ବିଏମ୍‌ସିର ମୌସୁମୀ ଚିନ୍ତା, ଜୁନ୍ ପୂର୍ବରୁ ଡ୍ରେନ୍ ସଫେଇ ସରିବ

ଭୁବନେଶ୍ବର: ଜୁନ୍‌ ୧୦ ତାରିଖ ସୁଦ୍ଧା ମୌସୁମୀ ଭୁବନେଶ୍ବର ଛୁଇଁପାରେ। ଭୁବନେଶ୍ବର ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିବା ପରେ ବିଏମ୍‌ସି ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ପୂର୍ବତନ ବିଏମ୍‌ସି କମିସନରଙ୍କ ନିର୍ଦ୍ଦେଶରେ ଡ୍ରେନେଜ୍ ଡିଭିଜନ ଡ୍ରେନ୍ ସଫେଇ କାମ ବିଭିନ୍ନ ୱାର୍ଡରେ ଆରମ୍ଭ କରିଥିବାବେଳେ ବହୁ ସ୍ଥାନରେ ଡ୍ରେନ୍ ନିର୍ମାଣ କାମ ଜୋରଦାର୍ କରିଥିଲା। ବଡ଼ ଡ୍ରେନ୍ ସଫେଇ ପାଇଁ ଟେଣ୍ଡର ହୋଇଥିଲା। ଆଜି ନୂଆ କମିସନର ଏହାର ସମୀକ୍ଷା କରିଛନ୍ତି। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଜୁନ୍ ୧ ପୂର୍ବରୁ ଯେପରି ପ୍ରଥମ ପର୍ଯ୍ୟାୟ ଡ୍ରେନ୍ ସଫେଇ ସରିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ବିଏମ୍‌ସି କମିସନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଏମ୍‌ସିର ଇଞ୍ଜିନିୟରିଂ, ପରିମଳ, ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। କାହାର କ’ଣ କାମ, କିପରି ବିଏମ୍‌ସି ଅଧୀନସ୍ଥ ୧୦ଟି ୱାର୍ଡ ଓ ଘରୋଇ ସଂସ୍ଥା ଦାୟିତ୍ବରେ ଥିବା ୫୭ଟି ୱାର୍ଡର ଡ୍ରେନ୍ ସଫେଇ ହେବ ସେନେଇ କମିସନର ପଚାରି ବୁଝିଥିଲେ।

ମେରୁ ଅକ୍ଟୋବର ମାସ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଡ୍ରେନ୍ ସଫା ହେବ ବୋଲି କୁହାଯାଇଛି। ଏହାସହିତ କୁହାଯାଇଛି ଯେ, ରାଜଧାନୀର ପ୍ରମୁଖ ୧୦ଟି ଡ୍ରେନ୍ ଓ ଏହାକୁ ସଂଯୋଗ କରୁଥିବା ତିନିଟି ବଡ଼ ଡ୍ରେନ୍‌ର ସଫେଇ ପାଇଁ ଟେଣ୍ଡର ହୋଇଥିବାବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ। ଏହି ଡ୍ରେନ୍ର ୬୫କିମିର ପାସେଜ୍ ଅଛି। ତେଣୁ ଏଗୁଡ଼ିକୁ ତୁରନ୍ତ ସଫା କରାଯିବ। ସେହିପରି ରାଜଧାନୀର ବିଏମ୍‌ସି ପରିଚାଳିତ ୧୦ଟି ୱାର୍ଡରେ ପ୍ରାୟ ୪୫କିମିର ପାସେଜ୍ ଥିବାବେଳେ ଏହାକୁ ବି ତୁରନ୍ତ ସଫା କରାଯିବ। ଏବେ ଘରୋଇ ସଫେଇ ସଂସ୍ଥାଙ୍କ ଅଧୀନରେ ଥିବା ୱାର୍ଡଗୁଡ଼ିକରେ ଡ୍ରେନ୍ ସଫେଇ କାମ ଆରମ୍ଭ ହୋଇଯାଇଛି। ୫୦% ସଫା ସରିଥିବାବେଳେ ବାକି ଅଧା ଡ୍ରେନ୍ ସଫେଇ ଜୁନ୍ ପହିଲା ପୂର୍ବରୁ ସରିବ ବୋଲି କୁହାଯାଇଛି। ବର୍ଷା ଋତୁ ପୂର୍ବରୁ ବିଏମ୍‌ସି ନିଜର ୪୦୦ କିମିର ଡ୍ରେନ୍ ସଫା କରିବାକୁ ଟାର୍ଗେଟ୍ ରଖିଛି। ଅପରପକ୍ଷେ ରାଜଧାନୀରେ ପୂର୍ତ୍ତ ବିଭାଗର ପ୍ରାୟ ୫୦୦ କିମିର, ଇଡ୍‌କୋ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବିଡିଏର ଡ୍ରେନ୍ ଥିବାବେଳେ ସେଗୁଡ଼ିକୁ ତୁରନ୍ତ ସଫା କରିବାକୁ କୁହାଯାଇଛି। ବିଏମ୍‌ସି ପ୍ରାୟ ମାସକ ତଳେ ଏନେଇ ବିଭିନ୍ନ ସଂସ୍ଥାକୁ ଚିଠି ଲେଖିଛି। ତାହା ଯେପରି ବର୍ଷା ଦିନ ପୂର୍ବରୁ କାର୍ଯ୍ୟକାରୀ ହେବ ତାହା ଦେଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର