ଭୁବନେଶ୍ୱର : କାହା ହାତରେ ଥିଲା କଦଳୀ ପାଟୁକାରେ ତିଆରି ଡଙ୍ଗା ତ ଆଉ କାହା ହାତରେ ସୋଲ, ଥର୍ମୋକୁଲ୍‌ ଆଦିରେ ପ୍ରସ୍ତୁତ ତିଆରି ରଙ୍ଗିନ୍‌ ଛୋଟ ବୋଇତ। ସମସ୍ତେ ଥିଲେ ଜଳାଶୟ ମୁହାଁ। ସୂର୍ଯ୍ୟୋଦୟ ପୂର୍ବରୁ ଏପରି ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା ଏକାମ୍ର କ୍ଷେତ୍ରର ପବିତ୍ର ବିନ୍ଦୁସାଗର କୂଳରେ। ପ୍ରାୟ ଭୋର ତିନିଟାରୁ ବିନ୍ଦୁସାଗରର ବିଭିନ୍ନ ଘାଟରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା। ନରନାରୀଙ୍କ ଆ କା ମା ବୈ...  ଉଚ୍ଚାରଣରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ।  ଛାଇ ଛାଇ ଆଲୁଅରେ ବିନ୍ଦୁସାଗର ଜଳରେ ଟିକି ଟିକି ଡଙ୍ଗାର ମିଞ୍ଜି ମଞ୍ଜି ଆଲୁଅ ଏକ ଅପୂର୍ବ ଦୃଶ୍ୟ ସୃଷ୍ଟି କରୁଥିଲା। ସକାଳ ସୁଦ୍ଧା ହଜାର ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଇ ଉତ୍କଳୀୟ ପରମ୍ପରାର ସେଇ ଗୌରବମୟ ଐତିହ୍ୟକୁ ମନେ ପକାଇଥିଲେ।

Advertisment

ଭୋର ଛଅଟା ପରେ ପରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁ ସାଗରର ଉତ୍ତରେଶ୍ୱର ଘାଟରେ ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଧବ ସାଧବାଣୀଙ୍କ ଗହଣରେ ଅତିଥିମାନେ ବିନ୍ଦୁସାଗରରେ ବୋଇତ ଭସାଇଥିଲେ।

ଏଥିରେ ମୁଖ୍ୟଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ କହିଲେ, ଆମ ପୂର୍ବ ଗୌରବର ବୋଇତ ବନ୍ଦାଣ ଉତ୍ସବ ଏକ ଅନନ୍ୟ ନିଦର୍ଶନ। ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେଉଥିବା ଐତିହାସିକ ବିନ୍ଦୁସାଗରର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ବିନ୍ଦୁସାଗରର ଜଳ ସୁରକ୍ଷା ବିଏମ୍‌ସି ହାତକୁ ନେଇଥିବା ବେଳେ ପର୍ଯ୍ୟଟନ ବିଭାଗ ମଧ୍ୟ ଖୁବ୍‌ ଶୀଘ୍ର ବିନ୍ଦୁସାଗରରେ ସାତ କୋଟି ଟଙ୍କାର ବ୍ୟୟରେ ଲେଜର ସୋ’ ଆରମ୍ଭ କରିବ। କୌଣସି ବି ପରିସ୍ଥିତିରେ ବିନ୍ଦୁସାଗରର ଐତିହ୍ୟକୁ ନଷ୍ଟ ହେବାକୁ ଦିଆଯିବନି। ବିନ୍ଦୁସାଗରର ଐତିହ୍ୟ ବଜାୟ ରହିବ।

publive-imageମୁଖ୍ୟବକ୍ତା ଭାବେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି,  କର୍ପୋରେଟର ରଶ୍ମିତା ମହାପାତ୍ର,  ଦିପ୍ତୀମୟି ସମର୍ଥା, ସୀମା ନାୟକ, ବିରଞ୍ଚି ନାରାୟଣ ମହାସୁପକାର, ହୃଦୟ ବଲ୍ଲଭ ସାମନ୍ତରାୟ, ପୁଷ୍ପା ଦାସ ଓ ପୂର୍ବତନ କର୍ପୋରେଟର ନୃପେଶ ନାୟକ ପ୍ରମୁଖ ଯୋଗ ଦେଇଥିଲେ।  ପରିଷଦର ଉପସଭାପତି ସମରେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।  ଦୀପକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଶିଶୁ ସାହିତ୍ୟିକ ରାମଚନ୍ଦ୍ର ମହାନ୍ତି, ବରିଷ୍ଠ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ, ଯୁବ ସମାଜସେବୀ ପ୍ରଦୀପ କୁମାର ପୃଷ୍ଟି, ରୁକୁଣା ରଥ କାରିଗର ବଟକୃଷ୍ଣ ମହାରଣା, ଲିଙ୍ଗରାଜଙ୍କ ସେବକ ନୃସିଂହ ଖୁଣ୍ଟିଆ, ଅଭିନେତ୍ରୀ ଏଲିନା ଦାସ ଓ ଡାକ୍ତର ସୁନୀଲ ମିଶ୍ର ପ୍ରମୁଖଙ୍କୁ ଏକାମ୍ର ସଂସ୍କୃତି ସମ୍ମାନରେ ସମ୍ମାନିତ କରାଯାଇଥିଲ। ଏଥିସହିତ ସାଧବ ସାଧବାଣୀ ବେଶରେ ଅଭିନୟ କରୁଥିବା ପିଲାମାନଙ୍କୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା ପର୍ବ ପରେ ପରେ ପରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଡଙ୍ଗାରେ ଡଙ୍ଗାରେ ଓଡ଼ିଶାକୁ ଆଗେଇ ନେବାର ଆହ୍ଵାନ

ବିନ୍ଦୁସାଗର କୂଳରେ ଡଙ୍ଗା ଭସା ଅବସରରେ କିଛି ଶ୍ରଦ୍ଧାଳୁଙ୍କ ହାତରେ ନିଆରା ଡଙ୍ଗା ଦେଖିବାକୁ ମିଳିଥିଲା। କିନ୍ତୁ ଏସବୁ ଭିତରେ ବୀରୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ହାତରେ ଥିବା ଡଙ୍ଗାଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରାଜ୍ୟର ସବୁ ପ୍ରମୁଖ ରାଜନୈତିକ ଦଳର ନିର୍ବାଚନୀ ସଙ୍କେତ ଓ ସ୍ୱର୍ଗତ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥାଇ ‘ମିଳିମିଶି ଓଡ଼ିଶାକୁ ଆଗେଇ ନିଅ’ ବାର୍ତା ଲେଖାଥିବା ଡଙ୍ଗାଟି ସମସ୍ତଙ୍କ ନଜରରେ ରହିଥିଲା ତାଙ୍କ ନିକଟରେ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।

ଦିଆସିଲି ପାଞ୍ଚ, କଦଳୀ ପାଟୁକା ଡଙ୍ଗା ପଚାଶ

କଦଳୀ ପାଟୁକା ଡଙ୍ଗା ଭସାଇବାର ବିଧି ଥିବାରୁ ଆଜି ସକାଳୁ ସକାଳୁ ବିନ୍ଦୁସାଗର କୂଳରେ କଦଳୀ ପାଟୁକା  ଡଙ୍ଗା  ବିକ୍ରେତାଙ୍କ ଭାଉ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ଆସିଥିବା ଶ୍ରଦ୍ଧାଳଙ୍କୁ ଏମାନେ ଡଙ୍ଗା ଗୋଟି ତିରିଶ, ଚାଳିଶ ପଚାଶ ମନ ଇଚ୍ଛା ଦର କହିଥିଲେ। ଏକ ଟଙ୍କାରେ ବିକ୍ରି ହେଉଥିବା ଦିଆସିଲିକୁ ପାଞ୍ଚ ଟଙ୍କା କହିଥିଲେ। କିନ୍ତୁ ସକାଳ ଆଠଟା ବେଳକୁ ଦାମ୍‌ ଖସାଇ ଦେଇଥିଲେ। ଯାହା ଦେଉଛ ଦିଅ ଡଙ୍ଗା ନେଇ ଯାଅ ବୋଲି କହୁଥିବା ବିକ୍ରେତାଙ୍କ ନିକଟରୁ ଶୁଣିବାକୁ ମିଳିଥିଲା।

ହଜିନାହିଁ କଦଳୀ ପାଟୁକା ଡଙ୍ଗା 

ପ୍ରାଚୀନ କାଳରେ ଏ ଦିନରେ କଦଳୀ ପାଟୁକା ଡଙ୍ଗା ଭସାଯିବାର ପରମ୍ପରା ଥିଲା। ଧୀରେ ଧୀରେ କାଗଜ ଓ ସୋଲ ଡଙ୍ଗା ଆସିବା ତଥା କଦଳୀ ଗଛର ଅଭାବ ଫଳରେ କୃତ୍ରିମ ଡଙ୍ଗା ଚାହିଦାରେ ରହିଛି। କିନ୍ତୁ ଏହା ସତ୍ତ୍ୱେ ଆଜି ସମସ୍ତ ପୁଷ୍କରିଣୀରେ ଶହ ଶହ ସଂଖ୍ୟାରେ କଦଳୀ ପାଟୁକା ଡଙ୍ଗା ଦେଖିବାକୁ ମିଳିଥିଲା। ଚିନ୍ତାମଣିଶ୍ୱର ମନ୍ଦିର, ବିନ୍ଦୁସାଗର ହେଉ କିମ୍ବା କୁଆଖାଇ କି ଦୟା,  ଲୋକମାନେ ସୋଲ ଓ କାଗଜ ତିଆରି ଡଙ୍ଗା ସହ କଦଳୀ ପାଟୁକାକୁ ସୁନ୍ଦର ଭାବେ ସଜାଇ ଭସାଇଥିଲେ। ପ୍ରାୟ ମନ୍ଦିର ପୁଷ୍କରିଣୀ ସମ୍ମୁଖରେ କଦଳୀ ପାଟୁକା ଡଙ୍ଗା ୩୦-୫୦ ଟଙ୍କା ପର୍ଯ୍ୟନ୍ତ ଦାମ୍‌ରେ ବିକ୍ରି ହେଉଥିଲା। ଚଢ଼ା ଦର ସତ୍ୱେ ଲୋକେ ଏହାକୁ କିଣୁଥିବା ଦେଖିବାକୁ ମିଳିଥିଲା।

ମନେ ପଡ଼ିଲେ ସାଧବ ପୁଅ

publive-imageଆ..କା..ମା ବୈ.. ଉଚ୍ଚାରଣ ଓ ହୁଳହୁଳି ଧ୍ୱନିରେ ଆଜି ରାଜଧାନୀର ବିଭିନ୍ନ ପବିତ୍ର ଜଳାଶୟ ପ୍ରକମ୍ପିତ ହେଉଥିଲା। ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ବଞ୍ଚେଇ ରଖିବା ଏବଂ ପୁଣ୍ୟ ଅର୍ଜନ ପାଇଁ ଆଜି ବ୍ରାହ୍ମ ମୁହୂର୍ତରୁ  ଆବାଳ ବୃଦ୍ଧ ବନିତା ରାଜଧନୀର ବିଭିନ୍ନ ଜଳାଶୟରେ ସ୍ନାନାଦି ନିତ୍ୟକର୍ମ ଶେଷ କରି ଡଙ୍ଗା ଭସାଇଥିଲେ। ଶ୍ରଦ୍ଧାଳୁମାନେ ରଙ୍ଗ ବେରଙ୍ଗର ସୋଲ, କାଗଜ ଓ କଦଳୀ ପାଟୁକା ଡଙ୍ଗାରେ ଦୀପ ଜାଳି, ଅରୁଆ ଚାଉଳ, ଫୁଲ ପକାଇ ବନ୍ଦାପନା କର ସାଧବ ପୁଅଙ୍କୁ ମନେ ପକାଇଥିଲେ।