡିଭିଜନ-୧ରେ ଦାୟିତ୍ବରେ ଥିବା କର୍ମଚାରୀ ଜିତେନ୍ ମହାନ୍ତି ରେମୁଣା ବଦଳି ହୋଇଥିଲେ। ସିନିୟର ଆସିଷ୍ଟାଣ୍ଟ ରଞ୍ଜନ କୁମାର ବେହେରା ଉତ୍ତର ଜୋନ୍ ଅଫିସ୍କୁ ବଦଳି ହେଲେ। ଉଭୟ କର୍ମଚାରୀ ତାଙ୍କ ପାଖରେ ଥିବା ଫାଇଲ୍ ହସ୍ତାନ୍ତର କଲେ ନାହିଁ। ଚଳିତ ଫେବ୍ରୁଆରି ୨୪ ତାରିଖରେ ଡିଭିଜନ୍-୧ ନିର୍ବାହୀ ଯନ୍ତ୍ରୀ ତିନିଦିନ ମଧ୍ୟରେ ଫାଇଲ୍ ହସ୍ତାନ୍ତର କରିବାକୁ ଉଭୟଙ୍କୁ ଚିଠି ଲେଖିଥିଲେ। ୩ ଦିନି ଯାଇ ୩ ମାସ ବିତିଗଲା ହେଲେ କେହି ଫାଇଲ୍ ହସ୍ତାନ୍ତର କଲେ ନାହିଁ। କିମ୍ବା କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କଲେ ନାହିଁ। ଏବେ ଉଭୟ ନିଜ ନିଜ ଜାଗାରେ ପୂର୍ବବତ୍ କାମ କରୁଛନ୍ତି।
ଠିକ୍ ସେହିଭଳି ଡିଭିଜନ୍-୨ରେ ୧୦୫ ଫାଇଲ୍ ଏଯାବତ୍ ମିଳୁନାହିଁ। ବିଏମ୍ସି କମିସନର ଦେଇଥିବା ଉତ୍ତର ମୁତାବକ, ଡିଭିଜନ୍-୨ରେ କେଦାରେଶ୍ବର ପରିଡ଼ା ଡିଲିଙ୍ଗ୍ ଆସିଷ୍ଟାଣ୍ଟ ଭାବରେ କାମ କରୁଥିଲେ। ତାଙ୍କୁ ଜନଗଣନା ଉପବିଭାଗକୁ ନିଆଗଲା। କିନ୍ତୁ ସେ ଇଞ୍ଜିନିୟରିଂ ବିଭାଗର ଫାଇଲ୍ ହସ୍ତାନ୍ତର କଲେ ନାହିଁ। ବରଂ ତାଙ୍କୁ ପୁଣି ଥରେ ଇଞ୍ଜିନିୟରିଂ ସେକ୍ସନର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଠିକ୍ ସେହିଭଳି ରେକର୍ଡସ୍ ଉପବିଭାଗର ମୁଖ୍ୟ ସହକାରୀ ପର୍ଶୁରାମ ସାହୁ ଅବସର ନେଇଗଲେ। ହେଲେ ସେ ମଧ୍ୟ ଫାଇଲ୍ ହସ୍ତାନ୍ତର କଲେନି। ଏହି ଦୁଇ କର୍ମଚାରୀଙ୍କ ଅସହଯୋଗ ଯୋଗୁ ବାକି ୧୦୫ ଫାଇଲ୍ ଦାଖଲ ହୋଇ ପାରୁନି ବୋଲି ନିର୍ବାହୀ ଯନ୍ତ୍ରୀ କମିସନରଙ୍କୁ ଚିଠି ଲେଖିଲେ। ସମସ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିସନର ଘୋଷଣା କଲେ। ହେଲେ ଚାକିରିରେ ଥିବା କର୍ମଚାରୀ ଦରମା ପାଉଛନ୍ତି, ଅବସର ନେଇଥିବା କର୍ମଚାରୀ ଅବସରକାଳୀନ ସମସ୍ତ ସୁବିଧା ମଧ୍ୟ ପାଉଛନ୍ତି। କମିସନର ଲୋକାୟୁକ୍ତଙ୍କୁ ଲେଖିଛନ୍ତି, ଫାଇଲ୍ ଖୋଜା ଚାଲିଛି। ମିଳିଲେ ଆମେ ଜମା କରିଦେବୁ। ଅବହେଳା କରିଥିବା କର୍ମଚାରୀଙ୍କ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କମିସନର ଯାହାକୁ ଖୋଜିବା କଥା କହିଛନ୍ତି ତାହା ହଜିନି। ଯାହାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଥା କହୁଛନ୍ତି ସେମାନେ ସେଇଠି ତାଙ୍କରି ଅଧୀନରେ କାମ କରୁଛନ୍ତି। ଏହା ଭିତରେ କ’ଣ ରହସ୍ୟ ରହିଛି ତାହା ଏବେ ବିଏମ୍ସିରେ ଚର୍ଚ୍ଚାର ବିଷୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/BMC.jpg)