ଖଣ୍ଡଗିରି: ବିଏମ୍ସି ପକ୍ଷରୁ ବୃକ୍ଷରୋପଣ ଅଭିଯାନ ଆରମ୍ଭ ହୋଇଛି। ବିଏମ୍ସି ଓ ବନ ବିଭାଗର ମିଳିତ ଉଦ୍ୟମରେ ନଗରବନଠାରେ ଆରମ୍ଭ ହୋଇଥିବା ଅଭିଯାନକୁ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଆମ ପୂର୍ବପୁରୁଷମାନେ ବୃକ୍ଷକୁ ପୂଜା କରୁଥିଲେ। ସେ ହେଉଛି ଆମର ମା’। ତେଣୁ ବ୍ୟାପକ ବୃକ୍ଷରୋପଣ ଏବଂ ଜଙ୍ଗଲ ସୃଷ୍ଟି କରିବା ଦରକାର। ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲ, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ, ମହାମାୟା ସ୍ବାଇଁ, କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ ପ୍ରମୁଖ ସାମିଲ ହୋଇଥିଲେ।
ଏବର୍ଷ ୨୦ଟି ମିଆଁୱାକି ଜଙ୍ଗଲ ସୃଷ୍ଟି ହେବ
୨ ଲକ୍ଷ ଚାରାରୋପଣ ଲକ୍ଷ୍ୟ
ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ମେୟର ଶ୍ରୀମତୀ ଦାସ କହିଛନ୍ତି, ଗତବର୍ଷ ଏଠାରେ ୮ ହଜାର ବୃକ୍ଷରୋପଣ କରାଯାଇଥିଲା। ଫଳରେ ୬ଟି ମିଆଁୱାକି ଜଙ୍ଗଲ ସୃଷ୍ଟି କରାଯାଇଥିବା ବେଳେ ଚଳିତବର୍ଷ ୨୦ଟି ଜଙ୍ଗଲ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏବର୍ଷ ବନ ବିଭାଗ ଓ ବିଏମ୍ସି ମିଳିତ ଭାବେ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ୨ ଲକ୍ଷ ବୃକ୍ଷରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ମହାନଗର ନିଗମ ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସାଧାରଣ ନାଗରିକ, ଆବାସିକ ସଂଗଠନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଯୁବକ ସଂଘ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁ, ଶୁଭେନ୍ଦୁ କୁମାର ସାହୁ, କୈଳାସ ଚନ୍ଦ୍ର ଦାସ, ଜୋନାଲ କମିସନର ରାଜଲକ୍ଷ୍ମୀ ନାୟକ, ଡେପୁଟି କମିସନର କାଜଲ ପ୍ରଧାନ, ଏନ୍. ଗଣେଶ ବାବୁ, ଧନଞ୍ଜୟ ମହାନ୍ତି, ରଶ୍ମିରେଖା ଅମାତ, ରୁବୀ ବେହେରା, ସିଟି ଫରେଷ୍ଟର ଅର୍ଚନା ପାଲଟାସଂହ ପ୍ରମୁଖ ଉପସ୍ଥିତ ଥିଲେ।