ରାତି ପାହିଲେ ବୋଇତ ବନ୍ଦାଣ : ଡଙ୍ଗା ବଜାରରେ ଭିଡ଼

ଭୁବନେଶ୍ୱର : ଆ କା ମା ବଇ… ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର…। ଆଉ ଦିନକ ପରେ ଓଡ଼ିଶା ଐତିହ୍ୟ ପରମ୍ପରାର ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣମା ବା ବୋଇତ ବନ୍ଦାଣ ପର୍ବ। ଏହି ଦିନ ପୋଖରୀ/ନଦୀ କୂଳରେ ଓଡ଼ିଆମାନେ ଡଙ୍ଗା  ଭସାଇ ଅତୀତର ସ୍ମୃତିକୁ ଉଜାଗର କରିଥା’ନ୍ତି। ପୂର୍ବରୁ ଏହି ଦିନ ସାଧବମାନେ ବାଣିଜ୍ୟ କରିବାକୁ ଜାଭା, ସୁମାତ୍ରା, ବାର୍ଲି ଆଦି ଦୂର ଦେଶକୁ ଯାଉଥିଲେ। ସେମାନେ ଯାଉଥିବା ବୋଇତକୁ ବନ୍ଦାପନା କରିବା ତଥା ବିଦାୟ ଦେବା ଉଦ୍ଦେଶ୍ୟରେ କେଉଁ ପ୍ରାଚୀନ କାଳରୁ ଏହି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଆସୁଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଖୋଲିଛି ସୋଲ ଓ କଦଳୀ ପାଟୁକାରେ ତିଆରି ଡଙ୍ଗା ବଜାର। ଏଥିରେ ରହିଛି ରଙ୍ଗ ବେରଙ୍ଗ ଓ ବିଭିନ୍ନ ଡିଜାଇନ୍‌ର ଡଙ୍ଗା।

ଆସନ୍ତା ଶନିବାର ଏହି ଡଙ୍ଗା ଭସା ପର୍ବ ପଡ଼ୁଥିବାରୁ ରାଜଧାନୀରେ ସୋଲଠାରୁ ଆରମ୍ଭ କରି କାଗଜ ଡଙ୍ଗାର ବିକ୍ରି ଆରମ୍ଭ ହୋଇଗଲାଣି। ଡଙ୍ଗାର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଶ୍ରଦ୍ଧାଳୁଙ୍କ ପସନ୍ଦକୁ ଆଖି ଆଗରେ ରଖି ଡଙ୍ଗା ପ୍ରସ୍ତୁତକାରୀମାନେ ବିଭିନ୍ନ ଡିଜାଇନ୍‌ର ଡଙ୍ଗା ପ୍ରସ୍ତୁତ କରି ବିକିବା ଆରମ୍ଭ କଲେଣି।

ଗତ କୋଡିଏ ବର୍ଷ ଧରି ଏକ ନମ୍ବର ହାଟରେ ଡଙ୍ଗା ବିକ୍ରି କରୁଥିବା ବିଜୟ କୁମାର ସାହୁଙ୍କ ପାଖରେ ରହିଛି, ୧୦ ଟଙ୍କାରୁ ଆରମ୍ଭ କରି ୫୦୦ ପର୍ଯ୍ୟନ୍ତ ଡଙ୍ଗା। ଡଙ୍ଗାର ଡିଜାଇନ୍‌ ନେଇ ଟଙ୍କା। କାର୍ତ୍ତିକ ପୂର୍ଣ୍ଣମା ଆଉ ଦୁଇଟା ଦିନ ଥିବାରୁ ତାଙ୍କ ପାଖରୁ ସବୁ ଦାମୀ ଡଙ୍ଗା ସରି ଆସିଲାଣି। ଆଉ ଅଳ୍ପ କେତୋଟି ବିକ୍ରି ହେବାକୁ ବାକି ଅଛି ବୋଲି ଶ୍ରୀ ସାହୁ କହିଛନ୍ତି। ତାଙ୍କ ପାଖରେ ଥିବା  ହଂସ ଡଙ୍ଗାର ଦାମ୍‌ ସର୍ବାଧିକ ୫୦୦ ଟଙ୍କା ରହିଛି। କାର୍ଟୁନ ଡଙ୍ଗାର ବିଭିନ୍ନ ଡିଜାଇନ୍‌ ନେଇ ଦାମ୍‌ ରହିଛି। ଏଥିସହିତ ଲଣ୍ଠନ ହଂସ ଡଙ୍ଗା, ଛୋଟ ବୋଇତ, ବୋଟ୍‌ ଡଙ୍ଗା ଆଦି ରହିଛି। ହଂସ ଡଙ୍ଗା ଛୋଟ ୨୫ ଟଙ୍କା, ଲଣ୍ଠନ ହଂସ ୪୦ ଟଙ୍କା,  ଛୋଟ ବୋଇତ ହଂସ ୮୦ ଟଙ୍କା, ବଡ଼ ୧୨୦ ଟଙ୍କା ଆଦି ଦର ରହିଛି। ତେବେ  କଦଳୀ ପାଟୁକା ଡଙ୍ଗା ଭସାଇବାର ବିଧି ଥିବାରୁ ପୂର୍ଣ୍ଣିମା ଦିନ ନଦୀ ଓ ପୋଖରୀ କୂଳେ କଦଳୀ ପାଟୁକା ଡଙ୍ଗା ଭଲ ବିକ୍ରି ହେବ ବୋଲି ବହୁ ଡଙ୍ଗା ବିକ୍ରେତା କହିଛନ୍ତି।

ସମ୍ବନ୍ଧିତ ଖବର