ପୁରୁଣା ଭୁବନେଶ୍ୱର : ପରମ୍ପରାକୁ ଅଟକାଇ ପାରିଲାନି କଟକଣା। ଓଡ଼ିଆ ଲୋକେ ବନ୍ଦାପନା କରି ବୋଇତ ଭସାଇଲେ। ପୋଖରୀ ଓ ନଦୀଘାଟରେ ଶୁଭିଲା ଆ କା ମ‌ା ବୈ। ହୁଳହୁଳି ଶବ୍ଦରେ ପୋଖରୀ ଓ ନଦୀ କୂଳ ପ୍ରକମ୍ପିତ ହେଲା। ପୁଲିସ ବି ଦେଖି ନ ଦେଖିବାର ଅଭିନୟ କରି ପରମ୍ପରା ରକ୍ଷାକୁ ପରୋକ୍ଷ ସମର୍ଥନ କଲା। ତେଣୁ କଟକଣା ପାଇଁ ଶୂନ୍‌ଶାନ୍ ହେବାକୁ ଥିବା ପୋଖରୀ ଓ ନଦୀକୂଳରେ ଜନଗହଳି ଦେଖିବାକୁ ମିଳିଥିଲା। ଏମିତି ଥିଲା ଏକାମ୍ର କ୍ଷେତ୍ର ତଥା ରାଜଧାନୀ ଉପକଣ୍ଠରେ ବୋଇତ ବନ୍ଦାଣ ଉତ୍ସବ ପାଳନର ସ୍ଥିତି।

Advertisment

publive-image

ବୋଇତ ବନ୍ଦାଣ ପାଇଁ ଲୋକେ ଯେମିତି ଏକାଠି ନହେବେ ଓ ଗହଳି ନହେବ, ବିଏମ୍‌ସି କଟକଣା ଲାଗୁ କରିଥିଲା। କରୋନା ସଂକ୍ରମଣ ଭୟ ଏବେ ବି ଥିବାରୁ ବିଏମ୍‌ସି ପକ୍ଷରୁ କଟକଣା ଜାରି କରାଯାଇଥିଲା। ଏକାମ୍ର କ୍ଷେତ୍ରର ବିନ୍ଦୁସାଗର ଭଳି କିଛି ପବିତ୍ର ପୁଷ୍କରିଣୀ ଓ ଦୟା ନଦୀର ବିଭିନ୍ନ ଘାଟରେ ପୁଲିସ ପଇଁତରା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ତେବେ ପରମ୍ପରା ରକ୍ଷାର ମୋହ ଲୋକଙ୍କୁ ଅଟକାଇ ପାରିନଥିଲା। ପୁଲିସ ଡାଳେଡାଳେ ଜଗିଲେ, ଲୋକେ ପତ୍ରେପତ୍ରେ ଗଲେ। ପୁଲିସ ଭୋର୍‌ ସମୟ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଳେ ଲୋକେ ରାତି ୯ଟାରୁ ବିନ୍ଦୁସାଗରରେ ବୋଇତ ଭସାଣ କରିବା ଆରମ୍ଭ କରିଦେଇଥିଲେ। ରାତି ୧୨ଟା ପର୍ଯ୍ୟନ୍ତ ଏମିତି ବହୁ ଶ୍ରଦ୍ଧାଳୁ ବିନ୍ଦୁସାଗର ଓ ସୂକ୍ଷ୍ମେଶ୍ବର ମନ୍ଦିର ପୋଖରୀରେ ଡଙ୍ଗା ଭସାଇଥିଲେ। ରଙ୍ଗ ବେରଙ୍ଗର ସୋଲ, କାଗଜ ଓ କଦଳୀ ପାଟୁକା ତିଆରି ଡଙ୍ଗାରେ ପାନ, ଗୁଆ, ଆଖୁ ଖଣ୍ଡ ଓ ଜଳନ୍ତା ଦୀପ ଆଦି ରଖି ଭସାଇଥିଲେ। ପାଣିକୁ ଛାଡ଼ିବା ପୂର୍ବରୁ ଡଙ୍ଗାକୁ ଅରୁଆ ଚାଉଳ, ଫୁଲ ପକାଇ ବନ୍ଦାପନା କରିଥିଲେ। ଏହି ସମୟରେ ସେମାନଙ୍କ କଣ୍ଠରୁ ଶୁଭୁଥିଲା ‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’। ସେହିଭଳି କିଛି ଲୋକ ଭୋର୍‌ ସମୟରେ ବି ଡଙ୍ଗା ଭସାଇଥିଲେ। ପୁଲିସ କର୍ମଚାରୀ ବିନ୍ଦୁସାଗରର ସବୁ ତୁଠରେ ନଥିଲେ। ତେଣୁ ସ୍ଥାନୀୟ ଲୋକେ ପୁଲିସ ନଥିବା ତୁଠକୁ ଆସି ଡଙ୍ଗା ଭସାଇଥିଲେ। ତେବେ ପୁଲିସ କର୍ମଚାରୀମାନେ କେବଳ ଲୋକ ଦେଖାଣିଆ ପାଟି କରି ଚୁପ୍ ରହୁଥିବା ଦେଖାଯାଇଥିଲା। ଲୋକେ ପୋଖରୀ ତୁଠରେ ଅଧିକ ସମୟ ନରହି ଡଙ୍ଗା ଭସାଇ ଚାଲିଯାଉଥିଲେ। ଏମିତି ଦୃଶ୍ୟ ବି କେଦାରଗୌରୀ, କପିଳେଶ୍ୱର, ରାମେଶ୍ୱର ମନ୍ଦିର, ସୂକ୍ଷ୍ମେଶ୍ୱର, ବ୍ରହ୍ମେଶ୍ୱର, ମେଘେଶ୍ୱର, ପାପନାଶିନୀ ପୁଷ୍କରିଣୀ କୂଳରେ ଦେଖିବାକୁ ମିଳିଥିଲା। ସେହିଭଳି କୁଆଖାଇ ଓ ଦୟା ନଦୀର ଘାଟରେ ବି କମ୍ ସଂଖ୍ୟକ ସ୍ଥାନୀୟ ଲୋକେ ପୁଲିସର ଆଡ଼ ନଜର ମଉକାରେ ଡଙ୍ଗା ଭସାଇଥିଲେ। ବଡ଼ କଥା ହେଉଛି ଲୋକଙ୍କ ଗହଳି ଅଧିକ ନଥିଲା। କାରଣ ବହୁତ ଲୋକ ପୁଲିସ କଟକଣାକୁ ଭୟ କରି ନିଜ ନିଜ ବ୍ୟବସ୍ଥାରେ ଘରେ ବା ନିକଟସ୍ଥ ଜଳାଶୟରେ ଡଙ୍ଗା ଭସାଇଥିଲେ।

ଟ୍ରାକ୍ଟର୍‌ ପୁଷ୍କରିଣୀରେ ଅଭିନବ ଡଙ୍ଗା ଭସା
ପୁଲିସ ପୋଖରୀ ତୁଠ ଓ ନଦୀ ଘାଟକୁ ଜଗି ରହିବାରୁ ଲୋକେ ବିକଳ୍ପ ବାଟ ତିଆରି କରିଥିଲେ। ଲୋକେ ଅସ୍ଥାୟୀ ପୁଷ୍କରିଣୀ ତିଆରି କରିଥିଲେ। ତାହା ପୁଣି ଟ୍ରାକ୍ଟର ଡାଲାରେ। ପୁରୁଣା ଭୁବନେଶ୍ୱର ଡାକବଙ୍ଗଳା ଛକରେ ଏଭଳି ଏକ ଅଭିନବ ପୁଷ୍କରିଣୀ ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥିଲା। ଜାଗେଶ୍ୱରୀ କ୍ଲବର ସମ୍ପାଦକ ଶିବପ୍ରସାଦ ବେହେରା ନିଜ ଟ୍ରାକ୍ଟର ଡାଲାରେ ପଲିଥିନ୍‌ ବାନ୍ଧି ପାଣି ଭର୍ତ୍ତି କରିଥିଲେ ଓ ଏକ ଅସ୍ଥାୟୀ ପୁଷ୍କରିଣୀ ତିଆରି କରିଥିଲେ। ଏହି କାମରେ କ୍ଲବର ସଦସ୍ୟମାନେ ତାଙ୍କୁ ସହଯୋଗ କରିଥିଲେ। ଭୋର୍‌ରୁ ସ୍ଥାନୀୟ ଲୋକେ ସେଥିରେ ଡଙ୍ଗା ଭସାଇଥିଲେ। ସେହିପରି ଅନେକ ଲୋକ ନିଜ ନିଜ ଛାତରେ ବା ଅଗଣାରେ ଅସ୍ଥାୟୀ ପାଣି କୁଣ୍ଡ କରି ସେଥିରେ ଡଙ୍ଗା ଭସାଇଥିଲେ।

ପୁଷ୍କରିଣୀ ସଫେଇ
କପିଳେଶ୍ବରରେ ଗାଁ ଯୁବକମାନଙ୍କ ଦ୍ବାରା ମଣିକର୍ଣ୍ଣିକା ପୁଷ୍କରିଣୀର ସଫେଇ କାର୍ଯ୍ୟ କରାଯାଇଥିଲା। ପୋଖରୀରେ ଭାସୁଥିବା କଦଳୀ ପାଟୁକା, ସୋଲ ଓ କାଗଜ ଡଙ୍ଗାକୁ ବାହାର କରାଯାଇଥିଲା। ଜୟକୃଷ୍ଣ ମଲିଆଙ୍କ ସଂଯୋଜନାରେ ବହୁ ଯୁବକ ଏଥିରେ ସାମିଲ ହୋଇଥିଲେ`