ଲକ୍ଷେ ଟଙ୍କା ପାଇଁ ହସ୍ପିଟାଲରେ ବନ୍ଧା ପଡ଼ିଛି ଆକ୍ରାନ୍ତଙ୍କ ଶବ

ବିଏମ୍‌ସିକୁ ହସ୍ତାନ୍ତର କରୁନାହାନ୍ତି

ଚନ୍ଦ୍ରଶେଖରପୁର : ହସ୍ପିଟାଲ ବିଲ୍‌ ବାବଦକୁ ଅବଶିଷ୍ଟ ୧ ଲକ୍ଷ ଟଙ୍କା ନ ଦେବାରୁ ୨୪ଘଣ୍ଟା ହେଲା ବନ୍ଧା ପଡ଼ିଛି ଶବ। ବାକିଆ ଟଙ୍କା ନ ଦେଲେ ଶବ ହସ୍ତାନ୍ତର କରାଯିବ ନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ରୋକ୍‌ଠୋକ୍‌ ମନା କରିଦେଇଛନ୍ତି। ନୀଳାଦ୍ରିବିହାର ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ଏହାକୁ ନେଇ ପରିବାରଲୋକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବାରୁ ସ୍ଥାନୀୟ ମୁରବୀ ଓ ପୁଲିସ୍‌ ମିଳିତ ଭାବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଶେଷ ଖବର ଲେଖା ହେବା ବେଳକୁ କୌଣସି ନିଷ୍କର୍ସ ବାହାରି ନଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାରଲୋକେ ତାଙ୍କୁ ଗତ ରାତିରେ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କ କୋଭିଡ୍‌ ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ୍‌ ଆସିଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ଏ ସଂପର୍କରେ କର୍ତ୍ତୃପକ୍ଷ ବିଏମ୍‌ସିକୁ ସୂଚନା ଦେବା ପରିବର୍ତ୍ତେ ତାଙ୍କ ଚିକିତ୍ସା ଜାରି ରଖିଲେ। ତେବେ ରାତି ପ୍ରାୟ ୧୦ଟା ବେଳକୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେତେବେଳକୁ ରୋଗୀର ପରିବାରଲୋକ ଚିକିତ୍ସା ବାବଦକୁ ହସ୍ପିଟାଲରେ ୩ଲକ୍ଷ ଟଙ୍କା ଜମା କରିସାରିଥିଲେ। କିନ୍ତୁ ଆଉ ୧ଲକ୍ଷ ଟଙ୍କା ନ ଦେଲେ ଶବ ହସ୍ତାନ୍ତର କରାଯିବ ନାହିଁ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ।

ପରିବାରଲୋକଙ୍କ ଅଭିଯୋଗ ହେଲା, ଚିକିତ୍ସା ସମୟରେ ରୋଗୀ ଯଦି କରୋନା ପଜିଟିଭ୍‌ ଚିହ୍ନଟ ହେ‌ଲେ, ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ବିଏମ୍‌ସିକୁ ଏ ସଂପର୍କରେ ସୂଚନା ଦେବା ସହ ତାଙ୍କୁ କୌଣସି ଏକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରିବା କଥା। ସେହିପରି ମୃତ୍ୟୁ ପରେ ତାଙ୍କ ଶବକୁ ବିଏମ୍‌ସିକୁ ହସ୍ତାନ୍ତର କରିବା କଥା। କିନ୍ତୁ ତାହା ବି କରୁନାହାନ୍ତି। ୩ ଲକ୍ଷ ଟଙ୍କା ନେବା ପରେ କେଉଁ ଆଧାରରେ ସେମାନେ ଆଉ ୧ଲକ୍ଷ ଟଙ୍କା ମାଗୁଛନ୍ତି ବୋଲି ପରିବାରଲୋକ ପ୍ରଶ୍ନ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ମୁରବୀ ଓ ପୁଲିସ ଆଜି ସଂଧ୍ୟାରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି କିନ୍ତୁ ରିପୋର୍ଟ ଲେଖା ହେବା ବେଳକୁ କିଛି ନିଷ୍କର୍ସ ବାହାରି ନଥିଲା।

ସମ୍ବନ୍ଧିତ ଖବର