ସସ୍ମିତା ସାହୁ
ଭୁବନେଶ୍ବର: କାଖରେ ଛୁଆଟିଏ ଧରି ଧୁ ଧୁ ଖରାରେ ମା’ଟିଏ ବିକଳରେ କିଛି ମାଗୁଥିବାର ଦୃଶ୍ୟ ଆମେ ନିଇତି ଦେଖୁ। ମନ୍ଦିରମାଳିନୀ ସହରର ପ୍ରତିଟି ପ୍ରମୁଖ ମନ୍ଦିର ବାହାରେ ଅତି କମ୍ରେ ୫ଜଣ ଭିକାରିଙ୍କୁ ଦେଖିବାକୁ ମିଳୁଛି। ଏହାଛଡ଼ା ସହରର ଛକ, ବଜାର, ବସ୍ଷ୍ଟାଣ୍ଡ୍, ରେଳଷ୍ଟେସନ ଓ ସାର୍ବଜନୀନ ସ୍ଥାନରେ ବି ଦାରିଦ୍ର୍ୟର ଏହି ନଗ୍ନ ଚିତ୍ର ଦେଖିବାକୁ ମିଳେ। ଏହି ଚିତ୍ର ସହ ସହରକୁ ଭିକାରିମୁକ୍ତ କରିବାକୁ ବିଏମ୍ସିର ଶପଥ ଯେମିତି ଚୁର୍ମାର୍ ହୋଇଯାଇଛି। ସରକାର କହୁଛନ୍ତି, ଭୁବନେଶ୍ବରକୁ ମିଶାଇ ଖୋର୍ଧା ଜିଲ୍ଲାରେ ମାତ୍ର ୪୧୮ ଭିକାରି ଅଛନ୍ତି। ହେଲେ ବିଏମ୍ସିର ତଥ୍ୟ ଅନୁସାରେ ସହରର ୫ ‘ଭିକ୍ଷୁକ ପୁନର୍ବାସ କେନ୍ଦ୍ର’ରେ ଅଛନ୍ତି ୪୦୩ ଭିକାରି। ଯଦି ରାଜଧାନୀରୁ କେବଳ ୪୦୩ ଭିକାରି ଉଦ୍ଧାର ହୋଇଛନ୍ତି ଏବଂ ମାଳମାଳ ଭିକାରି ଏବେ ବି ସହର ସାରା ଘୂରି ବୁଲୁଛନ୍ତି, ତେବେ ପୂରା ଖୋର୍ଧା ଜିଲ୍ଲାରେ କେଉଁଭଳି ଭାବେ ୪୧୮ ଭିକାରି ରହିପାରିବେ? ସରକାରଙ୍କ ତଥ୍ୟ ଭୁଲ୍ ନା ବିଏମ୍ସିର ଉଦ୍ଧାର ଭିକାରିଙ୍କ ସଂଖ୍ୟା ତ୍ରୁଟିପୂର୍ଣ୍ଣ? କେଉଁ ତଥ୍ୟରେ ସତ୍ୟତା ରହିଛି? ଏନେଇ ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରାଜଧାନୀକୁ ଭିକାରିମୁକ୍ତ କରିବାର ଯୋଜନା ଅନେକ ସମୟରେ ହୋଇଥିବା ବେଳେ ୨୦୨୩ ନଭେମ୍ବରରେ ଏହି ପ୍ରୟାସ ଜୋର୍ଦାର ହେଇଥିଲା। ବିଏମ୍ସି ପକ୍ଷରୁ ସହରରେ ୫ଟି ‘ଭିକ୍ଷୁକ ପୁନର୍ବାସ କେନ୍ଦ୍ର’ ଖୋଲାଯାଇ ସେଠାରେ ଭିକାରିମାନଙ୍କୁ ଥଇଥାନ କରାଯିବ ବୋଲି କୁହାଗଲା। ବିଏମ୍ସି, ପୁଲିସ ଓ କିଛି ଏନ୍ଜିଓର ସହାୟତାରେ ସହରରୁ ଭିକାରିଙ୍କ ଉଦ୍ଧାର ପାଇଁ ୩ଟି ଟିମ୍ ବି ଗଠନ କରାଗଲା। ହେଲେ ଏହା ସତ୍ତ୍ବେ ଏବେ ସହରର ପ୍ରତିଟି ସ୍ଥାନରେ ମାଳମାଳ ଭିକାରି ଦେଖିବାକୁ ମିଳୁଛନ୍ତି। ବର୍ଷା ଦିନରେ ଏମାନେ ଓଭର୍ବ୍ରିଜ୍ ବା ଜରିପାଲର ସାହାରା ନେଉଥିବା ବେଳେ ବିଏମ୍ସି ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ୨୦୨୩ ମସିହାର ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ ୬୭୮୭ଜଣ ଭିକାରି ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ କେହି ଶିଶୁ ନାହାନ୍ତି। ରାଜ୍ୟ ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସୂଚନାନୁସାରେ, ରାଜ୍ୟରେ ଏବେ ୪୦୮୩ଜଣ ପୁରୁଷ ଓ ୨୮୪୨ଜଣ ମହିଳା ଭିକାରି ଅଛନ୍ତି। ସେମାନଙ୍କ ମଧ୍ୟରେ କେହି ଶିଶୁ ଭିକାରି ନାହାନ୍ତି। କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ଜଣ ଭିକାରି ଥିବା ବେଳେ ଖୋର୍ଦ୍ଧାଜିଲ୍ଲା(ଭୁବନେଶ୍ୱରକୁ ମିଶାଇ)ରେ ମାତ୍ର ୪୧୮ଜଣ ଭିକାରି ଅଛନ୍ତି।
ସରକାରୀ ହିସାବରେ ଖୋର୍ଧା ଜିଲ୍ଲାରେ ୪୧୮ ଭିକାରି
ହେଲେ ଭୁବନେଶ୍ବରର ଚିତ୍ର ଭିନ୍ନ, ମନ୍ଦିର ସମ୍ମୁଖରେ ସର୍ବାଧିକ
ସହରରେ ମାଳମାଳ ଭିକାରି ଘୁରି ବୁଲୁଥିବା ବେଳେ ଏହି ସଂଖ୍ୟା ସରକାର କେଉଁଠୁ ଆଣିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ରାଜ୍ୟକୁ ଭିକାରିମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ପୁରୀଠାରେ ‘ନୀଳାଦ୍ରି ନିଳୟ’ ଓ ଭୁବନେଶ୍ୱରଠାରେ ‘ଏକାମ୍ର ନିଳୟ’ ନାଁରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ଏହି ସହରଗୁଡ଼ିକ ଭିକାରିମୁକ୍ତ କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପୁରୀ ଜିଲ୍ଲାରେ ୩୫୦ଜଣ ଭିକାରି ଥିବା ସରକାରୀ ହିସାବରେ ଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ଭିକାରିଙ୍କ ଯେଉଁ ତଥ୍ୟ ସରକାର ଦେଇଛନ୍ତି ତାକୁ ନେଇ ସନ୍ଦେହ ଉପୁଜିଛି। କେବଳ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ଛକ, ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ମନ୍ଦିର ଆଦି ଅଞ୍ଚଳରେ ପ୍ରାୟ ଏକ ହଜାରରୁ ଅଧିକ ଭିକାରି ପେଟ ପାଇଁ ଘୁରି ବୁଲୁଥିବା ବେଳେ ସରକାରଙ୍କ ହିସାବରେ ଖୋର୍ଦ୍ଧା ଜିଲ୍ଲାରେ ବି ମାତ୍ର ୪୧୮ ଭିକାରି ଅଛନ୍ତି। ଭୁବନେଶ୍ୱରକୁ ଭିକାରିମୁକ୍ତ କରିବାକୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ବିଏମ୍ସି କହୁଥିବା ବେଳେ ରାମମନ୍ଦିର, ଶ୍ରୀୟା ଛକ, ରୁପାଲି ଛକ, ଏଜି ଛକ ଅର୍ଥାତ ଜନପଥରେ ଶିଶୁ ଓ ଭିକାରିମାନଙ୍କୁ ଭିକ୍ଷାବୃତ୍ତି କରୁଥିବାର ଦେଖିବାକୁ ମିଳୁଛି।
ବିଏମ୍ସିର ଜଣେ ଅଧିକାରୀଙ୍କ କହିବା ମୁତାବକ, ସହରକୁ ଭିକାରିମୁକ୍ତ କରିବା ପାଇଁ ରଙ୍ଗବଜାରରେ ଗୋଟିଏ, ଅନ୍ଧାରୁଆରେ ୩ଟି ଓ କାନନବିହାରରେ ଗୋଟିଏ ଏମିତି ସମୁଦାୟ ୫ଟି ‘ଭିକ୍ଷୁକ ପୁନର୍ବାସ କେନ୍ଦ୍ର’ ଖୋଲାଯାଇଛି। ଏହି ସବୁ କେନ୍ଦ୍ରରେ ମୋଟ୍ ୪୦୩ ଭିକାରିଙ୍କୁ ଉଦ୍ଧାର କରି ସେମାନଙ୍କୁ ଉତ୍ତମ ଚିକିତ୍ସା, ଖାଦ୍ୟ, ପୋଷାକ ସହ ରହିବାର ବ୍ୟବସ୍ଥା କରାଯାଇଛି। ଏଥିସହ ଜୀବିକାନିର୍ବାହ ପାଇଁ ବ୍ୟାଗ୍ ଓ ଫିନାଇଲ୍ ତିଆରି ଭଳି କାମର ତାଲିମ ମଧ୍ୟ ଦିଆଯାଉଛି। ପ୍ରତି ଭିକାରିଙ୍କ ପିଛା ଏଠାରେ ମାସକୁ ପ୍ରାୟ ୩୪୦୦ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଠିକ୍ ଠିକଣା ବୁଝି ସେମାନଙ୍କୁ ସେମାନଙ୍କ ଘରକୁ ବି ପଠାଯିବାର ବ୍ୟବସ୍ଥା କରାଯାଉଛି। ‘ଏକାମ୍ର ନିଳୟ’ ଯୋଜନାରେ ଗତ ୬ ମାସରେ ରାଜଧାନୀରୁ ୬୭ ଜଣ ଭିକାରିଙ୍କୁ ଉଦ୍ଧାର କରାଯାଇଛି। ଆଗକୁ ବିଏମ୍ସିର ଏହି ଅଭିଯାନ ଜାରି ରହିବ ଓ ରାଜଧାନୀ ନିହାତି ରୂପେ ଭିକାରିମୁକ୍ତ ହେବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/11/sfsffcxcxc-2025-09-11-02-11-06.jpg)