ବିମାନବନ୍ଦରରେ ଲାଗିବ ବଡି ସ୍କାନର୍

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖୁବ୍ ଶୀଘ୍ର ବଡି ସ୍କାନର୍ ଲାଗିବ। ବିମାନବନ୍ଦରର ସୁରକ୍ଷା ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ପକ୍ଷରୁ ଦେଶର ୧୦୧ଟି ଆବାସିକ ବିମାନବନ୍ଦର ଏବଂ ୨୪ଟି ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡି ସ୍କାନର ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ଦେଶର ୨୮ଟି ଅତି ସମ୍ବେଦନଶୀଳ ଏବଂ ୫୬ଟି ସମ୍ବେଦନଶୀଳ ବିମାନବନ୍ଦରରେ ଏହି ବଡି ସ୍କାନର ଲାଗିବାକୁ ଥିବା ବେଳେ ଏହି କ୍ରମରେ ଭୁବନେଶ୍ବର ବିମାନବନ୍ଦରରେ ଏହା ଲାଗିବ।

ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ ବଡି ସ୍କାନର ଲଗାଇବା ପାଇଁ ଆମେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଜଣାଇଥିଲୁ। ତେଣୁ ଆମର ପ୍ରଥମ ପର୍ଯ୍ୟାୟରେ ଲାଗିବ।

ବିମାନବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯା‌ୟୀ, ଏବେ ଡୋର୍ ଫ୍ରେମ୍ ମେଟାଲ ଡିଟେକ୍ଟର ଏବଂ ହାତ ଧରା ସ୍କାନର୍‌ରେ ଯାତ୍ରୀଙ୍କର ଯାଞ୍ଚ ହେଉଛି। ବର୍ତ୍ତମାନର ବ୍ୟବସ୍ଥାରେ ସିଆଇଏସ୍‌ଏଫ୍ ଯବାନ ଯାତ୍ରୀଙ୍କ ଦେହରେ ହାତ ମାରି ଚେକିଂ କରୁଛନ୍ତି। ଏପରିକି ଚେକିଂ ‌ସମୟରେ କେବଳ ଧାତୁ ଜନିତ କୌଣସି ମାରଣାସ୍ତ୍ର କି ସାମଗ୍ରୀ ଜଣାପଡ଼ୁଛି। ହେଲେ ଅଧାତୁରେ ନିର୍ମିତ କୌଣସି ମାରଣାସ୍ତ୍ର କି ବିସ୍ଫୋରକ ସାମଗ୍ରୀ ଏଥିରେ ଜଣାପଡ଼ୁନି। କେବଳ ଏତିକି ନୁହେଁ ଯାତ୍ରୀମାନେ ଏବେ ଶରୀର ଭିତରେ ସୁନା ପୂରାଇ ଆଣୁଥିବା ବେଳେ ଏହା ବି ଯାଞ୍ଚ ସମୟରେ ଜଣାପଡ଼ୁନି। ଭୁବନେଶ୍ବର ବିମାନବନ୍ଦରରେ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ଦିନରୁ ଭୁବନେଶ୍ବର ଦେଇ ଚୋରା ସୁନା ଚାଲାଣ ବୃଦ୍ଧି ପାଇଛି। ବିମାନବନ୍ଦର ଗୁଇନ୍ଦା ବିଭାଗର ଯାହା ଉପରେ ସନ୍ଦେହ ହେଉଛି ସେମାନେ ତାଙ୍କର ଯାଞ୍ଚ କରୁଛନ୍ତି। କିନ୍ତୁ ମେଟାଲ ଡିଟେକ୍ଟରରେ ଯାଞ୍ଚ ସମୟରେ ଏହା ଜଣା ପଡ଼ୁନଥିବାରୁ ଅନେକ ଏହାର ଫାଇଦା ନେଇ ଖସି ଯାଉଛନ୍ତି। ଏ ସବୁକୁ ନଜରରେ ରଖି ଆମେ ବଡି ସ୍କାନର୍‌ ଲଗାଇବାକୁ ମନ୍ତ୍ରଣାଳୟକୁ କହିଛୁ।

ଏହି ବଡି ସ୍କାନରରେ ଉଭୟ ଧାତୁ ଓ ଅଧାତୁ ସାମଗ୍ରୀ ଯାଞ୍ଚ ବେଳେ ଜଣାପଡ଼ିବ। ଏହାର ବିଶେଷତ୍ବ ହେଲା କମ୍‌ ସମୟରେ ଯାତ୍ରୀଙ୍କୁ ତନ୍ନତନ୍ନ କରି ଯାଞ୍ଚ କରି ହେବ। ଯାତ୍ରୀଙ୍କ ଦେହରେ ହାତ ନଲଗାଇ ଯାଞ୍ଚ ପ୍ରକ୍ରିୟା ଶେଷ କରିହେବ। ବଡି ସ୍କାନର୍‌ ଲାଗିଲେ ଯାତ୍ରୀ ହାତ ଟେକି ଏହା ଭିତରେ ଛିଡ଼ା ହେବେ। ସ୍କାନର୍‌ ପୂରା ଶରୀରକୁ ସ୍କାନ୍ କରି ମାନେକ୍ବିନ୍ ଭଳି ଫଟୋ ଉଠାଇବ। ଯାହାକୁ ନିକଟରେ ବସିଥିବା ଅଧିକାରୀ ଯାଞ୍ଚ କରିବେ। ଏଥିରେ ଶରୀରର ପାଦରୁ ମୁଣ୍ଡ ଯାଏଁ ସବୁ ଫଟୋ ଆସିବ। ଯେଉଁ ଯାତ୍ରୀଙ୍କ ଉପରେ ସନ୍ଦେହ ହେବ ଅର୍ଥାତ ଯାତ୍ରୀଙ୍କ ଦେହରେ କିଛି ସାମଗ୍ରୀ ଉପରେ ଯଦି ସ୍କାନର ସନ୍ଦେହ କରିବ ତେବେ ଏହା ଉପରେ ଏକ ହଳଦିଆ ବିନ୍ଦୁ ସୃଷ୍ଟି ହେବ। ଏହାପରେ ଯାଞ୍ଚ ଦାୟିତ୍ବରେ ଥିବା ଅଧିକାରୀ ପୁନଃ ଯାଞ୍ଚ ପାଇଁ ଯାତ୍ରୀଙ୍କୁ ସ୍ବତନ୍ତ୍ର କୋଠରକୁ ନେଇ ପୁଣି ଯାଞ୍ଚ କରିବେ।

ଏହି ସ୍କାନର୍‌ରେ କମ୍‌ ରାଡିଏସନ୍ ବ୍ୟବହାର ହେବାକୁ ଥିବାରୁ କୌଣସି ଯାତ୍ରୀଙ୍କ ଉପରେ ଏହାର କୁପ୍ରଭାବ ପଡ଼ିବନି। ଏପରିକି ଜଣେ ଗର୍ଭବତୀ ବି ଏଥିରେ ସ୍କାନିଂ ହୋଇପାରିବେ। ବଡି ସ୍କାନର୍‌ ଲାଗିଲେ କମ୍‌ ସମୟରେ ଅଧିକ ଯାତ୍ରୀଙ୍କୁ ଯାଞ୍ଚ କରାଯାଇପାରିବ ଏବଂ ବିଭିନ୍ନ ପ୍ରକାରର ନିଶା ସାମଗ୍ରୀ, ସୁନା, ହୀରା ଚୋରାଚାଲାଣ ଆଦି ରୋକାଯାଇପାରିବ ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ବଡି ସ୍କାନର ବ୍ୟବସ୍ଥା ପ୍ରଥମେ ୨୦୦୭ରେ ନେଦରଲାଣ୍ଡରେ ଆରମ୍ଭ ହୋଇଥିଲା। ପ୍ରାୟ ସମସ୍ତ ଦେଶର ବିମାନବନ୍ଦରରେ ଏହି ବଡି ସ୍କାନର୍ ଲାଗିଥିବା ବେଳେ ଆମ ଦେଶରେ ପ୍ରଥମ କରି ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର