ଭୁବନେଶ୍ବର: ମାଓଅଧ୍ୟୁଷିତ ମାଲକାନଗିରିର ବାଲିମେଳା ଜଳଭଣ୍ଡାର(ସ୍ବାଭିମାନ ଅଞ୍ଚଳ)ରେ ବିଏସ୍ଏଫ୍ ପକ୍ଷରୁ ୨୪ ଘଣ୍ଟିଆ ବୋଟ୍ ଆମ୍ବୁଲାନ୍ସ ସେବା ଆସନ୍ତା ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବ। ଜଳଭଣ୍ଡାର ନିକଟରେ ରହୁଥିବା ପାଖାପାଖି ୧୦ ହଜାର ଗ୍ରାମବାସୀ ଉପକୃତ ହେବେ। ଦକ୍ଷିଣ ଓଡ଼ିଶାରୁ ମାଓ କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ବନ୍ଦ କରିବା ଓ ସେଠାକାର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ଉଦ୍ଦେଶ୍ୟରେ ବିଏସ୍ଏଫ୍ ପକ୍ଷରୁ ବହୁ ଜନହିତକର ପଦକ୍ଷେପ ନିଆଯାଇଛି। ଏହି ବୋଟ୍ ଆମ୍ବୁଲାନ୍ସ ସେବା ତାହାର ଏକ ଅଂଶବିଶେଷ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଏସ୍ଏଫ୍ ଆଇଜି ସତୀଶ ଚନ୍ଦ୍ର ବୁଡ଼ାକୋଟି ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଥିଲେ ଯେ ମାଲକାନଗିରି ଜିଲ୍ଲାର ସିଲେରୁ ନଦୀରେ ପ୍ରାୟ ୭୦ କିମି ଲମ୍ବ ଏବଂ ୫କିମି ଚଉଡ଼ା ବିଶିଷ୍ଟ ବାଲିମେଳା ଜଳଭଣ୍ଡାର ରହିଛି। ଏହି ଜଳଭଣ୍ଡାରରେ କୂଳରେ ପ୍ରାୟ ୩୫ରୁ ୪୦ଟି ଗାଁରେ ୧୦ ହଜାରରୁ ଊର୍ଧ୍ବ ଲୋକ ବସବାସ କରୁଛନ୍ତି। କିନ୍ତୁ ଆଖପାଖରେ କୌଣସି ଡାକ୍ତରଖାନା ନଥିବାରୁ ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେଲେ, ସେମାନେ ହଇରାଣ ହରକତ ହୋଇଥା’ନ୍ତି। ଉପଯୁକ୍ତ ଚିକିତ୍ସା ଅଭାବରୁ ଲୋକେ ପ୍ରାଣ ହରାଇବାର ମଧ୍ୟ ନଜିର ରହିଛି। ତେଣୁ ଏହି ଗରିବ, ନିରୀହ ଆଦିବାସୀଙ୍କୁ ହାତପାଆନ୍ତାରେ ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ବିଏସ୍ଏଫ୍ ପକ୍ଷରୁ ଏଠାରେ ୨୪ ଘଣ୍ଟିଆ ବୋଟ୍ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବାକୁ ଯୋଜନା କରାଯାଇଛି। ଏହି ବୋଟ୍ରେ ରୋଗୀଙ୍କ ଆଶୁ ଚିକିତ୍ସା ପାଇଁ ସବୁପ୍ରକାର ବ୍ୟବସ୍ଥା ରହିଥିବା ବେଳେ ଗୁରୁତର ରୋଗୀଙ୍କୁ ଅତି ସହଜରେ ମେଡିକାଲକୁ ନିଆଯାଇପାରିବ ବୋଲି ଶ୍ରୀ ବୁଡ଼ାକୋଟି କହିଥିଲେ।
ସାଧାରଣତନ୍ତ୍ର ଦିବସରୁ କାର୍ଯ୍ୟକ୍ଷମ
ଯୋଗାଯୋଗ ପାଇଁ ଜାରି ହେବ ଏମର୍ଜେନ୍ସି ନମ୍ବର
ଉପକୃତ ହେବେ ୧୦ ହଜାର ଗ୍ରାମବାସୀ
ଏହି ବୋଟ୍ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ପାଇଁ ଏକ ଏମର୍ଜେନ୍ସି ନମ୍ବର ବିଏସ୍ଏଫ୍ ପକ୍ଷରୁ ଜାରି କରାଯିବ। ଯେଉଁ ଅଞ୍ଚଳରେ ଫୋନ୍ ଟାଵାର୍ ବା ନେଟଵର୍କ ବ୍ୟବସ୍ଥା ନାହିଁ, ସେଠାରେ ପାଖ ବିଏସ୍ଏଫ୍ କ୍ୟାମ୍ପ୍ ନଚେତ୍ ଥାନା ମାଧ୍ୟମରେ ବିଏସ୍ଏଫ୍କୁ ଯୋଗାଯୋଗ କରାଯାଇପାରିବ ବୋଲି ସେ କହିଛନ୍ତି।
ତେବେ ବିଏସ୍ଏଫ୍ ଯବାନ ଓ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଅଧିକ ଭିତରକୁ ଅର୍ଥାତ୍ ମାଓବାଦୀଙ୍କ ଗତିବିଧି ଯେଉଁଠି ସକ୍ରିୟ ଥିବ ଏବଂ ଥାନା କି ବିଏସ୍ଏଫ୍ କ୍ୟାମ୍ପ୍ ନଥିବ ସେଠାକୁ ବିଳମ୍ବିତ ରାତିରେ ବୋଟ୍ ଆମ୍ବୁଲାନ୍ସ ଚାଲିବ ନାହିଁ। ଏହା ସହିତ ଏହି ଆମ୍ବୁଲାନ୍ସ ବାଲିମେଳା ଜଳଭଣ୍ଡାରର କେଉଁଠି ରହିବ, ତା’ ମଧ୍ୟ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଏସଏଫ ଗୁଇନ୍ଦା ଡିଆଇଜି ବିପୁଲ ବୀର ଗୋସେନ୍, ଅପରେସନ୍ ଡିଆଇଜି ଧୀରେନ୍ଦ୍ର କୁମାର ଏବଂ କମାଣ୍ଡାଣ୍ଟ୍ ଈଶ୍ବର ଚନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ।