ଭୁବନେଶ୍ବର: ଗୁରୁବାର ପୂର୍ବାହ୍ଣରେ ଏୟାର୍ଫିଲ୍ଡ ଥାନା ପୁଲିସ ବୀରବନ୍ଧ ଗହୀର ଭିତରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ହେଲେ ଜିତୁରଂଜନ ଭୋଇ(୩୩)। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଏୟାର୍ଫିଲ୍ଡ ଥାନା ପୁଲିସ ହତ୍ୟା ମାମଲା ରୁଜୁକରିଛି ଏବଂ ତଦନ୍ତ ଆରମ୍ଭ କରିଛି।
ଆଜି ପୂର୍ବାହ୍ଣରେ ଜିତୁଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସ ଓ ପରିବାର ଲୋକଙ୍କୁ ଜଣାଇଥିଲେ। ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଥିଲା। କ୍ୟାପିଟାଲ୍ ହସ୍ପିଟାଲ୍ରେ ବ୍ୟବଚ୍ଛେଦ କରାଇବା ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଜିତୁଙ୍କ ବାପା ପୁଅର ଆତ୍ମହତ୍ୟାକୁ ବିଶ୍ବାସ କରିପାରି ନାହାନ୍ତି। ତାଙ୍କ ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଗଛରେ ଝୁଲାଇ ଦିଆଯାଇଛି ବୋଲି ସେ ପୁଲିସକୁ କହିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଜିତୁ ଜଣେ ଡିଜେ ମାଲିକଙ୍କ ନିକଟରେ କାମ କରୁଥିଲେ। ଭଉଣୀ ବାହାଘର ପାଇଁ ସେ ମାଲିକଙ୍କଠାରୁ କିଛି ଟଙ୍କା କରଜ କରିଥିଲେ। କିନ୍ତୁ ବିଭିନ୍ନ ସମସ୍ୟା କାରଣରୁ ସେ କରଜ ଶୁଝି ପାରି ନଥିଲେ।
ଏଥିପାଇଁ ମାଲିକ ବହୁ ସମୟରେ ଜିତୁଙ୍କୁ ଗାଳିମନ୍ଦ କରିବା ସହ ବିଭିନ୍ନ ଧମକ ଦେଉଥିଲେ। ଗତକାଲି ରାତିରେ ଜିତୁ କିଛି ଯୁବକଙ୍କ ସହ ଭୋଜି କରିଥିଲେ। କିନ୍ତୁ ରାତିରେ ଘରକୁ ଫେରିନଥିଲେ। ତେଣୁ ଭୋଜିସ୍ଥଳରୁ ତାଙ୍କୁ କୌଶଳକ୍ରମେ ଉଠାଇ ନେଇ ହତ୍ୟା କରାଯାଇଛି ବୋଲି ଜିତୁଙ୍କ ବାପା ଅଭିଯୋଗ କରିଛନ୍ତି। ତେଣୁ ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଗତରାତିରେ ଭୋଜି କରୁଥିବା ଯୁବକମାନଙ୍କୁ ଠାବ କରିବାକୁ ଉଦ୍ୟମ କରିବା ସହ କିଛି ଲୋକଙ୍କୁ ପଚରାଉଚରା କରିଛି।