କୁଶଭଦ୍ରାରେ ମହିଳାଙ୍କ ଗଳିତ ଶବ; ମୁହଁରେ କ୍ଷତ, ହତ୍ୟା ସନ୍ଦେହ

ବାଲିଅନ୍ତା : ବାଲିଅନ୍ତା ଥାନା ଭିଙ୍ଗାରପୁର ନିକଟରେ କୁଶଭଦ୍ରା ନଦୀରେ ଭାସୁଥିବା ଜଣେ ମହିଳାଙ୍କ ମୃତଦେହକୁ ଆଜି ବାଲିଅନ୍ତା ଥାନା ପୁଲିସ ଜବତ କରିଛି। ଅପରିଚିତ ଏହି ମହିଳାଙ୍କ ବୟସ ପାଖାପାଖି ୪୫ ବର୍ଷ ହେବ। ସେ ହଳଦିଆ ଓ ଲାଲ ରଙ୍ଗର ଶାଢ଼ି ପିନ୍ଧିଥିଲେ। ଦୁଇ ହାତରେ ଦୁଇ ପଟ ଷ୍ଟିଲ୍‌ ଚୁଡ଼ି ଥିବାରୁ ସେ ଜଣେ ବିଧବା ମହିଳା ବୋଲି ସନ୍ଦେହ କରାଯାଉଛି। ମୁହଁର ଡାହାଣ ପଟେ ଏକ କ୍ଷତ ଚିହ୍ନଥିବାବେଳେ ନାକ ଓ ପାଟିରୁ ରକ୍ତ ବାହାରିଥିବା ଦେଖାଯାଇଛି। ମୃତଦେହଟି ପାଖାପାଖି ଦୁଇ ଦିନ ପୂର୍ବର ବୋଲି ସ୍ପଷ୍ଟ ହୋଇଛି। ତେଣୁ ତାଙ୍କୁ କେହି ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇ କ୍ୟାପିଟାଲ ହସ୍ପିଟାଲ‌ର ଶବ ସଂରକ୍ଷଣ ଗୃହରେ ରଖିଛି ଓ ପରିଚୟ ମିଳିବା ପରେ ସମ୍ପର୍କୀୟଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ ହେବ ବୋଲି ଅପେକ୍ଷା କରିଛି।

ଆଜି ସକାଳେ ଏହି ମୃତଦେହ ଭାସୁଥିବା ଦେଖି ଲୋକମାନେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ କରିଥିଲେ। ପ୍ରଥମେ ବାଲିପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ପାଣିରୁ ବାହାର କରିଥିଲେ। ପରେ ବାଲିଅନ୍ତା ଥାନା ପୁଲିସ ମୃତଦେହ ପଞ୍ଚନାମା କରି କ୍ୟାପିଟାଲ ହସ୍ପିଟାଲ୍‌କୁ ପଠାଇଥିଲା। ପୁଲିସ ମୃତଦେହକୁ ୯୨ ଘଣ୍ଟା ରଖିବ ଓ ପରିଚୟ ନ ମିଳିଲେ ଶବ ସତ୍କାର କରିବାକୁ ବାଧ୍ୟ ହେବ ବୋଲି ସୂଚନା ଦେଇଛି। ତେବେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମହିଳା ଜଣକ ବିଧବା ଥିଲେ ଓ ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ। ଅନୈତିକ ସମ୍ପର୍କରୁ ସେ ଗର୍ଭବତୀ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ। ମାତ୍ର ସମ୍ପୃକ୍ତ ବ୍ୟକ୍ତି ରାଜି ନ ହେବାରୁ ଲୋକ ଲଜ୍ଜା ଭୟରେ ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥାଇପାରନ୍ତି କିମ୍ବା ସଂପୃକ୍ତ ବ୍ୟକ୍ତି ସବୁଦିନ ପାଇଁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯାଇ ତାଙ୍କୁ ହତ୍ୟା କରିଥି‌ବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର