ଫାର୍ମ ହାଉସ୍‌ ପୋଖରୀରେ ମେଧାବୀ ଛାତ୍ରୀଙ୍କ ମୃତଦେହ

ଜେଇଇ ରେଜଲ୍ଟକୁ ନେଇ ମନସ୍ତାପରେ ଥିଲେ, ସାମ୍ନାକୁ ଆସିଲା ସିସିଟିଭି ଚିତ୍ର

ଭୁବନେଶ୍ବର, : ରାଜଧାନୀ ଉପକଣ୍ଠ ରଘୁନାଥପୁରରେ ଏକ ଫାର୍ମ ହାଉସ୍‌ ପୋଖରୀରୁ ଜଣେ ମେଧାବୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତ ଛାତ୍ରୀ ହେଲେ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକଙ୍କ ଝିଅ କାମିନୀ ପ୍ରିୟଦର୍ଶିନୀ(୧୮)। ଆଜି ସକାଳୁ ଘଟଣା ଜଣାପଡ଼ିବା ପରେ ନନ୍ଦନକାନନ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରିଛି। କାମିନୀ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରୁଥିବା ବେଳେ ଝିଅ ପାଚେରି ଡେଇଁ ଏତେବାଟ ଗଲେ କିପରି ତାହା ତାଙ୍କ ବାପା ବିଶ୍ବାସ କରିପାରୁନାହାନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜା‌ଣିବା ଲାଗି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂଚନା ଅନୁସାରେ, କାମିନୀ ତାଙ୍କ ପରିବାର ସହ ରଘୁନାଥପୁରରେ ରହନ୍ତି। ଓୟୁଏଟି ନିକଟ ବେସିକ୍ ସାଇନ୍ସ କଲେଜରୁ କାମିନୀ ଯୁକ୍ତ ୨ରେ ୮୯ ପ୍ରତିଶତ ନମ୍ବର ରଖି ପାସ୍ କରିଥିଲେ। ଇଞ୍ଜିନିୟରିଂ ପଢ଼ିବା ପାଇଁ ଜେଇଇ ପରୀକ୍ଷା ଦେଇଥିଲେ। ତେବେ ଜେଇଇ ରେଜଲ୍ଟ ଖରାପ ହେବାରୁ ଗତକାଲି ସେ ଦିନତମାମ୍ ମନସ୍ତାପରେ ରହିବା ସହ କାନ୍ଦୁଥିଲେ ବୋଲି ପରିବାର ଲୋକ ପୁଲିସ ଆଗରେ କହିଛନ୍ତି। ରାତି ପ୍ରାୟ ୩ଟା ବେଳେ କାମିନୀ ଘରେ ନ ଥିବା ତାଙ୍କ ମା’ ଦେଖିବାକୁ ପାଇଥିଲେ। ଏ ନେଇ ସେ ସ୍ବାମୀ ରମେଶଙ୍କୁ ଜଣାଇଥିଲେ। ରମେଶ ବହୁ ଖୋଜାଖୋଜି କରିବା ପରେ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ। ଘର ନିକଟରେ ଲାଗିଥିବା ସିସିଟିଭିରେ କାମିନୀ ରାତି ପ୍ରାୟ ୧ଟା ୫୫ରେ ଦୌଡ଼ି ଦୌଡ଼ି ଯାଉଥିବା ଦେଖିବାକୁ ମିଳିଥିଲା। ଅନ୍ୟ ଏକ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିବାରୁ ସେ ନନ୍ଦନକାନନ ରାସ୍ତାରେ ଯାଉଥିବା ଜଣାପଡ଼ିଥିଲା। ବହୁ ଖୋଜାଖୋଜି ପରେ ଝିଅକୁ ନ ପାଇବାରୁ ସେ ଏ ନେଇ ନନ୍ଦନକାନନ ପୁଲିସକୁ ଜଣାଇଥିଲେ। ଶେଷରେ ଆଜି ସକାଳେ ରଘୁନାଥପୁର-ନନ୍ଦନକାନନ ରାସ୍ତାରେ ଥିବା ଏକ ଫାର୍ମ ହାଉସର ପୋଖରୀରେ ତାଙ୍କ ଝିଅଙ୍କ ମୃତଦେହ ଭାସୁଥିବା ଖବର ପାଇ ପରିବାର ଲୋକ ସେଠାରେ ପହଞ୍ଚିଥିଲେ।

ଜେଇଇ ପରୀକ୍ଷା ରେଜଲ୍ଟ ଖରାପ ଯୋଗୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ରମେଶ କହିଛନ୍ତି। କିନ୍ତୁ ଅନ୍ଧାର ରାତିରେ ଉଚ୍ଚ ପାଚେରି ଡେଇଁ କେମିତି ଫାର୍ମ ହାଉସ୍ ଭିତରକୁ ଆସିଲେ ତାକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି କାମିନୀ ଯଦି ଆତ୍ମହତ୍ୟା କରିଛନ୍ତି ତାହେଲେ ଘରଠାରୁ ୧ କିଲୋମିଟର ଦୂର ଏହି ଜାଗାକୁ ସେ ବାଛିଲେ କାହିଁକି? ସେଠାରେ ପୋଖରୀ ଅଛି ବୋଲି କେମିତି ଜାଣିଲେ? ଯଦି ପାଣିକୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ତାହେଲେ ଘର ନିକଟରେ ଥିବା ପୋଖରୀରେ ନ କରି ଦୂରରେ ଥିବା ଫାର୍ମ ହାଉସ ଜଳାଶୟକୁ କାହିଁକି ବାଛିଲେ? ନା ଘରୁ ଚାଲି ଆସିବା ପରେ କିଏ ତାଙ୍କୁ ଏକୁଟିଆ ଦେଖି ସେହି ଜାଗାକୁ ନେଇ ଯାଇଛି କି? କାମିନୀ ଜଣେ ମେଧାବୀ ଛାତ୍ରୀ ବୋଲି ପରିବାର ଲୋକ କହୁଥିବା ବେଳେ ଜେଇଇ ପରୀକ୍ଷା ରେଜଲ୍ଟ ଖରାପ ହେବା ଯୋଗୁ ସେ କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ? ନା ତାଙ୍କ ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି? ଅନ୍ୟପକ୍ଷରେ ପୁଲିସ କହିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କେମିତି ମୃତ୍ୟୁ ହେଲା ତାହା ସ୍ପଷ୍ଟ ହେବ।

ଅନ୍ୟପକ୍ଷରେ କାମିନୀ କେବଳ ମେଧାବୀ ଛାତ୍ରୀ ନ ଥିଲେ ବରଂ ଭଲ ଚିତ୍ର ଆଙ୍କୁଥିଲେ ବୋଲି ତାଙ୍କ ବାପା କହିଛନ୍ତି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ନନ୍ଦନକାନନ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର