ଅଧୁରା ରହିଲା ଜାଗର ପାଇଁ ଟ୍ରଷ୍ଟବୋର୍ଡ ବୈଠକ : ପୁଣି ଯୋଗ ଦେଲେନି ସେବାୟତ, ରାତି ୧୦ଟ‌ାରେ ମହାଦୀପ ଉଠିବ

ପୁରୁଣା ଭୁବନେଶ୍ବର : ଏକାମ୍ର କ୍ଷେତ୍ର ଜାଗରଯାତ୍ରା ପାଇଁ ଆଜି ସ୍ବତନ୍ତ୍ର ସର୍କିଟ ହାଉସ୍‌ରେ ଟ୍ରଷ୍ଟ ବୋର୍ଡ ବୈଠକ କରାଯାଇଥିଲା। କିନ୍ତୁ ଏହି ବୈଠକରେ ବି ସେବାୟତମାନେ ଯୋଗ ଦେଇନଥିଲେ। ଗତକାଲି ବିଡିଏ କାର୍ଯ୍ୟାଳୟରେ ମହାଶିବରାତ୍ରୀ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସେବାୟତମାନେ ଅନୁପସ୍ଥିତ ଥିଲେ। ଆଜି ମଧ୍ୟ ଟ୍ରଷ୍ଟ ବୋର୍ଡ ବୈଠକରେ ନିଯୋଗ ପ୍ରତିନିଧିମାନେ ଯୋଗ ଦେଇନଥିଲେ। ଏହା ମନ୍ଦିର ପ୍ରଶାସନର ଚିନ୍ତାର ବିଷୟ ହୋଇଛି। ସେବାୟତଙ୍କ ଜମି ବିବାଦ ଓ ହାଣ୍ଡିଭଙ୍ଗା ଯାତ ପ୍ରସଙ୍ଗ ସମାଧାନ ହୋଇନଥିବାରୁ ନିଯୋଗମାନଙ୍କ ପକ୍ଷରୁ ଏହି ସବୁ ବୈଠକକୁ ବର୍ଜନ କରାଯାଉଛି ବୋଲି ସେବାୟତମାନେ ସୂ୍ଚନା ଦେଇଛନ୍ତି।

ତେବେ ଆଜିର ଏହି ବୈଠକରେ କେବଳ ଜାଗର ଯାତ୍ରା ପାଇଁ ବିଏମ୍‌ସିଠୁ ଅନୁମତି ଅଣାଯିବା ଓ ଆୟବ୍ୟୟ ଆଲୋଚନା କରାଯାଇଥିଲା। ବଡ଼ କଥା ହେଉଛି ଏନ୍‌ଏମ୍‌ଏ ଲାଗୁ କରିଥିବା ବାଇ-ଲ’ ପ୍ରତ୍ୟାହାର ପାଇଁ ଟ୍ରଷ୍ଟ ବୋର୍ଡ ଚିଠି ଲେଖିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବାଇ-ଲ’ ପ୍ରତ୍ୟାହାର ପାଇଁ ଟ୍ରଷ୍ଟ ବୋର୍ଡର ସଭ୍ୟମାନେ ଏକମତ ହୋଇଥିଲେ। ଏନେଇ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖାଯିବ ବୋଲି ସ୍ଥିର କରାଯାଇଛି। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିର ପାଇଁ ଏଏସ୍ଆଇ ଯେଉଁ କାମ କରିବେ ଓ ଯାହା ବଜେଟ୍‌ କରିବେ, ଏଏସ୍ଆଇ ଅଧିକାରୀ ସେ ବାବଦରେ ଟ୍ରଷ୍ଟ ବୋର୍ଡକୁ ଜଣାଇବେ। ଏଥର ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସମୟ ନିର୍ଘଣ୍ଟରେ ମୋହର ମରାଯାଇଛି। ମନ୍ଦିର ନିକଟରେ ଅଧିକ ଜୋତା ଷ୍ଟାଣ୍ଡ୍‌ କରାଯିବା ପାଇଁ ବିଏମ୍‌ସି କମିସନରଙ୍କୁ ଜଣାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଏଥିରେ ତିନି ପ୍ରମୁଖ ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ନଥିବାରୁ ଜାଗରଯାତ୍ରାର ବହୁ ବିଷୟରେ ଆଲୋଚନା ହୋଇ ପାରିନଥିଲା। ମନ୍ଦିର ପ୍ରଶାସନ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ସଂଯୋଜନାରେ ଏହି ବୈଠକ ଅଳ୍ପ ସମୟ ପାଇଁ ହେବା ପରେ ବନ୍ଦ କରାଯାଇଥିଲା।

ଏନେଇ ବ୍ରାହ୍ମଣ ନିଯୋଗର ଟ୍ରଷ୍ଟି ହେମନ୍ତ କୁମାର ପଣ୍ଡାଙ୍କ କହିବା ଅନୁଯାୟୀ ବନ୍ଦୋବସ୍ତରେ ବହୁ ଜମିରୁ ସେବାୟତଙ୍କ ନାମ କଟାଯାଇ ଶ୍ରୀଲିଙ୍ଗରାଜଙ୍କ ନାମ ଉଲ୍ଲେଖ କରାଯାଇଛି। ସେହିପରି ହାଣ୍ଡି ଭଙ୍ଗା ଯାତର ସମାଧାନ ହୋଇନାହିଁ। ଏଣୁ ବୈଠକରେ ଯୋଗ ଦେଲୁନାହିଁ। ଏନେଇ ବଡ଼ୁ ନିଯୋଗର ସଭାପତି ତଥା ଟ୍ରଷ୍ଟି ଅଞ୍ଚଳ ବଟୁ କୁହନ୍ତି ଯେ ଶ୍ରାବଣୀ ପାଉଣା ସମାଧାନ ହୋଇନଥିବା ଓ ବନ୍ଦୋବସ୍ତ ଜମି ବିବାଦ ସମାଧାନ ହୋଇନଥିବାରୁ ବୈଠକରେ ଯୋଗ ଦେଲୁନାହିଁ। ଟ୍ରଷ୍ଟ ବୋର୍ଡର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି, ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ବିଏମ୍‌ସି କମିସନରଙ୍କ ପ୍ରତିନିଧି ଭାବେ ବିଏମ୍‌ସି ଡେପୁଟି କମିସନର କମଲଜିତ ଦାସ, ଏସିପି ବିଷ୍ଣୁ ପ୍ରସାଦ ପାତ୍ର ଓ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଷ୍ଟ ବୋର୍ଡର ସଭ୍ୟ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସେବାୟତମାନଙ୍କ ସମସ୍ୟା ବାବଦରେ ଆସନ୍ତା ୧୮ତାରିଖରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଆଲୋଚନା କରାଯିବ। ଏଥିରେ ସେବାୟତମାନେ ସେମାନଙ୍କ ଦାବି ଉପସ୍ଥାପନା କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର