ଖଣ୍ଡଗିରି: ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ଭରତପୁର ଥାନାରେ କ୍ୟାପ୍‌ଟେନ୍‌ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ପୁଲିସ ଭୁଲିଗଲାଣି। ଥାନାରେ କଣ ଘଟୁଛି? ପୁଲିସର ଭୁଲ୍‌ ନା ଅଭିଯୋଗକାରୀଙ୍କ ଭୁଲ୍‌? ଏସବୁର ବିବରଣୀ ରେକର୍ଡ କରିବାକୁ ଥାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଯେଉଁ ‘ବଡି କ୍ୟାମ୍‌’ ଦିଆଯାଇଥିଲା ତାହାକୁ ଆଉ କର୍ମଚାରୀ ପିନ୍ଧୁନାହାନ୍ତି। ରାତିଅଧରେ ଅନେକ ସମୟରେ ମଦ୍ୟପ ଅଭିଯୋଗକାରୀ ଥାନାରେ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ କେତେକ ମହିଳା ଅଭିଯୋଗକାରୀଙ୍କ ଯୋଗୁ ଅଭାବନୀୟ ସ୍ଥିତି ସୃଷ୍ଟି ହେଉଥିବା ନଜିର ରହିଛି। କିନ୍ତୁ କର୍ମଚାରୀମାନେ କାହିଁକି ପିନ୍ଧୁନାହାନ୍ତି ସେ ନେଇ ପ୍ରଶ୍ନ ଉଠିଛି। ତେବେ ଅଧିକାଂଶ ମାମଲାରେ ପୁଲିସ ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରୁଥିବାରୁ ପ୍ରମାଣ ରହିଯିବା ଭୟରେ ବଡି କ୍ୟାମ୍‌ ପିନ୍ଧୁ ନଥିବା ଅଭିଯୋଗ ହୋଇଛି।

Advertisment

ଗତବର୍ଷ ସେପ୍ଟେମ୍ବର ମାସ ୧୪ ତାରିଖ ବିଳମ୍ବିତ ରାତିରେ କ୍ୟାପ୍‌ଟେନ୍‌ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ହାଜତ୍‌ରେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଜାତୀୟସ୍ତରର ସେନା ସଂଗଠନ ଛିଡ଼ା ହୋଇଥିଲା। ସାରା ଭାରତବର୍ଷରେ ମାମଲା ଚର୍ଚ୍ଚା‌କୁ ଆସିବା ପରେ ପୁଲିସ ନିନ୍ଦିତ ହୋଇଥିଲା। ଓଡ଼ିଶା ପୁଲିସକୁ କାଠଗଡ଼ାରେ ଠିଆ ହେବାକୁ ପଡ଼ିଥିଲା। କିଛି ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ହୋଇଥିଲା। ଏହା ପରେ ପୁଲିସ ମାନସମନ୍ଥନ କରିଥିଲା। ସିସିଟିଭି ଥିଲେ ମଧ୍ୟ ଯୁକ୍ତିତର୍କ ବେଳେ କିଏ କଣ କହୁଚି ବା ଧମକ ଦେଉଛି ତାହା ରେକର୍ଡ କରିବା ସମ୍ଭବ ହେଉନଥିଲା। ଏଣୁ ଥାନାରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କ ଦେହରେ ‘ବଡି କ୍ୟାମ୍‌’ ଖଞ୍ଜିବା ଯୋଜନା ହୋଇଥିଲା। ଗତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଭୁବନେଶ୍ବର ଓ କଟକର ୫୨ଟି ଥାନା ମଧ୍ୟରୁ ୩୨ଟି ଥାନାକୁ ଏହି ବଡି କ୍ୟାମ୍‌ ଯୋଗାଇ ଦିଆଯାଇଥିଲା। ପୂର୍ବରୁ ୨୦୧୭-୧୮ ମସିହାରେ ଏଜି ଛକରେ ଦୁଇ ଜଣ ଟ୍ରାଫିକ୍‌ ପୁଲିସଙ୍କୁ ଆକ୍ରମଣ ହେବ‌ା ପରେ କେବଳ କାର୍ଯ୍ୟରତ ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କ ଦେହରେ ଏହି ବଡି କ୍ୟାମ୍‌ ଖଞ୍ଜାଯାଇଥିଲା। ଟ୍ରାଫିକ୍‌ ପୁଲିସଙ୍କୁ ୨୪୦ ବଡି କ୍ୟାମେରା ଓ ୧୬ଟି ଡ୍ୟାସ୍‌ ବୋର୍ଡ କ୍ୟାମେରା ପ୍ରଦାନ କରାଯାଇଥିଲା। ଅଧିକାଂଶ ଟ୍ରାଫିକ୍‌ ପୁଲିସ ମଧ୍ୟ ଏହାକୁ ଆଉ ବ୍ୟବହାର କରୁନାହାନ୍ତି। 

ଏହି କ୍ୟାମେରାରେ ଲାଗିଥିବା ଚିପ୍‌ରେ ରେକର୍ଡିଂ ମାସେ ପର୍ଯ୍ୟନ୍ତ ରହୁଥିଲା। ଆବଶ୍ୟକ ରେକର୍ଡିଂ ରଖି ବାକି କାଟି ଦିଆଯାଉଥିଲା। ଯେତେବେଳେ ଅଘଟଣ ଘଟୁଥିଲା ସେତେବେଳେ ଏହି ରେକର୍ଡିଂ ପ୍ରମୁଖ ପ୍ରମାଣ ଭାବେ ଉଭା ହେଉଥିଲା। ଅନ୍ୟପଟେ ପୁଲିସ ମଧ୍ୟ ସତର୍କ ରହୁଥିଲା। ଅଭିଯୋଗକାରୀଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରିବାକୁ ଏକ ପ୍ରକାର ବାଧ୍ୟ ହେଉଥିଲା। ଏଣୁ ଉଭୟପଟୁ ଏହି କ୍ୟାମେରା ବେଶ୍‌ ଫଳପ୍ରଦ ଥିଲା। ବିଶେଷକରି ଅଭିଯୋଗ ଗ୍ରହଣ କରୁଥିବା ପୁଲିସ କର୍ମଚାରୀ ପୋଷାକରେ ଏହା ଖଞ୍ଜାଯିବା ଏକାପ୍ରକାର ବାଧ୍ୟତାମୂଳକ କରିଥିଲା ବିଭାଗ। ବଡ଼କଥା ହେଲା କେଉଁ ପୁଲିସ କର୍ମଚାରୀ କେଉଁଥାନାରେ ଡ୍ୟୁଟିରେ ଅଛନ୍ତି, ସେମାନଙ୍କର କ୍ୟା‌ମେରା ଆକ୍ଟିଭ୍‌ ଅଛି କି ନାହିଁ, ଏ ସବୁ ଉପରେ ନିୟନ୍ତ୍ରଣ କକ୍ଷ ନଜର ରଖୁଥିଲା। ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ ରଖନ୍ତି, ସଙ୍ଗେସଙ୍ଗେ ନିୟନ୍ତ୍ରଣ କକ୍ଷରେ ଥିବା ଅଧିକାରୀଙ୍କ ମୋବାଇଲରେ ସତର୍କ ଘଣ୍ଟି ବାଜୁଥିଲା। କେଉଁ ଥାନାରେ ବା ଅଧିକାରୀଙ୍କ ଏହି କ୍ୟାମେରା ବନ୍ଦ ରହିଛି, ତାହା ତୁରନ୍ତ ଜଣାପଡୁଥିଲା। ଏତେ ସବୁ ବ୍ୟବସ୍ଥା ଥାଇ ମଧ୍ୟ କିଭଳି ଓ କାହିଁକି ଏହି କ୍ୟାମେରାର ବ୍ୟବହାର ବନ୍ଦ ହୋଇଗଲା? କେହି କାହିଁକି ସଚେତନ କଲେନି? କାହା ପାଖରେ କୌଣସି ଉତ୍ତର ନାହିଁ। ଭୁବନେଶ୍ବରର କୌଣସି ଥାନାରେ ଏହାର ବ୍ୟବହାର ହେଉ ନଥିଲେ ମଧ୍ୟ ଏଭଳି ଅଭିଯୋଗ ଆସି ନଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।