କୁଆଖାଇ ନଦୀପଠାରୁ ଯୁବକଙ୍କ ମୃତଦେହ ଜବତ ଘଟଣା: ଶ୍ବାସରୁଦ୍ଧ କରି ହତ୍ୟା! ଜାରି ହେଲା ପୋଷ୍ଟର

ବ୍ୟାଙ୍କ, ଏଟିଏମ୍ କାଉଣ୍ଟର, ହୋଟେଲ ନିକଟରେ ଲାଗିଲା
ବସ୍ତିକୁ ବସ୍ତି ବୁଲି ଫଟୋ ଦେଖାଇଲା ପୁଲିସ

ଭୁବନେଶ୍ବର : କୁଆଖାଇ ନଦୀପଠାର ବାଲିଯାତ୍ରା ପଡ଼ିଆରୁ ଉଦ୍ଧାର ମୃତ ଯୁବକ କିଏ? କେଉଁମାନେ, କାହିଁକି, କେମିତି ତା’କୁ ହତ୍ୟା କଲେ? ଏସବୁ ପ୍ରଶ୍ନ ଏବେ ବି ପୁଲିସ ପାଇଁ ଅସମାହିତ ହୋଇ ରହିଛି। ତେବେ ଏହି ଅଚିହ୍ନା ଯୁବକଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ଯୁବକଙ୍କ ନାକରୁ ରକ୍ତସ୍ରାବ ଭଳି ଚିହ୍ନ ରହିଥିବା ବେଳେ ସେହି ଅଞ୍ଚଳ କଳା ପଡ଼ି ଯାଇଛି। ତେଣୁ ତାଙ୍କୁ ମୁହଁକୁ ଚାପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପ୍ରାଥମିକ ଶବ ବ୍ୟବଚ୍ଛେଦରେ ଏହି କ୍ଷତ ଜଣାପଡ଼ୁ ନଥିବା ବେଳେ ଅଧିକ ତର୍ଜମା ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି। ସେହିପରି ଏହି ହତ୍ୟାକାଣ୍ଡ ପଛରେ ତିନିରୁ ଚାରିଜଣଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ମୃତଦେହ ଉଦ୍ଧାର ହେବା ପୂର୍ବରୁ ପ୍ରବଳ ବର୍ଷା ହୋଇଥିବାରୁ ବାଲିରେ ଥିବା ସେମାନଙ୍କ ଚପଲ କିମ୍ବା ଜୋତାର ଚିହ୍ନ ଲିଭି ଯାଇଛି। ତେଣୁ ହତ୍ୟାକାରୀଙ୍କ ସଂପର୍କରେ ପୁଲିସକୁ କିଛି ଠୋସ୍ ପ୍ରମାଣ ବା ସୁରାକ୍ ମିଳିବା କଷ୍ଟକର ହେଉଛି।

‌ପୁଲିସ ପାଇଁ ଏବେ ମୁଣ୍ଡବ୍ୟଥାର ବିଷୟ ହେଲା, ମୃତଦେହ ଉଦ୍ଧାର ହେବାର ୩ ଦିନ ପରେ ବି ଯୁବକଙ୍କ ପରିଚୟ ମିଳି ପାରିନାହିଁ। ପରିଚୟ ମିଳିଗଲେ ବାକି ଘଟଣା ପଦାକୁ ଆସିଯିବ ବୋଲି ପୁଲିସ ଆଶା ରଖିଛି। ତେଣୁ ‘କଟାମୁଣ୍ଡ ଉଦ୍ଧାର ହେବା ଘଟଣା’ରେ ପୁଲିସ ଆପଣାଇଥିବା ଫର୍ମୁଲାକୁ ଏଠାରେ ବ୍ୟବହାର କରିଛି। ମୃତକଙ୍କ ମୁହଁର ଫଟୋ, ପିନ୍ଧିଥିବା କଳା ରଙ୍ଗର ଟ୍ରାଉଜର୍‌, କଳାରଙ୍ଗର ହାଫ୍‌ପ୍ୟାଣ୍ଟ୍, ଧଳା ଛିଟପକା ସାର୍ଟ, ନାଲି ଓ ନୀଳ ରଙ୍ଗ ମିଶା ଚପଲ, କାନରେ ପିନ୍ଧିଥିବା ନୋଳି ଆଦିର ଫଟୋ ଏବଂ ଶରୀରର ଉଚ୍ଚତା, ବୟସ ଆଦି ସୂଚନା ସମ୍ବଳିତ ଏକ ପୋଷ୍ଟର୍‌ ଜାରି କରିଛି ପୁଲିସ। ଆଜି ମଞ୍ଚେଶ୍ବର ଥାନା ପୁଲିସ ଧିରିକୁଟି ବସ୍ତି, ମୁଣ୍ଡା ବସ୍ତି, କିମ୍ଭୀରିଆ ବସ୍ତି ସମେତ କେତେକ ଅଞ୍ଚଳକୁ ଯାଇ ସେଠାକାର ବାସିନ୍ଦାଙ୍କୁ ଏହି ଫଟୋ ଦେଖାଇଛି। କିନ୍ତୁ କେହି ମଧ୍ୟ ଯୁବକଙ୍କୁ ଚିହ୍ନଟ କରିପାରିନାହାନ୍ତି। ଅନ୍ୟପକ୍ଷରେ ଭୁବନେଶ୍ବର ଓ କଟକର ବିଭିନ୍ନ ବ୍ୟାଙ୍କ, ଏଟିଏମ୍ କାଉଣ୍ଟର, ପୋଷ୍ଟ ଅଫିସ, ଢାବା, ହୋଟେଲ, ପଞ୍ଚାୟତ ଅଫିସ ନିକଟରେ ପୋଷ୍ଟର ଲଗା ଯାଇଛି। ଏଥିରେ ମଞ୍ଚେଶ୍ବର ଥାନା ଆଇଆଇସି, ଏସିପିଙ୍କ ନମ୍ବର ମଧ୍ୟ ଦିଆଯାଇଛି। ଏଭଳି କୌଣସି ସୁରାକ୍ ପାଇଲେ, ତୁରନ୍ତ ଏହି ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ବୁଧବାର କିଛି ପିଲା ନଦୀପଠାରେ ବୁଲୁଥିବାବେଳେ ବାଲିରେ ପୋତା ଯାଇଥିବା ଜଣେ ବ୍ୟକ୍ତିଙ୍କ ପାପୁଲି ଦେଖିବାକୁ ପାଇଥିଲେ। ଗୁରୁବାର ବାଲି ଖୋଳାଯିବା ପରେ ଏହି ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର