ଟଳମଳ ବୋଇତ କାରିଗରଙ୍କ ଭେଳା, ନିରାଡ଼ମ୍ବରରେ ହେବ ବୋଇତ ବନ୍ଦାଣ ଉତ୍ସବ

ପୁରୁଣା ଭୁବନେଶ୍ବର: ଆସୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ। ବର୍ଷକର ଏହି ଦିନଟି ମହାଧର୍ମ ମାସର ଅନ୍ତିମ ଦିନ ହିସାବରେ ଯେତିକି ଗୁରୁତ୍ବପୂର୍ଣ୍ଣ, କାଗଜ ଡଙ୍ଗା ବା ବୋଇତ କାରିଗରଙ୍କ ପାଇଁ ତା’ଠାରୁ ଅଧିକ ଅପେକ୍ଷାର ଦିନ। ସମୃଦ୍ଧ କଳିଙ୍ଗର ପ୍ରାଚୀନ ନୌବାଣିଜ୍ୟର ପ୍ରତୀକ ବହନ କରୁଥିବା ଏହି ଦିନଟି ବୋଇତ କାରିଗରଙ୍କ ପାଇଁ ରୋଜଗାରର ଦିନ। ସେତେବେଳେ ଏହି ଦିନ ବିଦେଶରୁ ବିପୁଳ ଧନରତ୍ନ ଧରି ସାଧବ ପୁଅ ଘରକୁ ଫେରୁଥିଲା ଓ ସେହି ସ୍ମୃତିର ପର୍ବରେ ବୋଇତ କାରିଗର ମଧ୍ୟ କିଛି ରୋଜଗାର କରୁଥିଲା। ମାତ୍ର ଚଳିତ ବର୍ଷ ମହାମାରୀ କରୋନା ସେମାନଙ୍କ ରୋଜଗାର ବାଟକୁ ଅବରୋଧ କରି ବସିଛି। କରୋନା ପାଇଁ ବୋଇତ ବନ୍ଦାଣ ଭିଡ଼ ଉପରେ କଟକଣା ଲାଗୁ ହୋଇଥିବାରୁ ଚଳିତ ବର୍ଷ ବେପାର ମାନ୍ଦା ପଡ଼ିବା ଜଳଜଳ ଦିଶିଲାଣି। ତେଣୁ ବୋଇତ କାରିଗରଙ୍କ ରୋଜଗାର ଭେଳା ଟଳମଳ ଅବସ୍ଥାରେ।

କାର୍ତ୍ତିକ ପୂର୍ଣ୍ଣମୀରେ ବୋଇତ ବନ୍ଦାଣ ଓଡ଼ିଶାର ଏକ ମହାନ ପରମ୍ପରା। କଳିଙ୍ଗ ସାଧବ ପୁଅର ବାଣିଜ୍ୟ ସ୍ମୃତିରେ ଏହି ଅବସରରେ ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କରାଯାଏ। ପୂର୍ବରୁ କଦଳୀ ପାଟୁକାରେ ଡଙ୍ଗା କରି ଲୋକେ ନଦୀ ଓ ପୋଖରୀରେ ଭସାଉଥିଲେ। ମାତ୍ର ବହୁ ବର୍ଷ ହେଲା ରଙ୍ଗିନ୍‌ କାଗଜରେ ପ୍ରସ୍ତୁତ ସୁନ୍ଦର ଡଙ୍ଗା ଭସାଇବା ପରମ୍ପରା ଚାଲିଛି। ତେଣୁ ଏହି ଡଙ୍ଗା ତିଆରି କରି ବହୁ ପରିବାର ଗୁଜୁରାଣ ମେଣ୍ଟାନ୍ତି। ପ୍ରତିବର୍ଷ ପୁରୁଣା ଭୁବନେଶ୍ବର ନାଗେଶ୍ବର ଟାଙ୍ଗିର ନଳାମୁହଁ ସାହି, ଜୟଦେବନଗରର ଦଳିତ ସାହି, ପୂର୍ଣ୍ଣିମା ଗେଟ୍ ଭୋଇସାହି, ମାଟିସାହି, ମଠସାହି ଓ ବିଭିନ୍ନ ବସ୍ତିର ବହୁ ପରିବାର ଡଙ୍ଗା ତିଆରି କରିଥାନ୍ତି। ଲୋକେ ବିଭିନ୍ନ ଡିଜାଇନ୍‌ର ଆକର୍ଷଣୀୟ ବୋଇତ କିଣିବାକୁ ଆଗ୍ରହ କରନ୍ତି। ତେଣୁ ବୋଇତ ତିଆରି କରୁଥିବା ଲୋକେ ରଙ୍ଗିନ୍‌ କାଗଜରେ ବିଭିନ୍ନ ରଙ୍ଗର ଜିଙ୍କ୍‌ ଓ ଝାଲର ଦେଇ ଡଙ୍ଗାକୁ ଅଧିକ ଆକର୍ଷଣୀୟ କରିଥାନ୍ତି। ଡଙ୍ଗା ବିକ୍ରିରେ ଭଲ ଦି’ପଇସା ରୋଜଗାର ହୁଏ। ପୂରା ପରିବାର ଲାଗିପଡ଼ନ୍ତି ଡଙ୍ଗା ତିଆରିରେ। ସ୍ଥାନୀୟ ଅଞ୍ଚଳ‌ରେ ୫୦ରୁ ଉର୍ଦ୍ଧ୍ବ ପରିବାର ଡଙ୍ଗା ତିଆରି କରନ୍ତି। ହେଲେ ଚଳିତ ବର୍ଷ କରୋନା ସବୁ ବିଗାଡ଼ି ଦେଇଛି। ଭିଡ଼ ପାଇଁ ଅନୁମତି ନଥିବାରୁ ଲୋକେ ଏଥର ଡଙ୍ଗା ଭସାଇବାକୁ ଆସିବେ କି ନା ସନ୍ଦେହ ରହିଛି। ତେଣୁ ଡଙ୍ଗା ତିଆରି କରିବାକୁ ପଛଘୁଞ୍ଚା ଦେଇଛନ୍ତି ଏହି ପରିବାରର ସଦସ୍ୟମାନେ। ପଇସା ଖର୍ଚ୍ଚ କରି ଡଙ୍ଗା ତିଆରି କରିବେ ସିନା ବେପାର ନହେଲେ ସେତକ ଟଙ୍କା ଓ ପରିଶ୍ରମ ପାଣିରେ ପଡ଼ିବ ବୋଲି କହିଛନ୍ତି ଡଙ୍ଗା କରିଗର ହୃଷି ବେହେରା। ହୃଷିଙ୍କ କହିବା ଅନୁଯାୟୀ ପ୍ରତିବର୍ଷ ବିନ୍ଦୁସାଗରରେ ବୋଇତ ବନ୍ଦାଣ ପାଇଁ ପ୍ରବଳ ଭିଡ଼ ହୁଏ। ହଜାର ହଜାର ସଂଖ୍ୟାରେ ଛୋଟ ବଡ଼ ଡଙ୍ଗା ବିକ୍ରି ହୋଇଥାଏ। ମାତ୍ର ଚଳିତ ବର୍ଷ କଟକଣା ପାଇଁ ଲୋକେ ଆସିବେ ନାହିଁ। ତେଣୁ ଡଙ୍ଗା ବିକ୍ରି ମାନ୍ଦା ହେବ। ସେହିଭଳି ସୌଦାମିନୀ ସାମଲଙ୍କ କହିବା କଥା ସେ ପ୍ରତିବର୍ଷ ବଡ଼ବଡ଼ ଡଙ୍ଗା ତିଆରି କରନ୍ତି। ଏମିତିକି ୧୪ଫୁଟିଆ ଡଙ୍ଗା ବିକ୍ରି ହୁଏ। ‌ଲୋକେ ଆଗୁଆ ବଇନା ଦେଇଥାନ୍ତି। କିନ୍ତୁ ଏଥର କେହି ଆଗଭଳି ଡଙ୍ଗା ତିଆରି ପାଇଁ ଅର୍ଡର ଦେଇନାହାନ୍ତି। ତେଣୁ ସେ ଅଳ୍ପ କିଛି ଡଙ୍ଗା ତିଆରି କରିଛନ୍ତି। ତେଣୁ କରୋନା ଏଥର ତାଙ୍କ ବର୍ଷକର ରୋଜଗାର ବୁଡ଼ାଇଲା ବୋଲି ସେ କହିଛନ୍ତି।

ପୁରୁଣା ଭୁବନେଶ୍ବର: ଚଳିତ ବର୍ଷ ଭୁବନେଶ୍ବର ସାଂସ୍କୃତିକ ପରିଷଦ ନିରାଡ଼ମ୍ବର ସହକାରେ ବୋଇତ ବନ୍ଦାଣ ଉତ୍ସବକୁ ପାଳନ କରିବ। କରୋନା କଟକଣା କାରଣରୁ ଏଥର ବଡ଼ ଧରଣର କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି। କେବଳ ପରମ୍ପରା ରକ୍ଷା ପାଇଁ କାର୍ଯ୍ୟକ୍ରମକୁ କମ୍ ଲୋକରେ ସୀମିତ ରଖିବାକୁ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ, ପ୍ରାଚୀନ କଳିଙ୍ଗ ସାଧବପୁଅର ନୌବାଣିଜ୍ୟକୁ ମନେ ପକାଇବା ପାଇଁ ଭୁବନେଶ୍ବର ସାଂସ୍କୃତିକ ପରିଷଦ ପ୍ରତିବର୍ଷ ବିନ୍ଦୁସାଗର କୂଳରେ ବୋଇତ ବନ୍ଦାଣ ଉତ୍ସବ କରିଥାଏ। ରାତି ସାରା ଭଜନ ସମାରୋହ ଚାଲିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଏହି ସବୁ କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସେହିପରି କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ(କାପୋକ) ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦୟା ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୁଏ। ଏକ ସୁସଜ୍ଜିତ ବଡ଼ ବୋଇତକୁ ବନ୍ଦାଣ କରାଯାଏ। ନିମନ୍ତ୍ରିତ ଅତିଥିମାନଙ୍କୁ ସାଧବ ପୁଅଭାବେ ସମ୍ମାନିତ କରାଯାଏ। ତେବେ ଏଥର ଆଉ ସେଭଳି କିଛି ବଡ଼ ଧରଣର କାର୍ଯ୍ୟକ୍ରମ କରାଯିବ ନାହିଁ। କେବଳ ପରମ୍ପରା ରକ୍ଷା ଉଦ୍ଦେଶ୍ୟରେ ବିନା ଭିଡ଼ରେ ବୋଇତ ବନ୍ଦାଣ ହେବ ବୋଲି ସଭାପତି ସଂଗ୍ରାମ ପାଇକରାୟ କହିଛନ୍ତି।

ସମ୍ବନ୍ଧିତ ଖବର