ଭୁବନେଶ୍ବର: ଟ୍ରାଫିକ ପୁଲିସଙ୍କ ଛାତିରେ ଲାଗିବ ବଡ଼ି କ୍ୟାମେରା। ୪ରୁ ୫ଘଣ୍ଟା ସମୟ ଧରି ଏହି କ୍ୟାମେରା ଉଭୟ ଭିଡିଓ ଓ ଅଡିଓ ରେକର୍ଡିଂ କରି ପାରିବ। ଏହି କ୍ୟାମେରା ଦେହରେ ଲାଗିଲେ କୌଣସି ଟ୍ରାଫିକ କର୍ମଚାରୀ ଲାଞ୍ଚ ନେବାକୁ ସାହସ କରି ପାରିବେ ନାହିଁ। କେବଳ ଏତିକି ନୁହେଁ, ଜରିମାନା ଆଦାୟ ବେଳେ ମଧ୍ୟ କୌଣସି ବ୍ୟକ୍ତି ଟ୍ରାଫିକ ପୁଲିସ ସହିତ ଯୁକ୍ତିତର୍କ, ଗଣ୍ଡଗୋଳ ବେଳର ଦୃଶ୍ୟ ସବୁ ରେକର୍ଡିଂ ହୋଇ ପାରିବ। ଏମିତି ଏକ ଯୋଜନା ୨୦୧୭ ଡିସେମ୍ବର ମାସରେ କମିସନରେଟ ପୁଲିସ ପକ୍ଷରୁ ଲାଗୁ କରାଯାଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ ୨୪୦ଟି ବଡି କ୍ୟାମେରା ଟ୍ରାଫିକ ପୁଲିସକୁ ପ୍ରଦାନ କରାଯାଇଥିଲା। କିଛି ଦିନ ଟ୍ରାଫିକ ପୁଲିସ ଏହି ସବୁ କ୍ୟାମେରାକୁ ଦେହରେ ଲଗାଇଥିଲେ। କିନ୍ତୁ ପରବର୍ତୀ ସମୟରେ ଆଉ କୌଣସି ଟ୍ରାଫିକ କର୍ମଚାରୀ ଏହାକୁ ଦେହରେ ଲଗାଇବା ଦେଖିବାକୁ ମିଳିଲା ନାହିଁ। କହିବାକୁ ଗଲେ ଏହି ଯୋଜନା ସଂପୂର୍ଣ୍ଣ ଭାବେ ଫେଲ୍‌ ମାରିଛି।

Advertisment

ମିଳିଥିବା ସୂଚନା ମୁତାବକ, ଅନେକ ଜାକଜମକର ସହିତ ଏହି ଯୋଜନା ଆରମ୍ଭ କରିଥିଲେ ତତ୍କାଳୀନ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ। ଉଭୟ କଟକ ଓ ଭୁବନେଶ୍ବର ଡିସିପି, ଟ୍ରାଫିକ ପୁଲିସର ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ସେହି ସମୟରେ କୁହାଯାଇଥିଲା କି, ଡ୍ୟୁଟିବେଳେ ସ୍ବଚ୍ଛତା ଅବଲମ୍ବନ କରିବା ସହିତ ଟ୍ରାଫିକ୍‌ ନିୟମର ଉଲ୍ଲ˚ଘନ କରୁଥିବା ବାଇକ୍‌ ଓ କାର ଚାଳକ ଉପରେ ଏହି କ୍ୟାମେରା ମାଧୢମରେ ନଜର ରଖାଯାଇ ପାରିବ। ଏହା ଛଡ଼ା ବିଭିନ୍ନ ସମୟରେ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଜରିମାନା ଆଦାୟ କରାଯିବାବେଳେ ଟ୍ରାଫିକ୍‌ ପୁଲିସଙ୍କ ବିରୋଧରେ ଅନେକ ଅଭିଯୋଗ ଆସୁଥିଲା। ବାଇକ୍‌ ଓ କାର ଚାଳକମାନେ ଟ୍ରାଫିକ ପୁଲିସ କର୍ମଚାରୀମାନେ ଲାଞ୍ଚ ନେଉଛନ୍ତି ବୋଲି ଅଭିଯୋଗ କରୁଥିଲେ। ଛୋଟ ଛୋଟ କଥାରେ କେତେକ ଛକରେ ଟ୍ରାଫିକ ପୁଲିସକୁ ବାଇକ୍‌ ଓ କାର ଚାଳକମାନେ ଆକ୍ରମଣ କରୁଥିଲେ। ପରବର୍ତୀ ସମୟରେ ସେମାନେ ଏଭଳି ଅଭିଯୋଗକୁ ଫାଙ୍କି ଦେବା ସହିତ ଟ୍ରାଫିକ ପୁଲିସ ବିରୋଧରେ ଅଭିଯୋଗ ଆଣୁଥିଲେ। ଟ୍ରାଫିକ ପୁଲିସଙ୍କ ଛାତିରେ କ୍ୟାମେରା ଲାଗିବା ପରେ ସବୁ ଘଟଣା ରେକର୍ଡିଂ ହୋଇ ଯିବ। କିଏ ମିଛ କହୁଛି କିଏ ସତ, ଜଣାପଡ଼ିଯିବ। କେବଳ ଟ୍ରାଫିକ୍‌ ପୁଲିସ ନୁହନ୍ତି, ଟ୍ରାଫିକ୍‌ ପୁଲିସର ଏସିପି ଓ ଦୁଇ ଇନ୍ସପେକ୍ଟରଙ୍କ ଗାଡ଼ିରେ ମଧୢ କ୍ୟାମେରା ଖଞ୍ଜା ଯିବା ଲାଗି ମଧ୍ୟ କୁହାଯାଇଥିଲା। ପରବର୍ତୀ ସମୟରେ ଏହି କ୍ୟାମେରାସବୁକୁ ପୁଲିସ କଣ୍ଟ୍ରୋଲ ରୁମ୍‌ ସହିତ ସ˚ଯୋଗ କରାଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଥିଲେ। କିନ୍ତୁ କିଛିଦିନ ପରେ ଏହି କ୍ୟାମେରା‌ରେ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। ଦେହରେ ବଡି କ୍ୟାମେରା ଅନ୍ କରିବାର ମାତ୍ର ୨୦ରୁ ୨୫ ମିନିଟ ମଧ୍ୟରେ ଗରମ ହୋଇଗଲା। ସେହିପରି ପ୍ରଥମେ କୁହାଯାଇଥିଲା ୪ରୁ ୫ ଘଣ୍ଟା ଉଭୟ ଭିଡିଓ ଓ ଅଡିଓ ରେକର୍ଡିଂ କରାଯାଇ ପାରିବ। କିନ୍ତୁ ପ୍ରକୃତରେ ଏହା ଅନ୍ ହେବାର ମାତ୍ର ଅଧଘଣ୍ଟା ରେକର୍ଡିଂ ହୋଇ ପାରୁଛି। ଯାହା ଫଳରେ ଏହା ରେକର୍ଡିଂରେ ମଧ୍ୟ ସମସ୍ୟା ଦେଖା ଦେଲା। ଏହାକୁ ମଧ୍ୟ ପୁଲିସ କଣ୍ଟ୍ରୋଲ ରୁମ୍‌ ଓ ଟ୍ରାଫିକ୍‌ ପୁଲିସର ଏସିପି ଓ ଦୁଇ ଇନ୍ସପେକ୍ଟରଙ୍କ ଗାଡିରେ ମଧ୍ୟ ଖଞ୍ଜା ଯାଇ ପାରିଲା ନାହିଁ। ଏହି ଭଳି କେତେକ କାରଣରୁ ଏବେ ଏହି ବଡି କ୍ୟାମେରା ଯୋଜନା ସଂପୂର୍ଣ୍ଣ ଭାବେ ଫେଲ ମାରିଛି।

ତେବେ ଏ ସମ୍ପର୍କରେ ଟ୍ରାଫିକ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯୋଜନା ଫେଲ ମାରିନାହିଁ। ବରଂ ଏଥିରେ କେତେକ ବୈଷୟିକ ସମସ୍ୟା ଦେଖା ଦେଇଛି। ଏହି ତ୍ରୁଟିର ସମାଧାନ ଖୁବ ଶୀଘ୍ର କରାଯିବ। ସେହିପରି ଅନେକ ଟ୍ରାଫିକ ପୁଲିସ କର୍ମଚାରୀ ଦେହରେ ବଡି କ୍ୟା‌ମେରା ଲଗାଇବାକୁ ପସନ୍ଦ ମଧ୍ୟ କରୁନାହାନ୍ତି। ଯାହା ଫଳରେ ଆପଣମାନେ ଏହି କ୍ୟାମେରାକୁ ଦେଖି ପାରୁନାହାନ୍ତି।