ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ପ୍ରଥମ ଥର ପାଇଁ ଆଜିଠାରୁ ୱାର୍ଡସ୍ତରୀୟ ଅଭିଯୋଗ ଶୁଣାଣି ଆର୍ମ୍ଭ ହୋଇଛି। ଆଜି ୩୪ ନମ୍ବର ୱାର୍ଡରୁ ଏହି ଅଭିଯୋଗ ଶୁଣାଣିର ଆର୍ମ୍ଭ ହୋଇଥିବାବେଳେ ପ୍ରଥମ ଅଭିଯୋଗ ଶୁଣାଣିରେ ମେୟରଙ୍କ କଥାକୁ ନେଇ ହୁଲସ୍ତୁଲ ହୋଇଥିଲା ସଭା। ମେୟରଙ୍କ କଥାକୁ ଗଣ୍ଠି କରି ପୂର୍ବତନ କର୍ପୋରେଟର୍ ଓ ଅନ୍ୟ ଅଭିଯୋଗକାରୀମାନେ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଶେଷରେ ମେୟରଙ୍କ ଉଚ୍ଚ ସ୍ବର ନରମିବା ଓ ସଂପୃକ୍ତ ନାଳର ପ୍ରତିକାରର ପ୍ରତିଶ୍ରୁତି ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଜି ଭୁବନେଶ୍ବର ମହାନଗର ନିଗମର ୩୪ ନମ୍ବର ୱାର୍ଡର ସତ୍ୟନଗରସ୍ଥିତ ୱାର୍ଡ ଅଫିସରେ ଏହି ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ମେୟର ସୁଲୋଚନା ଦାସ ଏହି ଅଭିଯୋଗ ଶୁଣାଣିର ଶୁଭାରମ୍ଭ କରିଥିଲେ। ଶୁଣାଣିରେ ଶତାଧିକ ୱାର୍ଡବାସୀ ମାଳ ମାଳ ଅଭିଯୋଗ ନେଇ ଉପସ୍ଥିତ ଥିଲେ। ଆର୍ମ୍ଭରୁ ୩୪ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର୍ ଭାନୁପ୍ରିୟା ଦାସ ଓ ଅନ୍ୟମାନେ ୧୦ ନମ୍ବର ଡ୍ରେନ୍ର ଦୁର୍ଗନ୍ଧମୟ ପରିବେଶ ଉପରେ ଆପତ୍ତି ଉଠାଇବା ସହ ଏହାର ପ୍ରତିକାର ଦାବି କରିଥିଲେ। କିନ୍ତୁ ମେୟର ‘ନାଳ କ’ଣ ଗନ୍ଧାଇବନି, ବାସିବ?’ ବୋଲି କହିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇଯାଇଥିଲେ ପୂର୍ବତନ କର୍ପୋରେଟର୍ ଶ୍ରୀମତୀ ଦାସ ଓ ଅନ୍ୟମାନେ। ଏଭଳି ମନ୍ତବ୍ୟ ଉପରେ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ସଭା ଚଲାଇ ଦେଇନଥିଲେ। ମେୟର ସେମାନଙ୍କୁ ବୁଝାସୁଝା କଲା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ମେୟର ଶ୍ରୀମତୀ ଦାସ କହିଛନ୍ତି, ୩୪ ନମ୍ବର ୱାର୍ଡର ୧୦ ନମ୍ବର ଡ୍ରେନ୍କୁ ଆଖପାଖ ଘରର ସବୁ ଶୌଚ ଟାଙ୍କି ସଂଯୋଗ କରାଯାଇଛି। ଯାହା ଦୁର୍ଗନ୍ଧର କାରଣ ସାଜିଛି। ସତ କଥା କହିଲେ ଯଦି କାହାରିକୁ ବାଧିବ, ସେଥିରେ ବା କ’ଣ କରିହେବ? ତଥାପି ଆମେ ଏହି ନାଳର ପ୍ରତିକାର ଦିଗରେ ପଦକ୍ଷେପ ନେଉଛୁ। ଆର୍ସିସି ୱାଲ୍ ହେବ। କାର୍ଯ୍ୟାଦେଶ ସରିଛି, ଶୀଘ୍ର କାମ ଆର୍ମ୍ଭ ହେବ। ସ୍ବଳ୍ପ ବଜେଟ୍ରେ ଯଥାସମ୍ଭବ କାମ କରୁଛୁ ବୋଲି ଶ୍ରୀମତୀ ଦାସ କହିଛନ୍ତି।
ନାଳ କ’ଣ ଗନ୍ଧାଇବନି, ବାସିବ?: ମେୟର
କାହିଁକି କହିଲ କ୍ଷମା ମାଗ: ପୂର୍ବତନ କର୍ପୋରେଟର୍
ଏହି ଅବସରରେ ପୂର୍ବତନ କର୍ପୋରେଟର୍ ଶ୍ରୀମତୀ ଦାସ ଓ ଅଞ୍ଚଳବାସୀ ଅଭିଯୋଗ କରିଥିଲେ କି ୱାର୍ଡରେ ଷ୍ଟ୍ରିଟ୍ ଲାଇଟ୍ ଠିକ୍ରେ ଜଳୁନି। ବିଗ୍ବଜାରଠାରୁ ସତ୍ୟନଗର ସାଇମନ୍ଦିର ପର୍ଯ୍ୟନ୍ତ ଯାଇଥିବା ନାଳରୁ ନିୟମିତ ବର୍ଜ୍ୟଜଳ ବାହାରେ ଭାସୁଛି ଓ ବର୍ଷାରେ ସ୍ଥିତି ଅସମ୍ଭାଳ ହେଉଛି। ବିଭିନ୍ନ ଟେଲିଫୋନ୍ କମ୍ପାନି ରାସ୍ତାଘାଟ ଖୋଳି ଦେଉଛନ୍ତି। ମରାମତି ହେଉନଥିବାରୁ ଲୋକେ ଯା’ଆସରେ ଅସୁବିଧା ଭୋଗୁଛନ୍ତି। ପାର୍କରେ ଲାଗିଥିବା ବ୍ୟାୟାମ ଓ ଖେଳ ଉପକରଣ ନଷ୍ଟ ହୋଇଗଲାଣି। ଏ ଦିଗରେ ବିହିତ ପଦକ୍ଷେପ ପାଇଁ ଦାବି କରିଥିଲେ। ୩୪ ନମ୍ବର ୱାର୍ଡ କର୍ପୋରେଟର୍ ପୁଷ୍ପାଞ୍ଜଳି ସେଠୀ କହିଛନ୍ତି, ଆଜି ଭେଣ୍ଡିଂ ଜୋନ୍, ନାଳ, ପାର୍କିଂ, ରାସ୍ତାଘାଟ, ଷ୍ଟ୍ରିଟ୍ଲାଇଟ୍ ଆଦି ସମସ୍ୟା ଉପରେ ଅଭିଯୋଗ ଆସିଥିଲା। ପଞ୍ଜାବୀ କଲୋନିରେ ରାସ୍ତା କରିବାକୁ ଦାବି ହୋଇଥିଲା। ପଞ୍ଜାବୀ କଲୋନି ରାସ୍ତା ବ୍ୟକ୍ତିଗତ ଜାଗାରେ ଯାଇଥିବାରୁ ରାସ୍ତା କରିବା ସମ୍ଭବ ନୁହେଁ। ଏଣୁ କଲୋନି ପଛପାର୍ଶ୍ବରେ ଏକ ରାସ୍ତା କରିବାକୁ ଯୋଜନା କରାଯାଇଛି।
ଉଚ୍ଛେଦ ବସ୍ତି ଅଞ୍ଚଳ ପୁଣି ମାଡ଼ି ବସିଲେଣି
ବିକାଶମୂଳକ କାର୍ଯ୍ୟ ପାଇଁ ୩୪ ନମ୍ବର ୱାର୍ଡର ସତ୍ୟକାଳୀ ବସ୍ତି, ବେହେରାସାହି, ନବୀନନଗର ବସ୍ତି, ଶାନ୍ତିପଲ୍ଲୀ ବସ୍ତି ଆଦି ଅଞ୍ଚଳ ଉଚ୍ଛେଦ କରାଯାଇଥିଲା। ସରକାର ବିସ୍ଥାପିତଙ୍କୁ ନୂଆଘର ଦେଲେ। କିନ୍ତୁ ପୁଣି ଘର ପାଇଥିବା ଲୋକେ ଆସି ବସ୍ତିରେ ନିଜ ନିଜ ଜାଗା ଦଖଲ କଲେଣି। ସେଠାରେ ଏକାଧିକ ଘର ତିଆରି କଲେଣି ବୋଲି ଆଜି ଅଭିଯୋଗ ଶୁଣାଣିରେ ଅଭିଯୋଗ ଉଠିଛି। ଜଣେ ଜଣେ ୪/୫ଟି ଘର କରି ଜାଗା ଦଖଲ କରି ରଖିଛନ୍ତି। ଅଞ୍ଚଳବାସୀ କହିଛନ୍ତି, ଏଭଳି ବେଆଇନ୍ ଜବରଦଖଲ ପଛରେ ବିଏମ୍ସି ଅଧିକାରୀଙ୍କ ହାତ ରହୁଛି। ସେପଟେ ଯେଉଁ ବିକାଶ ପାଇଁ ଏହି ଅଞ୍ଚଳରୁ ବସ୍ତି ଉଚ୍ଛେଦ କରାଯାଇଥିଲା, ସେ କାମ ବି ଅଧାଗଢ଼ା ଅବସ୍ଥାରେ ପଡ଼ିଛି। ବିଏମ୍ସି ଏହାକୁ ନିଜ ଦଖଲକୁ ନ ନେଇ ଖୋଲାମେଲା ଛାଡ଼ିଦେଇଛି। ଯାହା ଜବରଦଖଲ ସୁଯୋଗ ସୃଷ୍ଟି କରୁଛି। ବିଏମ୍ସି କିଛି ଘର ଅଧା ଭାଙ୍ଗି ଛାଡ଼ି ଦେଇଥିଲା, ଯାହା ପୁଣିଥରେ ଗଢ଼ି ଉଠିଲାଣି। ଏଣୁ ଉଚ୍ଛେଦ ଜାଗାରେ ପାଚେରି ବୁଲାଇ ବିଏମ୍ସି ଦଖଲକୁ ନେବାକୁ ଦାବି ହୋଇଛି।