ଶିକ୍ଷକଙ୍କୁ କରୋନା ପରେ ବିଏମ୍‌ସିର ତତ୍ପରତା

ଭୁବନେଶ୍ବର: ରାଜଧାନୀର ଏକ ସରକାରୀ ହାଇସ୍କୁଲର ଶିକ୍ଷକ କରୋନା ଆକ୍ରାନ୍ତ ହେବା ପରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ କରାଯାଇଛି। ଦୁଇ ଦିନ ସ୍କୁଲ ବନ୍ଦ ରହିବା ପରେ ଆଜି ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ପୁଣିଥରେ ସ୍ବାଭାବିକ ଭାବେ ଆରମ୍ଭ ହୋଇଛି। ପ୍ରତିଦିନ ପରି ଆଜି ବି ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ ଅନୁଷ୍ଠିତ ହୋଇଥିଲା। ଉପସ୍ଥାନ ସାମାନ୍ୟ କମ୍‌ ରହିଥିବା ଦେଖିବାକୁ ମିଳିଛି। ଆକ୍ରାନ୍ତ ଶିକ୍ଷକ ଏବେ ସୁସ୍ଥ ରହିବା ସହ ହୋମ୍‌ ଆଇସୋଲେସନ୍ସରେ ଅଛନ୍ତି। ଭୟଭୀତ ହେବାର କୌଣସି କାରଣ ନାହିଁ। ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଯଦି କୌଣସି ପିଲାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯା‌ଏ, ତାଙ୍କ ପରୀକ୍ଷା କରାଯିବ ବୋଲି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବିଏମ୍‌ସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିବା ପରେ ପଦକ୍ଷେପ ନିଆଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ଦୁଇ ଦିନ ସ୍କୁଲ ବନ୍ଦ ଥିଲା। ସମ୍ପୂର୍ଣ୍ଣ କ୍ୟାମ୍ପସକୁ ବିଶୋଧନ କରାଯାଇଛି। ଶିକ୍ଷକଙ୍କ ସମ୍ପର୍କରେ କିଛି ଛାତ୍ରଛାତ୍ରୀ ଆସିଥିଲେ। ତେଣୁ ସେମାନଙ୍କ ଉପରେ ନଜର ରଖାଯାଇଛି। ଏବେ ସୁଦ୍ଧା ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯାଇନାହିଁ। ଯଦି ଆବଶ୍ୟକତା ପଡ଼େ ଅର୍ଥାତ୍‌ କୌଣସି ପିଲାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଗଲେ ପରୀକ୍ଷା କରାଯିବ। ଏନେଇ ସ୍କୁଲ କର୍ତ୍ତୃପକ୍ଷ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛୁ।

ସମ୍ବନ୍ଧିତ ଖବର