ରେଳ ଧାରଣାରୁ ଯୁବକଙ୍କ ଶବ ଉଦ୍ଧାର, ବାପା ଆଣିଲେ ହତ୍ୟା ଅଭିଯୋଗ

ପୁରୁଣା ଭୁବନେଶ୍ୱର : ଗୁରୁବାର ଦିନ ଲିଙ୍ଗରାଜ ରେଳଷ୍ଟେସନ ନିକଟ ରେଳ ଧାରଣାରୁ ଜିଆର୍‌ପି ଥାନା ପୁଲିସ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ଏୟାରଫିଲଡ଼୍‌ ଥାନା ଅଧୀନ ବୀରବନ୍ଧ ଗ୍ରାମର ଲିଙ୍ଗରାଜ ମାର୍ଥା ଓରଫ୍‌ ବଙ୍କୁ(୩୨)। ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଥିଲେ ହେଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜିଆର୍‌ପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବଙ୍କୁ ଆଜି ସକାଳେ ଟ୍ରେନ୍‌ ଲାଇନ୍‌କୁ ଡେଇଁ ଆତ୍ମହତ୍ୟା କରିଥିଲେ। କିଛି ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଜିଆର୍‌ପି ପ୍ରଦୀପ ସେବା ଟ୍ରଷ୍ଟର ସଭ୍ୟ ମଧୁସ୍ମିତାଙ୍କ ସହାୟତାରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ‌ତେବେ ଏହା ଆତ୍ମହତ୍ୟା ନୁହେଁ ବୋଲି ବଙ୍କୁଙ୍କ ବାପା ହେମନ୍ତ ମାର୍ଥା ଆଜି ଏୟାରଫିଲଡ଼୍‌ ଥାନାରେ ଅଭିଯୋଗ କରିଛନ୍ତି। ବଙ୍କୁଙ୍କୁ ଆକ୍ରମଣ କରି ଅଚେତ ଅବସ୍ଥାରେ ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗା ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ହେମନ୍ତଙ୍କ କହିବା ଅନୁଯାୟୀ ଗତକାଲି ବଙ୍କୁ ସହ ଅଜିତ ନାମକ ଜଣେ ଯୁବକ ଝଗଡ଼ା କରିଥିଲା। ଏନେଇ ବଙ୍କୁଙ୍କ ମା’ ଲକ୍ଷ୍ମୀ ମାର୍ଥା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଏୟାରଫିଲଡ଼୍‌ ଥାନା ଅଧିକାରୀ ଦୀପକ କୁମାର ମିଶ୍ର କହିଛନ୍ତି ଯେ ଘଟଣାର ଅନୁସନ୍ଧାନ ଚାଲିଛି।

ସମ୍ବନ୍ଧିତ ଖବର