ଧଉଳି/ବାଲିଅନ୍ତା ବଜାର: ଗତକାଲି ରାତିରୁ ନିଖୋଜ ଥିବା ବାଲିଅନ୍ତା ଥାନା ଅଧୀନ ବଇଁଚୁଆ ବଢ଼େଇ ସାହିର ଶତ୍ରୁଘ୍ନ ସାହୁଙ୍କ ବଡ଼ପୁଅ ଗୋବିନ୍ଦ ସାହୁ(୩୯)ଙ୍କ ମୃତଦେହ ଆଜି ସଂଧ୍ୟାରେ ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ପୁବାଶାସନସ୍ଥିତ କଣାସ ଶାଖା କେନାଲରୁ ମିଳିଛି। ଅପରାହ୍ନରେ କଣାସ ବ୍ରାଞ୍ଚ କେନାଲରେ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ଫାଣ୍ଡି ପୁଲିସକୁ ଜଣାଇଥିଲେ। କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ସୌମେନ୍ଦ୍ର ଜେନା, ପିପିଲି ଥାନା ଅଧିକାରୀ ସୌମେନ୍ଦ୍ର ଶେଖର ତ୍ରିପାଠୀ, ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି ଓ ବାଲିଅନ୍ତା ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେର ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ପ୍ରାଥମିକ ଭାବେ ପିପିଲି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପିପିଲି ଥାନା ଅଧିକାରୀ ଶ୍ରୀ ତ୍ରିପାଠୀଙ୍କ ସୂଚନା ଅନୁସାରେ ଏନେଇ ବାଲିଅନ୍ତା ଥାନାରେ ମିସିଂ କେସ୍‌ ରହିଛି। ଯେହେତୁ ଶବ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଛି ତେଣୁ ହତ୍ୟା ସନ୍ଦେହ କରାଯାଉଛି। ହେଲେ ପରିବାର ପକ୍ଷରୁ ଏନେଇ ଏଯାଏ କୌଣସି ଅଭିଯୋଗ ଆସିନାହିଁ। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ଅଭିଯୋଗକୁ ଭିତ୍ତକରି ମାମଲାର ଦିଗ ବଦଳିବ ବୋଲି କହିଛନ୍ତି। 

Advertisment

ରଶିରେ ବନ୍ଧା ଯାଇଥିଲା ହାତଗୋଡ଼
ମୋବାଇଲ୍‌, ସୁଇସାଇଡ୍‌ ନୋଟ୍‌ ଜବତ

ଅପରପକ୍ଷରେ ଗୋବିନ୍ଦ ଗତକାଲି ରାତି ସାଢ଼େ ୭ଟା ସମୟରେ ‘ରୁଟି କରିଥା ମୁଁ ଆସିଲେ ଖାଇବି’ ପତ୍ନୀ ଶଶିଙ୍କୁ କହି ବାହାରି ଯାଇଥିଲେ। ହେଲେ ସେ ଆଉ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହୋଇ ଆଜି ଥାନାରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ଣରେ କଣାସ କେନାଲରେ ଏକ ମୃତଦେହ ଭାସୁଥିବା ଖବର ପାଇ ସେଠାରେ ପହଞ୍ଚିଥିଲେ। ଗୋବିନ୍ଦଙ୍କ ପକେଟ୍‌ରୁ ଏକ ମୋବାଇଲ ଫୋନ୍‌ ଓ ସୁଇସାଇଡ୍‌ ନୋଟ୍‌ ପୁଲିସ ଜବତ କରିଛି। ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି, ‘‘ବାପା, ବୋଉ ପ୍ରଣାମ। ମୋ ପିଲା ସ୍ତ୍ରୀ କିପରି ବଞ୍ଚିବେ ତୁମକୁ ଲାଗିଲା। ମୁଁ ବହୁତ ଚାପରେ ଥିଲି। ଆଉ ଧୈର୍ଯ୍ୟ ଧରି ରହିପାରିଲି ନାହିଁ’’। ଅପରପକ୍ଷରେ ପରିବାର ଏବଂ ଗ୍ରାମବାସୀ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଜଣେ କିପରି ନିଜ ହାତକୁ ରଶିରେ ବାନ୍ଧିବ ବୋଲି ଆଲୋଚନା ହେଉଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି। 

ସୂଚନା ମୁତାବକ, ଗୋବିନ୍ଦ ବିବାହିତ। ତାଙ୍କର ଦୁଇଟି ପିଲା ଅଛନ୍ତି। କିଛିଦିନ ତଳେ ତାଙ୍କ ପରିବାରରେ ପାଟିତୁଣ୍ଡ ହୋଇଥିଲା। ସେ ଘରୁ ପଳାଇ ଆସି ଅନ୍ୟତ୍ର ରହୁଥିଲେ। କିଛିଦିନ ରହିବା ପରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଘର ଲୋକ ସମାଧାନ କରାଇ ଘରକୁ ନେଇଯାଇଥିଲେ। ଗାଁରେ ରହି ଫର୍ଣ୍ଣିଚର ତିଆରି କରୁଥିଲେ। ହେଲେ ବେପାର ଭଲ ହେଉନଥିବାରୁ ଅନେକ ଲୋକଙ୍କ ଠାରୁ ସେ ଟଙ୍କା ହାତ ଉଧାରି କରିଥିବା କୁହାଯାଉଛଛି। ତେଣୁ ବକେୟା ଟଙ୍କା, ବ୍ୟାବସାୟିକ ଶତ୍ରୁତା କାରଣ କିମ୍ବା ଅନ୍ୟ କୌଣସି କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।