ଭୁବନେଶ୍ବର: ଖୁବ୍‌ ଶୀଘ୍ର ବିଏମ୍‌ସିର ୬୭ଟି ୱାର୍ଡର ସଫେଇ ଦାୟିତ୍ବ ଏକାଧିକ ଘରୋଇ ସଂସ୍ଥା ହାତକୁ ଯିବ। ବିଏମ୍‌ସି କର୍ମଚାରୀ ଆଉ ସଫେଇ ଦାୟିତ୍ବରେ ରହିବେନି। ଏଥିପାଇଁ ବିଏମ୍‌ସି ପକ୍ଷରୁ ଟେଣ୍ଡର ଆହ୍ବାନ ହୋଇଛି। ହେଲେ ଏହି ଟେଣ୍ଡର ଯେପରି ଆହ୍ବାନ ହୋଇଛି, ତାହାକୁ ନେଇ ବିବାଦ ମୁଣ୍ଡ ଟେକିଛି।

Advertisment

ବିଏମ୍‌ସି ପକ୍ଷରୁ ରାସ୍ତା ସଫେଇ, ଡ୍ରେନ୍ ସଫା, କନଜରଭେନ୍ସି ଲେନ୍ ସଫେଇ, ବୁସ୍ କଟିଂ ପାଇଁ ଯେଉଁ ଟେଣ୍ଡର ଡକାଯାଇଛି ସେଥିରେ ଭୁବନେଶ୍ବରର ୬୭ଟି ୱାର୍ଡକୁ ୧୦ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଯେଉଁ ସଂସ୍ଥା ଟେଣ୍ଡର୍‌ ପାଇବେ, ତାଙ୍କର ପ୍ରାପ୍ୟରୁ ବିଏମ୍‌ସି ୫% କାଟିବ ବୋଲି ସର୍ତ୍ତ ରଖିଛି। ଆଉ ଏହାର କାରଣ କହିଛି ଯେ କଠିନ ବର୍ଜ୍ୟ ପରିଚାଳନା ପାଣ୍ଠି ହେବ। ସଫେଇ ସଂସ୍ଥାଙ୍କ ପ୍ରାପ୍ୟରୁ ଅର୍ଥ କାଟି ଏସ୍‌ବିଏ ସେଲ୍‌ରେ ଥିବା କର୍ମଚାରୀଙ୍କୁ ଦରମା ଦିଆଯିବ ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହେବ। ଯାହାକୁ ନେଇ ଆଜି ବିଭିନ୍ନ ‌ସଫେଇ ସଂସ୍ଥା ଏହି ଟେଣ୍ଡର୍‌ର ପ୍ରି-ବିଡ୍‌ ବୈଠକରେ ପ୍ରତିବାଦ କରିଛନ୍ତି।

ସଫେଇ ସଂସ୍ଥାଙ୍କ ଯୁକ୍ତି ଯେ ଆମେ ଯଦି ଟେଣ୍ଡର୍‌ରେ ପ୍ରତିଯୋଗିତା କରି କାର୍ଯ୍ୟାଦେଶ ପାଇବୁ, ତେବେ ବିଏମ୍‌ସିକୁ କାହିଁକି ଆମ ପ୍ରାପ୍ୟରୁ ୫% ଅର୍ଥ ଦେବୁ। ବିଏମ୍‌ସି ଅଧିକାରୀମାନେ ନିଜ ପସନ୍ଦର କର୍ମଚାରୀଙ୍କୁ ‌ମନଇଚ୍ଛା ନିଯୁକ୍ତି ଦେଇଥିବା ବେଳେ ସେମାନଙ୍କୁ ଦରମା ଦେବା ପାଇଁ ଏହି ଚାଲ୍‌ ଖେଳିଛନ୍ତି। ଦେଶର କୌଣସି ସ୍ଥାନରେ ଏଭଳି ‌ସଫେଇ ସଂସ୍ଥାଙ୍କ ପ୍ରାପ୍ୟରୁ କଟାଯାଉ ନଥିବା ବେଳେ ବିଏମ୍‌ସି କର୍ତ୍ତୃପକ୍ଷ ବେଆଇନ ଭାବେ ଏହି ଅର୍ଥ କାଟୁଛନ୍ତି। ଏପଟେ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ ଗତ କିଛି ବର୍ଷ ହେଲା ଏପରି କଟାଯାଉଛି। ହେଲେ ଏହାର ଜବାବ୍ ଦେଇ ସଫେଇ ସଂସ୍ଥା କହିଛନ୍ତି ଯେ ଗତଥର ଟେଣ୍ଡର୍‌ରେ ଏନେଇ ସର୍ତ୍ତ ରଖିନଥିଲେ ବି ପରବର୍ତ୍ତୀ ସମୟରେ ଚାପ ପକାଇ ସଫେଇ ସଂସ୍ଥାଙ୍କ ପ୍ରାପ୍ୟର ୪% ଅର୍ଥ କାଟିଥିଲେ। ସେତେବେଳେ କୌଣସି ସଂସ୍ଥା ପ୍ରତିବାଦ କଲେନି ବୋଲି ଆମେ କ’ଣ ପ୍ରତିବାଦ କରିବୁନି।

ଅପରପକ୍ଷେ ଏଥର ଟେଣ୍ଡର୍‌ ପ୍ରକ୍ରିୟାରେ ଭାଗ ନେଇଥିବା ପୁଣେର ଜାତୀୟସ୍ତରର ସଂସ୍ଥା ‘ବିଭିଜି ଇଣ୍ଡିଆ ଲିମିଟେଡ୍‌’ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ ବିଭିନ୍ନ ସହରରେ ସଫେଇ କାର୍ଯ୍ୟ କରୁଥିଲେ ହେଁ କୌଣସି ସ୍ଥାନରେ ମାନୁଆଲ୍ ସଫେଇ ପାଇଁ ସଫେଇ ସଂସ୍ଥାଙ୍କ ପ୍ରାପ୍ୟରୁ ୫% ଅର୍ଥ କଟାଯାଉନି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ଅଜବ ନିୟମ କରିଛନ୍ତି। ସେହିପରି ୫% ଅର୍ଥ କାଟିକି ନେବେ ବୋଲି କହୁଥିବା ବେଳେ ବିଭିନ୍ନ ସ୍ଥାନରେ ଦୁଇ ସିଫ୍ଟରେ ସଫେଇ କରିବାକୁ କହୁଛନ୍ତି। ଯାହା ସମ୍ଭବ ନୁହେଁ। ଭୁବନେଶ୍ବର ଭଳି ଛୋଟ ସହରରେ ୧୦ଟି ପ୍ୟାକେଜ୍ ହୋଇଥିବାରୁ ବହୁ ଛୋଟ ସଂସ୍ଥା ଏଥିରେ ସାମିଲ୍‌ ହେବେ। ସେମାନଙ୍କ ପାଖରେ ମାନବ ସମ୍ବଳ, ଗାଡ଼ି ଉପଲବ୍ଧ ନହେଲେ ବିଏମ୍‌ସି ଗୁଣାତ୍ମକ ସେବା ଯୋଗାଇ ପାରିବନି। ଭୁବନେଶ୍ବର ପାଇଁ ୪ରୁ ୫ଟି ପ୍ୟାକେଜ୍ ହୋଇଥିଲେ ସଫେଇ ସଂସ୍ଥାଙ୍କୁ ଉତ୍ତରଦାୟୀ କରି କାମ ଆଦାୟ କରାଯାଇପାରିଥାନ୍ତା। ଏନେଇ ଆମେ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ।

ସେହିପରି ଆଉ ଏକ ସଫେଇ ସଂସ୍ଥା କର୍ତ୍ତୃପକ୍ଷ କହିଛନ୍ତି ଯେ ଏବେ ସଫେଇ ଟେଣ୍ଡର୍‌ ଯେପରି ଡକା ହୋଇଛି, ସେଥିରେ ଭୁବନେଶ୍ବରରେ ଅଧିକ ଆବର୍ଜନା ଗଦା ହେବ। ରାସ୍ତା ସଫେଇ ଓ ଡୋର୍‌ ଟୁ ଡୋର୍ ବର୍ଜ୍ୟ ସଂଗ୍ରହ ପରେ ଯଦି କେହି ରାସ୍ତାରେ ବର୍ଜ୍ୟ ପକାଇବେ, ତାକୁ କିଏ ଉଠାଇବ? ଆବାସିକ ଅଞ୍ଚଳରେ ଡଷ୍ଟବିନ୍ କିଏ ରଖିବ? ଯେଉଁ ଅଞ୍ଚଳରେ ଯାନ୍ତ୍ରିକ ସଫେଇ ହେଉଛି, ସେଠାରେ ମାନୁଆଲ୍ ସଫେଇ କିଏ କରିବ? ରାସ୍ତାକଡ଼ରେ ଅଳିଆ ପଡ଼ି ରହିଲେ କିଏ ଉତ୍ତରଦାୟୀ ହେବ? ଯଦି କୌଣସି ପ୍ୟାକେଜ୍‌ରେ ସଫେଇ କର୍ମଚାରୀ କାମ ବନ୍ଦ କରିବେ, ତେବେ ସେହି ଅଞ୍ଚଳରେ କିଏ ସଫେଇ କରିବ? ଯଦି କେଉଁ ସଂସ୍ଥା କରିବ -ତା’ ପାଖରେ ଅଧିକ ମାନବ ସମ୍ବଳ ଥିବ ତ!

ଏହାବାଦ୍ ୧୦ଟି ସଂସ୍ଥାକୁ ସଫେଇ ଦାୟିତ୍ବ, ଦୁଇଟି ସଂସ୍ଥାକୁ ଯାନ୍ତ୍ରିକ ସଫେଇ, ଏସ୍‌ଏଚ୍‌ଜିକୁ ଘରୁ ବର୍ଜ୍ୟ ସଂଗ୍ରହ, କମ୍ପୋଷ୍ଟ ପ୍ଲାଣ୍ଟରେ ଆଉ ଏକ ସଂସ୍ଥାକୁ ବର୍ଜ୍ୟ ପରିଚାଳନା ଦାୟିତ୍ବ ଦେଲେ ଏତେ ସଂସ୍ଥା ମଧ୍ୟରୁ ବିଏମ୍‌ସି କର୍ତ୍ତୃପକ୍ଷ କାହାକୁ ଉତ୍ତର ଦାୟୀ କରିବେ? ବିଏମ୍‌ସିର ୫୦୦ରୁ ଅଧିକ କର୍ମଚାରୀ ଯଦି ଆଗକୁ ସଫେଇ କରିବେନି ତେବେ ସେମାନେ କ’ଣ କରିବେ?

ସୂଚନାଯୋଗ୍ୟ ଯେ ବିଏମ୍‌ସିର ଏହି ପରିମଳ ଟେଣ୍ଡର୍‌ ଦୁଇଥର ବାତିଲ୍ ହେବା ପରେ ଏବେ ତୃତୀୟଥର ପାଇଁ ଆହ୍ବାନ ହୋଇଛି। ସ୍ବଚ୍ଛ ସର୍ବେକ୍ଷଣରେ ଭୁବନେଶ୍ବର ବାରମ୍ବାର ପଛରେ ପଡ଼ିବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ଏହିଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଏଥିରେ ତିନି ବର୍ଷ ପାଇଁ ଗୋଟିଏ ପ୍ୟାକେଜ୍ ସଫେଇ ସଂସ୍ଥାକୁ ଦିଆଯିବାକୁ ଥିବା ବେଳେ ଗୋଟିଏ ପ୍ୟାକେଜ୍ ପାଇଁ ୧୧ କୋଟିରୁ ୨୮କୋଟି ପର୍ଯ୍ୟନ୍ତ ଖର୍ଚ୍ଚ ଆକଳନ ହୋଇଛି।