ଭୁବନେଶ୍ୱର : କୋଭିଡ୍‌ ପ୍ରତିରୋଧ ନିମନ୍ତେ କାର୍ଯ୍ୟପନ୍ଥା ସହ ସ୍ବଚ୍ଛତାକୁ ବିଏମ୍‌ସି ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଛି। କିଛି ମାଇକ୍ରୋ କମ୍ପୋଷ୍ଟିଙ୍ଗ କେନ୍ଦ୍ର କାର୍ଯ୍ୟକାରୀ ହେବା ନିମନ୍ତେ ପ୍ରସ୍ତୁତ ହୋଇସାରିଛି। ଏହା ମଧ୍ୟରେ ଗୋଟିଏ କାର୍ଯ୍ୟକାରୀ ହେଲାଣି। ଏହି ପରିପ୍ରେକ୍ଷୀରେ ରାଜଧାନୀ ବାସିନ୍ଦାଙ୍କୁ ପୃଥକୀକରଣ ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।

Advertisment

ଗତକାଲି ୩୫ ଓ ୩୬ ନମ୍ବର ୱାର୍ଡରେ ଡେପୁଟି କମିସନର (ଏଷ୍ଟାବ୍ଲିସ୍‌ମେଣ୍ଟ୍‌) ଗାୟତ୍ରୀ ସାମନ୍ତରାୟଙ୍କ ତତ୍ତବାବଧାନରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆଜି ଜୋନାଲ୍‌ ଡେପୁଟି କମିସନର ଅଂଶୁମାନ ରଥଙ୍କ ତତ୍ତ୍ବାବଧାନରେ ୩୨ ନମ୍ବର ୱାର୍ଡରେ ଝାରପଡ଼ା ଅଞ୍ଚଳ ଓ ପାର୍ଶ୍ବବର୍ତୀ ମାର୍କେଟ୍‌ ଅଞ୍ଚଳରେ ଏହା କରାଯାଇଛି। ଏକ ଟିମ୍‌ ଝାରପଡ଼ା ଜେଲ୍‌ ଓ ଗଣେଶ ମଣ୍ଡପ ଅଞ୍ଚଳରେ ପ୍ରାୟ ୧୫୦ ଘର ଓ ୫୦ ବ୍ୟବସାୟ କେନ୍ଦ୍ରକୁ ଯାଇ ଅଳିଆ ପୃଥକୀକରଣ ବାବଦରେ ବୁଝାଇଥିଲେ। ଲିଫ୍‌ଲେଟ୍‌ ବାଣ୍ଟିବା ସହ ଓଦା ଓ ଶୁଖିଲା ଆବର୍ଜନା ପାଇଁ ଦୁଇଟି ଡଷ୍ଟବିନ୍‌ ରଖିବାକୁ କହିଥିଲେ। ଏହି ଅବସରରେ ଗଣେଶ ମଣ୍ଡପ ନିକଟରେ ଏକ ବୈଠକ ହୋଇଥିଲା।

ଡେପୁଟି କମିସନର (ସାନିଟେସନ) ଶୁଭେନ୍ଦୁ କୁମାର ସାହୁଙ୍କ ସମେତ ସାନିଟାରି ଇନ୍ସପେକ୍ଟର, ୱାର୍ଡ ଅଫିସର, କମ୍ୟୁନିଟି ଅର୍ଗାନାଇଜର, ସ୍ବଚ୍ଛ ସାଥୀ, ଏସ୍‌ବିଏ ସେଲ୍‌ ଏକ୍ସପର୍ଟ, ସାନିଟେସନ ଏକ୍ସପର୍ଟଙ୍କ ସମେତ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ସେଣ୍ଟର ଫର୍‌ ଆଡ୍‌ଭୋକେସି ଆଣ୍ଡ୍‌ ରିସର୍ଚ୍ଚ, ୱେ ଅଫ୍‌ ଇଣ୍ଟିଗ୍ରେଟେଡ୍‌ ସୋସିଆଲ ସର୍ଭିସର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ।