କୁଆଖାଇ ନଦୀପଠାରୁ ଯୁବକଙ୍କ ଗଳିତ ଶବ ଜବତ ଘଟଣା: ରହସ୍ୟ ଭେଦ କରିପାରୁନି ପୁଲିସ

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର କାରଣ ଅସ୍ପଷ୍ଟ
ପାରିପାର୍ଶ୍ବିକ ପରିସ୍ଥିତିରୁ ହତ୍ୟା ସନ୍ଦେହ ଦୃଢ଼ୀଭୂତ

ଭୁବନେଶ୍ବର : କୁଆଖାଇ ନଦୀପଠାର ବରିମୁଣ୍ଡ ନିକଟ ବାଲିଯାତ୍ରା ପଡ଼ିଆରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ମିଳିବା ଘଟଣାକୁ ଦୁଇ ଦିନ ବିତିଗଲାଣି। କିନ୍ତୁ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇ ପାରିନାହିଁ ପୁଲିସ। ଏଭଳି ସ୍ଥିତିରେ ଆଜି ପୁଲିସ ହାତରେ ଲାଗିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ତେବେ ଯୁବକଙ୍କ ମୃତ୍ୟୁ କେମିତି ହେଲା ତାହା ରିପୋର୍ଟରୁ ସ୍ପଷ୍ଟ ହୋଇପାରୁନି। ତାହାକୁ ନେଇ ଆରମ୍ଭ ହୋଇଛି ତନାଘନା। ପାରିପାର୍ଶ୍ବିକ ପରିସ୍ଥିତିରୁ କିନ୍ତୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ଦୃଢ଼ୀଭୂତ ହୋଇଛି। ଯୁବକଙ୍କୁ ବାଲିରେ ପୋତିବା, ମୁଣ୍ଡ ନିକଟରୁ ଚପଲ ମିଳିବା ଘଟଣା ହତ୍ୟା ଆଡ଼କୁ ଇଙ୍ଗିତ କରୁଛି। ଯାହାର ରହସ୍ୟ ଉନ୍ମୋଚନ କରିବା କମିସନରେଟ ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି।

ପୁଲିସକୁ ମିଳିଥିବା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଶରୀର ବାହାରେ କିମ୍ବା ଭିତରେ ସେମିତି କୌଣସି କ୍ଷତ ଚିହ୍ନ ଜଣାପଡ଼ୁ ନାହିଁ। ବିଷକ୍ରିୟା ବା ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବାର ମଧ୍ୟ କୌଣସି ପ୍ରମାଣ ମିଳୁ ନାହିଁ। ‌କେବଳ ଏତିକି ଜଣାପଡ଼ିଛି ଯେ ଯୁବକଙ୍କ ମୃତ୍ୟୁର ୩ ଘଣ୍ଟା ପୂର୍ବରୁ ସେ ଭାତ ଖାଇଥିଲେ। ତିନିରୁ ପାଞ୍ଚ ଦିନ ଭିତରେ ତାଙ୍କର ମୃତ୍ୟୁ ହୋଇଛି। ଏହି ରିପୋର୍ଟ ମିଳିବା ପରେ ପୁଲିସର ଚିନ୍ତା ଆହୁରି ବଢ଼ି ଯାଇଛି। ମୃତ୍ୟୁର କାରଣ ଜାଣିବା ପାଇଁ ରାଜ୍ୟ ଫୋରେନସିକ୍ ଲାବରେଟୋରିକୁ ଭିସେରା ପଠାଯାଇଛି। ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ଆଶା ବାନ୍ଧିଛି।

ସେପେଟ ଆଜି ମଧ୍ୟ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଯୁବକ ଜଣକ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ହୋଇଥିବା ସନ୍ଦେହ କରାଯାଉଥିଲେ ହେଁ ଗତ ୪/୫ ଦିନ ଭିତରେ ଏଭଳି କୌଣସି ଯୁବକ ନିଖୋଜ ହୋଇଥିବା ନେଇ କୌଣସି ଥାନାରେ ରିପୋର୍ଟ ହୋଇନାହିଁ। ତେବେ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ନିଖୋଜ ମାମଲାକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି। ମୃତଦେହ ଚିହ୍ନଟ ନ ହେଲେ ପୁଲିସ କଟାମୁଣ୍ଡ ମାମଲା ଭଳି ପୋଷ୍ଟର ମାରି ପରିଚୟ ଜାଣିବାକୁ ଚେଷ୍ଟା କରିବ ବୋଲି ଜଣାପଡ଼ିଛି।

୨୪ଘଣ୍ଟାରେ ଆସିଲାଣି ୫ ନିଖୋଜ ଅଭିଯୋଗ
ମୃତ ଯୁବକଙ୍କ ପରିଚୟ ପାଇବା ପାଇଁ ପୁଲିସ ତନାଘନା ଚଳାଇଛି। ନିଖୋଜ ମାମଲାକୁ ଗୁରୁତ୍ବ ଦିଆଯାଉଛି। ଗତକାଲି ସନ୍ଧ୍ୟାରୁ ଆଜି ପର୍ଯ୍ୟନ୍ତ ମଞ୍ଚେଶ୍ବର ଥାନାକୁ ୫ରୁ ଅଧିକ ନିଖୋଜ ଅଭିଯୋଗ ଆସିଲାଣି। ଖାରବେଳନଗର, ଗାଡ଼କଣ, ସାତଶଙ୍ଖ, ପିପିଲି ସମେତ ବିଭିନ୍ନ ଅଞ୍ଚଳରୁ ଯୁବକ ନିଖୋଜ ଅଭିଯୋଗ ଆସିଛି। କିନ୍ତୁ କୌଣସି ନିଖୋଜ ଯୁବକଙ୍କ ସହ ମୃତକଙ୍କର ଶରୀର ମେଳ ଖାଉ ନ ଥିବା ସ୍ପଷ୍ଟ ହୋଇଛି।

ଏକାଧିକ ଦିଗକୁ ନେଇ ସନ୍ଦେହ
ସନ୍ଦେହ ନଂ୧: ଶନିବାର ଘଟଣାସ୍ଥଳରେ କିଛି ଯୁବକଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ଚାଲିଥିଲା ବୋଲି ସ୍ଥାନୀୟ ଲୋକ କହିଥିଲେ। ପାଟିତୁଣ୍ଡ ଚାଲୁଥିବା ଯୁବକଙ୍କ ଭିତରେ ମୃତ ଯୁବକ ଥିଲେ କି ନାହିଁ ତାକୁ ନେଇ ପୁଲିସ ତନାଘନା ଚଳାଇଛି। ସେଠାରେ କେହି ତାଙ୍କୁ ଶ୍ବାସରୁଦ୍ଧ କରି କିମ୍ବା ପାଣିରେ ବୁଡ଼ାଇ ହତ୍ୟା କରିଛି କି?
ସନ୍ଦେହ ନଂ୨: ଯୁବକ ଜଣଙ୍କ ଆପରାଧିକ ମାମଲାରେ ଜଡ଼ିତ ଥିବା ଅନୁମାନ କରାଯାଉଛି। ତେଣୁ ଚୋରି କିମ୍ବା ଲୁଟ୍ ସାମଗ୍ରୀ ଭାଗବଣ୍ଟାକୁ କେନ୍ଦ୍ରକରି ତ‌ାକୁ ସହଯୋଗୀମାନେ ହତ୍ୟା କରିଛନ୍ତି କି?
ସନ୍ଦେହ ନଂ୩: ଘଟଣାସ୍ଥଳରେ ଅଧିକାଂଶ ସମୟରେ ଅପରାଧୀ, ଅସାମାଜିକଙ୍କ ଆଡ଼ା ଜମିଥାଏ। ସେଠାରେ ପ୍ରବଳ ନିଶା ସେବନ ମଧ୍ୟ ହୋଇଥାଏ। ସହଯୋଗୀଙ୍କ ସହ ମିଶି ଅତ୍ୟଧିକ ମଦ୍ୟପାନ କିମ୍ବା ନିଶା ସେବନ ଯୋଗୁଁ ହୃତଘାତରେ ମୃତ୍ୟୁ ହୋଇଥାଇପାରେ। ଏହାକୁ ଲୁଚାଇବାକୁ ଯାଇ ସହଯୋଗୀମାନେ ମୃତ‌ଦେହକୁ ବାଲିପଠାରେ ପୋତି ଦେଇଛନ୍ତି କି?

ସମ୍ବନ୍ଧିତ ଖବର