ବିଏମ୍‌ସିର ‘ସିଲ୍‌’ ପ୍ରହସନ: ଲାଇସେନ୍ସ ବାତିଲ ପରେ ବି ମଟନ ବିକିଲେ କିଶୋର

ତଥାପି ଗାଲୁମାରୁଛି ବିଏମ୍‌ସି

ଭୁବନେଶ୍ବର : ଭୁବନେଶ୍ବରର ଚର୍ଚ୍ଚିତ ଢାବା ‘କିଶୋର ଭାଇନା ମଟନ’ ରେ ଗତକାଲି ବିଏମ୍‌ସି ଚଢ଼ଉ କରି ଫୁଡ୍‌ ଲାଇସେନ୍ସ ବାତିଲ କରିଥିଲା। ବିଏମ୍‌ସି ଟିମ୍‌ କହିଥିଲା ଯେ ଏଠାରେ ନକଲି ରଙ୍ଗ ଓ ଏକ୍ସପାରି ସସ୍‌ ବ୍ୟବହାର ହେଉଛି। ହେଲେ ଆଜି ସକାଳୁ କିଶୋର ମଟନ ଖୋଲିଲା ଓ ଯେମିତି ବେପାର ହେବା କଥା ହେଲା। ଜଣାପଡ଼ୁଥିଲା ଯେମିତି କିଛି ହେଇନି। ଢାବା ମାଲିକ କିଶୋର ମଧ୍ୟ ଓଲଟା କଥା କହିଥିଲେ। ତାଙ୍କ କହିବା ଅନୁଯାୟୀ ଏଠାରେ ଚଢ଼ଉ ହୋଇ ନାହିଁ କିମ୍ବା ଫୁଡ୍‌ ଲାଇସେନ୍ସ ବାତିଲ ହୋଇ ନାହିଁ। ବିଏମ୍‌ସି ଟିମ୍‌ କେବଳ ଚଢ଼ଉ କରି ସ୍ବାସ୍ଥ୍ୟକର ପରିବେଶରେ ମଟନ୍‌ ତିଆରି କରିବାକୁ ପରାମର୍ଶ ଦେଇ ଚାଲି ଯାଇଥିଲା। ତେବେ ଗତକାଲି ବିଏମ୍‌ସି କ’ଣ ମିଛ କହିଥିଲା? ନା ରାତି ଅଧିଆ ହାତଗୁଞ୍ଜା କାରବାର ହେଲା?

ପୂର୍ବରୁ ଠିକ୍‌ ଏଭଳି ବିଏମ୍‌ସି ନିକୋ ପାର୍କ ନିକଟରେ ଥିବା ଏକ ମଦ ଦୋକାନରେ ଚଢ଼ଉ କରିଥିଲା। ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଏହି ଦୋକାନକୁ ସିଲ୍‌ କରିଥିଲା। ହେଲେ ସିଲ୍‌ କରିବାର ୪୦ ମିନିଟ୍‌ ମଧ୍ୟରେ ଦୋକାନ ଖୋଲି ଯାଇଥିଲା। ଏ ନେଇ ବିଏମ୍‌ସି ସୋସିଆଲ୍‌ ମିଡିଆରେ ନିନ୍ଦିତ ହେବା ସହ ଅଧିକାରୀମାନେ ହାତଗୁଞ୍ଜା ନେଇ ଦୋକାନକୁ ଖୋଲିବା ସ୍ବୀକୃତି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଥିବାରୁ ବିଏମ୍‌ସିର ଏଭଳି ଚଢ଼ଉ କେବଳ ଟଙ୍କା ରୋଜଗାରର ମାଧ୍ୟମ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କେବଳ ହାତଗୁଞ୍ଜା ପାଇଁ ବିଏମ୍‌ସି ‘ସିଲ୍‌’ ନାଟକ କରୁଛି। ପ୍ରଥମେ ଡାହାଣୀ ହୋଇ ଲାଗୁଛି ଓ ପରେ ଗୁଣିଆ ହୋଇ ଭୂତ ଛଡ଼ାଉଛି ବୋଲି ଆଲୋଚନା ଚାଲିଛି।

ଢ଼ାବା‌ ମାଲିକ କିଶୋର ଆଜି ଗଣମାଧ୍ୟମ ଆଗରେ ଦାବି କରିଛନ୍ତି ଯେ, ମୋ ଦୋକାନ ସିଲ୍‌ କରାଯାଇ ନାହିଁ କିମ୍ବା ମୋ ଦୋକାନରୁ ଏକ୍ସପାରି ସସ୍‌ ଜବତ ହୋଇ ନାହିଁ। ମୁଁ ମଟନ୍‌ରେ ସସ୍‌ ବ୍ୟବହାର କରେ ନାହିଁ, ଏଣୁ ଦୋକାନକୁ ସସ୍‌ ଆସେ ନାହିଁ। ଏକ୍ସପାରି ହେବ କେମିତି? ତା’ ଛଡ଼ା ନକଲି ରଙ୍ଗ କଥା ଯାହା କୁହାଯାଉଛି ମୋ ଦୋକାନରୁ ରଙ୍ଗ ଜବତ ହୋଇନାହିଁ। ତାହା ପଡ଼ିଶା ଦୋକାନରୁ ଜବତ ହୋଇଛି। ମୋତେ କେବଳ ସ୍ବାସ୍ଥ୍ୟକର ପରିବେଶରେ ମାଂସ ରାନ୍ଧିବା ପାଇଁ କୁହାଯାଇଛି। ମୋ ପାଖରେ ଏବେ ବି ଲାଇସେନ୍ସ ଅଛି। କିଏ କେତେବେଳେ ବାତିଲ କଲା ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

କିଶୋର ସ୍ପଷ୍ଟ ଭାବେ ନିଜ ମତ ରଖିବା ପରେ ବି ବିଏମ୍‌ସି ଗାଲୁ ମାରୁଛି। ବିଏମ୍‌ସି ସହର ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବିଶୋଇ କହିଛନ୍ତି, ଆମେ ଗତକାଲି କିଶୋର ମଟନରେ ଚଢ଼ଉ କରି ନକଲି ରଙ୍ଗ ଓ ଏକ୍ସପାରି ସସ୍‌ ଜବତ କରିଥିଲୁ। ଫୁଡ୍‌ ଲାଇସେନ୍ସ ବାତିଲ କରିବା ସହ ଦୋକାନ ନ ଖୋଲିବା ପାଇଁ ତାଗିଦ କରିଥିଲୁ। କିନ୍ତୁ ଆଜି ଖବର ପାଇଲୁ କି ସେ ଦୋକାନ ପୁଣି ଖୋଲିଛି। ଏଣୁ ଆମେ ସଦଳବଳ ଚଢ଼ଉ କରିଥିଲୁ। କିନ୍ତୁ ଦୋକାନ ବନ୍ଦ ରହିଥିଲା। ଆସନ୍ତାକାଲି ଆମେ ସକାଳେ ପୁଣି ଥରେ ଚଢ଼ଉ କରିବୁ ସେ କହିଛନ୍ତି।

ଏଠାରେ ଉଲ୍ଲେଖ କରାଯାଇପାରେ, କିଶୋର ମଟନ୍‌ ସିଲ୍‌ ହେବା ଖବର ପ୍ରକାଶ ପାଇବା ପରେ ନିୟମିତ ଗ୍ରାହକ କିଛି ସେଠାରେ ଆଜି ପହଞ୍ଚିଥିଲେ। କିନ୍ତୁ ଦୋକାନ ପୂର୍ବବତ୍‌ ଖୋଲା ରହିଥିଲା। ସାରା ଦିନ ଖୋଲା ରହିବା ସହ ବେପାର ଚାଲିଥିଲା। କିନ୍ତୁ ବିଏମ୍‌ସି ସ୍ବାସ୍ଥ୍ୟଅଧିକାରୀ ଢ଼ାବା ବନ୍ଦ ହେବା ପରେ ଅପରାହ୍‌ଣରେ ଚଢ଼ଉ କରିଥିଲେ। ସାଧାରଣତଃ ଖରାବେଳେ ବେପାର ସରିବା ପରେ ଅପରାହ୍‌ଣରେ ଦୋକାନ ବନ୍ଦ ହୋଇଥାଏ। ଏଣୁ ଏହି ବନ୍ଦ ସମୟରେ ବିଏମ୍‌ସି ଜାଣି ଜାଣି ଚଢ଼ଉ କରିଥିବା କୁହାଯାଉଛି। ଏହାକୁ ନେଇ ଟ୍ବିଟର ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ବିଏମ୍‌ସିର ଦୋମୁହାଁ କାରବାରକୁ ଅନେକେ ନାପସନ୍ଦ କରିଛନ୍ତି।

ପୂର୍ବରୁ ବି ହୋଇଥିଲା ଉଚ୍ଛେଦ ନାଟକ
‘କିଶୋର ମଟନ’ ଢାବା ସରକାରୀ ଜାଗାରେ ତିଆରି ହୋଇଛି। ଏଭଳି ଅଭିଯୋଗ ଆସିବା ପରେ ବିଏମ୍‌ସି ପୂର୍ବରୁ ଦୁଇ ଦୁଇଥର ଏହାକୁ ଉଚ୍ଛେଦ କରିବାକୁ ଉଦ୍ୟମ କରିଛି। ବିଏମ୍‌ସି ଉଚ୍ଛେଦକାରୀ ଦଳ ଯାଇ ଢାବା ସାମ୍ନାରେ ହୋଇଥିବା ବାଉଁଶ ଓ ପାଲରେ ତିଆରି ଅସ୍ଥାୟୀ ସେଡ୍‌କୁ ଭାଙ୍ଗି ଚାଲି ଆସିଛି। କିନ୍ତୁ ଉଚ୍ଛେଦର ୨୪ ଘଣ୍ଟା ପରେ ପୁଣି ଦୋକାନ ଖୋଲିଛି ଓ ବର୍ଷ ବର୍ଷ ଧରି ବେପାର ଚାଲିଛି। ଆଜି ମଧ୍ୟ ପୂର୍ବ ଭଳି ଘଟଣା ଘଟିଛି। ବିଏମ୍‌ସି ଫୁଡ୍‌ ଲାଇସେନ୍ସ ବାତିଲ କରିବା ସହ ବିନା ଫୁଡ୍‌ ଲାଇସେନ୍ସରେ ଦୋକାନ ଖୋଲିବ ନାହିଁ ବୋଲି ତାଗିଦ କରି ଆସିବା ପରେ ଦୋକାନ ଖୋଲିଛି। ଏଣେ ଖୋଦ୍‌ କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଆସନ୍ତାକାଲି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିନା ଲାଇସେନ୍ସରେ ଅସ୍ବାସ୍ଥ୍ୟକର ପରିବେଶ ଓ ନକଲି ରଙ୍ଗ ବ୍ୟବହାର କରି ମଟନ ତିଆରି ହେଉଥିବା ଦୋକାନ ଉଚ୍ଛେଦ ହେବ ନା ଢାବା ଆଗରୁ ବାଉଁଶ ଓ ଜରି ପାଲ ଭାଙ୍ଗି ବିଏମ୍‌ସି ପୂର୍ବଭଳି ‘ଗୁଣିଆ’ ହୋଇ ଅଭିନୟ କରିବ?

୪ ଦୋକାନ ସିଲ୍‌, ୩ଜଣଙ୍କୁ ୧୦ ହଜାର ଜରିମାନା
ଭୁବନେଶ୍ବର : ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ତଥା ନକଲି କାରବାରକୁ ନେଇ କଠୋର ହୋଇଛି ବିଏମ୍‌ସି। ସହରର ବିଭିନ୍ନ ସ୍ଥାନରେ ବିଏମ୍‌ସି ଖାଦ୍ୟ ନିରାପତ୍ତା ସ୍କ୍ବାଡ୍‌ ଚଢ଼ଉ ଜାରି ରଖିଛି। ଆଜି କମିସନର ବିଜୟ ଅମୃତା କୁଲାଙ୍ଗେ କିଟ୍‌ ଅଞ୍ଚଳରେ ଚଢ଼ଉରେ ସାମିଲ ହୋଇଥିଲେ। ପଟିଆ ବିଗ୍ ବଜାର ଛକଠାରୁ କିମ୍ସ ପର୍ଯ୍ୟନ୍ତ ବିଭିନ୍ନ ଖାଦ୍ୟ ଦୋକାନ ପରିଦର୍ଶନ କରି ୪ଟି ଦୋକାନକୁ ସିଲ୍‌ କରିଥିବା ବେଳେ ୩ଟି ଦୋକାନଠାରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଦୋକାନଠାରୁ ୫ ମିଟର ପର୍ଯ୍ୟନ୍ତ ପରିସରକୁ ସଫା ରଖିବା ଓ ଦୁଇଟି ଡଷ୍ଟବିନ୍‌ ବ୍ୟବହାର କରିବା ପାଇଁ ହୋଇଥିବା ନିର୍ଦ୍ଦେଶକୁ ଏହି ବ୍ୟବସାୟୀମାନେ ମାନିନଥିବା ପରିଲକ୍ଷିତ ହୋଇଥିଲା। ଆଗକୁ ପାର୍ବଣ ଋତୁ ଆସୁଛି। ତା ସହିତ ବିଶ୍ବକପ୍‌ ହକି ଓ ଫୁଟ୍‌ବଲ୍‌ ପାଇଁ ଦେଶ ବାହାରୁ ଖେଳାଳି ଆସୁଛନ୍ତି। ଏଣୁ ସହରକୁ ପରିଷ୍କାର, ପରିଚ୍ଛନ୍ନ ରଖିବା ସହ ଏକ ସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତଙ୍କର ସହଯୋଗ ଜରୁରି ବୋଲି କମିସନର କହିଛନ୍ତି।

ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ କହିଛନ୍ତି, ଆମେ ଖାଦ୍ୟର ନମୁନା ସଂଗ୍ରହ କରିଛୁ। ଏହାକୁ ପରୀକ୍ଷା କରାଯିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବ୍ୟବସାୟୀଙ୍କୁ ସଚେତନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର