ଦୟା ନଦୀରେ ବୋଇତ ବନ୍ଦାଣ ଉତ୍ସବ

୨୦ ହଜାର ଶ୍ରଦ୍ଧାଳୁ ଭସାଇଲେ ଡଙ୍ଗା

ଧଉଳି : ପବିତ୍ର କାର୍ତ୍ତିକ ମାସ ପୂର୍ଣ୍ଣିମା ଅବସରରେ ଉତ୍କଳୀୟ ପରଂପରା ଓ ସଂସ୍କୃତିର ଅନ୍ୟତମ ଶେଷ୍ଠ ନିଦର୍ଶନ ବୋଇତବନ୍ଦାଣ ଉତ୍ସବ ଆଜି ଦୟାନଦୀର ଦୁଇ ପ୍ରମୁଖ ଏତିହ୍ୟ ଘାଟରେ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ସଂସ୍କୃତି ଓ ଏତିହ୍ୟ ସୁରକ୍ଷା ମଞ୍ଚ (କାପୋକ୍‌ ) ପକ୍ଷରୁ ବୋଇତବନ୍ଦାଣ କାର୍ଯ୍ୟକ୍ରମ ଲିଙ୍ଗିପୁର- ।ଥପୁର ଘାଟରେ ସଂପନ୍ନ ହୋଇଥିବା ବେଳେ ଏକାମ୍ର ଗ୍ରାମାଞ୍ଚଳ ସାଂସ୍କୃତିକ ପରିଷଦ ପକ୍ଷରୁ ଶାନ୍ତିସ୍ତୂପ ପରିସର ଦୟାନଦୀର କଳିଙ୍ଗ ଘାଟରେ ଆୟୋଜିତ ହୋଇଥିଲା ବୋଇତବନ୍ଦାଣ ଉତ୍ସବ । ଉପକଣ୍ଠ ସହିତ ରାଜଧାନୀ ଅଞ୍ଚଳରର ପାଖାପାଖି ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆଜି ପ୍ରତ୍ୟୁଷରେ ଏଠାରେ ପହଞ୍ଚି ପରିବାରର ଶୁଭ କାମନା କରି ଦୟାନଦୀର ଉପରୋକ୍ତ ଦୁଇ ଘାଟରେ କାଗଜ ଓ କଦଳୀ ପାଟୁକାରେ ତିଆରି ଡଙ୍ଗା ଭସାଇଥିଲେ ।

ଏହି ଉପଲକ୍ଷେ ମନୋରଂଜନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ଶଙ୍ଖ ହୁଳହୁଳି ଧ୍ୱନିରେ ଦୟାନଦୀ କୂଳ ପ୍ରକମ୍ପିତ ହୋଇଉଠିଥିଲା । ଏ ନେଇ ଦୁଇ ଅନୁଷ୍ଠାନ ପକ୍ଷରୁ ପୃଥକ୍‌ ପୃଥକ ଭାବେ ଆୟୋଜିତ ସଭାରେ ମଞ୍ଚାସୀନ ଅତିଥିବୃନ୍ଦ ଅବକ୍ଷୟମୁଖୀ ଆମ ସଂସ୍କୃତି,ଏତିହ୍ୟ ଓ ପରଂପରାକୁ ଉଜ୍ଜୀବିତ କରି ରଖିବା ସହ ସମାନ ଢଙ୍ଗରେ ଇତିହାସ ପୃଷ୍ଠା ମଣ୍ଡିତ ଅନ୍ୟତମ ସ୍ମାରକୀ ‘ଦୟାନଦୀ’ର ସୁରକ୍ଷା କରିବା ଦିଗରେ ସବୁ ମହଲରେ ଉଦ୍ୟମ ହେବା ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ। ବୋଇତ ବନ୍ଦଣ ଉତ୍ସବ ଦ୍ୱୟରେ ଅନ୍ୟତମ ଆକର୍ଷଣ ଥିଲା ଭକ୍ତିସଙ୍ଗୀତ ପରିବେଷଣ ସହିତ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌, ନନ୍‌ସେନ୍ସ ମଣି, ପିଣ୍ଟୁ ନନ୍ଦ, ଅଶ୍ରୁମୋଚନ ଓ ସୁଧାକର ବସନ୍ତ ପ୍ରମୁଖ ଲୋକଙ୍କ ମନୋରଂଜନ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ, ଡାକ୍ତର, କଳାପ୍ରେମୀ ଓ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଓ ଆଖପାଖ ପଞ୍ଚାୟତର ଜନପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । କଳିଙ୍ଗ ସଂସ୍କୃତି ଓ ଏତିହ୍ୟ ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ସାଂସ୍କୃତିକ ପରିଷଦର ସଭାପତି ବିଷ୍ଣୁ କାଳିଆଙ୍କ ସହିତ ସଂପାଦକ କୃଷ୍ଣଚନ୍ଦ୍ର ନାୟକ ଓ ଅନ୍ୟମାନେ କାର୍ଯ୍ୟ ପରିଚାଳନା କରିଥିଲେ। ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବିଷାକ୍ତ ଜଳରେ ବୁଡ଼

ପ୍ରଶାସନର କଟକଣାକୁ ଖାତିର କଲେନି ଲୋକେ। ଦୟା ନଦୀ ଜଳ ବିଷାକ୍ତ ହୋଇଥିବାରୁ ଏହା ବ୍ୟବହାର ଯୋଗ୍ୟ ନୁହେଁ ବୋଲି ୪ ଦିନ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ। ଏହି ନଦୀ ଜଳ ପିଇବା କିମ୍ବା ଗାଧୋଇବା ଉପଯୋଗୀ ହୋଇ ରହି ନାହିଁ ବୋଲି କୁହାଯାଇଥିଲା। ହେଲେ ଏ ସଚେତନତା କାମ ଦେଲାନି। ଡଙ୍ଗା ଭସାଇବା ସହ ହଜାର ହଜାର ଶ୍ରଦ୍ଧାଳୁ ଆଜି ନଦୀରେ ବୁଡ଼ ପକାଇଛନ୍ତି।

ଧଉଳି ଶାନ୍ତିସ୍ତୂପ ଘାଟଠାରୁ ଆରମ୍ଭ କରି ନଦୀର ବିଭିନ୍ନ ସ୍ଥାନରେ ସହରବାସୀ ବୁଡ଼ ପକାଇବା ସହ କେହି କେହି ବିଷାକ୍ତ ପାଣି ବି ପିଇଛନ୍ତି। ଯେଉଁଥିପାଇଁ ଜଳବାହିତ ରୋଗ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି। କେବଳ ଦୟା ନୁହେଁ। ଏହାର ଶାଖା ନଦୀ ଭାର୍ଗବୀ, ଲୁଣା ଓ ରତ୍ନଚିରାରେ ବି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ଧଉଳି ଘାଟରେ ଶତାଧିକ ପର୍ଯ୍ୟଟକ ଗାଧୋଇଛନ୍ତି। ଭୋର ୪ଟା ବେଳୁ ଏହି ଘାଟରେ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଲାଗିଥିଲା। ନଦୀ କୂଳବାସିନ୍ଦାଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରରୁ ଆସିଥିବା ପର୍ଯ୍ୟଟକ ଏଠାରେ ପୂର୍ବାହ୍ନ ପର୍ଯ୍ୟନ୍ତ ସ୍ନାନ କରିଥିଲେ। ଛୋଟ ପିଲା ବି ମଧ୍ୟ ଗାଧୋଉଥିବା ନଜରକୁ ଆସିଥିଲା। ସେମାନେ କହିଥିଲେ ଯେ ନଦୀ ଦଳ ଦୂଷିତ ହୋଇଥିବା ନେଇ କୌଣସି ସୂଚନା ନାହିଁ। ଧର୍ମ ମାସ ହୋଇଥିବାରୁ ନଦୀରେ ନ ଗାଧୋଇଲେ ପୁଣ୍ୟ ଫଳ ମିିଳିବନି।

ଗୋଟିଏ ପଟେ ଗଙ୍ଗୁଆ ନାଳର ପ୍ରଦୂଷିତ ଜଳ ସିଧାସଳଖ ଦୟାରେ ମିଶୁଥିବା ବେଳେ ଆଜି ଡଙ୍ଗା ଭସାଯିବା ଦ୍ୱାରା ତାହା ଅଧିକ ପ୍ରଦୂଷିତ ହୋଇଯାଇଛି। ୪ ଦିନ ତଳେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ସମୀକ୍ଷା ବୈଠକ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନଦୀ କୂଳରେ କୌଣସି ପ୍ରକାର ସାଇନ୍‌ ବୋର୍ଡ ଲଗାଯାଇ ନ ଥିଲା। କାର୍ତ୍ତିକ ପୂର୍ଣ୍ଣିମା ତଥା ଡଙ୍ଗା ଭସା ଆସୁଥିବା ଜାଣି ମଧ୍ୟ ପ୍ରଶାସନ ଜନ ସଚେତନତା ଦିଗରେ ଟିକିଏ ବି ପଦକ୍ଷେପ ନେଇ ନ ଥିଲା। ଯେଉଁଥିପାଇଁ ଆଜି ବିଷାକ୍ତ ଜଳରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଅବଶ୍ୟ କେତେକ ସଚେତନ ଶ୍ରଦ୍ଧାଳୁ ଘରେ ଗାଧୋଇ ଆସି ନଦୀରେ ଡଙ୍ଗା ଭସାଇଥିଲେ।

ସମ୍ଭାବନା ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ

ଭୁବନେଶ୍ୱର, : ପହିଲି ଶୀତର ସଞ୍ଜରେ ଏକାମ୍ର ହାଟ ପରିସରରେ ଶୁଭୁଥିଲା ସାତ ଦରିଆ ପାରିରେ ବୋଇତ ଭାସି ଯା.. ସହ ହୁଳହୁଳି ଓ ଶଙ୍ଖଧ୍ୱନି। ଚକୁଳି ଓ ଆରିସା ପିଠାର ମହ ମହ ବାସ୍ନା ମହକୁ ଥିଲା। ଏକାମ୍ର ହାଟର କ୍ଷୁଦ୍ର ଜଳାଶୟରେ ଭାସୁଥିବା କଦଳୀ ପାଟୁକା ଓ ସୋଲର ଡଙ୍ଗାମାନ ମନେ ପକେଇ ଦେଉଥିଲା ଅତୀତର ସାଧବ ପୁଅର କଥା। ଅବସରଥିଲା ସମ୍ଭାବନା ଓଡ଼ିଆଣୀ ସମିତି ପକ୍ଷରୁ ତୃତୀୟବର୍ଷ ପାଇଁ କାର୍ତିକ ପୂର୍ଣ୍ଣିମା ସନ୍ଧ୍ୟାରେ ବୋଇତ ବନ୍ଦାଣ ଉତ୍ସବ। ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ପରିଜା ଉତ୍ସବ ସମ୍ପର୍କରେ ସୂଚନା ଦେଇଥିଲେ। ଅଧ୍ୟକ୍ଷ ଶରତଚନ୍ଦ୍ର ଭଦ୍ର, ଓଡ଼ିଆଣୀ ସମିତି ସଂଯୋଜିକା ସୌଦାମିନି ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ଣ୍ଣିମାରେ ଡୁବ୍‌କିମରା ରୋଜଗାର

ଭୁବନେଶ୍ୱର : ସାରା ଦେହ ଶେତା ପଡ଼ି ଯାଇଥିଲା। ଶୀତୁଆ ପାହାନ୍ତିରେ ଦେହ କୋଲ ମାରି ଯାଉଥିଲା। ପାହାନ୍ତାରୁ ଉଠି ଲକ୍ଷାଧିକ ଶ୍ରଦ୍ଧାଳୁ ଯେତେବେଳେ ଡଙ୍ଗା ଭସେଇ ପୁଣ୍ୟ ଅର୍ଜନରେ ବ୍ୟସ୍ତ ଥିଲେ ସେତେବେଳେ ସବୁ ପ୍ରତିକୂଳତାକୁ ପଛକୁ ଠେଲି ଦେଇ ବିନ୍ଦୁସାଗରରେ ଡୁବ୍‌କି ମାରି ପଇସା ଛାଣିବାରେ ମାତିଥିଲେ କିଛି କୋମଳମତି ଶିଶୁ। ସୂତାରେ ବନ୍ଧା ହୋଇଥିବା ଚୁମ୍ଭକକୁ ହାତରେ ଧରି ଟଙ୍କା ଛାଣିବାରେ ବ୍ୟସ୍ତ ଥିବାବେଳେ ସେମାନଙ୍କ ପ୍ୟାଣ୍ଟ୍‌ ପକେଟ୍‌ ଖୁଚୁରାରେ ଉବୁକି ବାହାରକୁ ଦିଶୁଥିଲା। ଆଉ ସେହି ଖୁଚୁରାର ଗହଳ ଭିତରେ ସେମାନେ ଆସନ୍ତାକାଲିର ସ୍ୱପ୍ନକୁ ସାକାର ରୂପକୁ ଦେଖି ବିଭୋର ହେଉଥିଲେ।

ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ହାଟ ସାହିର ବିପିଲି ଯେତେବେଳେ ଡୁବ୍‌କି ମାରି ପଙ୍କରୁ ଉଠିବାକୁ କସରତ କରୁଥିଲା ତାକୁ ପଚାରିଲୁ, ଆଜି କେତେ ରୋଜଗାର ହେଲା? ସେ ଟଙ୍କିକିଆରେ ଉବୁକି ପଡ଼ିଥିବା ପ୍ୟାଣ୍ଟ୍‌ ପକେଟ୍‌କୁ ଦେଖେଇ କହିଲା, ଗଣିନି କିନ୍ତୁ ୫୦ରୁ ଶହେ ଭିତରେ ହେବ। ପୁଣି ପଚାରିଲୁ, ଏ ଟଙ୍କାରେ କ’ଣ କରିବୁ। ଅବୋଧ ଶିଶୁଟିଏ ଭଳି ସେ ଉତ୍ତର ଦେଲା, ବିସ୍କୁଟ୍‌ ଖାଇବି। ସେ ଯେ କେବେ ବିସ୍କୁଟ୍‌ ଖାଇନି ସେ କଥା ନୁହେଁ। ବରଂ ଆଜି ଯେ ସେ ଏ ଟଙ୍କାରେ ମନବୋଧ କରି ବିସ୍କୁଟ୍‌ ଖାଇବ ତାହା ଉତୁରି ଆସିଥିଲା ତା ଥଙ୍ଗଥଙ୍ଗ କଅଁଳିଆ ସ୍ୱରରୁ।

ଆଉ ହାତେ ଦୂରରେ ଭାସୁଥିବା ଡଙ୍ଗା ଭିତରୁ ଟଙ୍କେ ଦୁଇଟଙ୍କା ଅଣ୍ଡାଳିବାରେ ବ୍ୟସ୍ତ ଥିବା ୭ ବର୍ଷୀୟ ବାବୁକୁ ପଚାରିଲୁ, କେତେ ଛାଣିଲୁଣି ? ସେ ଉତ୍ତର ଦେଲା, ଶହେ ଖଣ୍ଡେ ହବ ହେଲେ ଗଣିନି। ଏ ଟଙ୍କାରେ କ’ଣ କରିବୁ ବୋଲି ପଚାରିବାରେ ତା’ର ଉତ୍ତର ଥିଲା, ମୁଁ ଏ ଟଙ୍କା ନେଇ ଘଡ଼ିରେ ରଖିବି। ଯେତେବେଳେ ବୋଉ ସଉଦା ଓ ପରିବା ପାଇଁ ଯିବ ସେତେବେଳେ ସବୁ ଦିନ କାଢ଼ି କିଛିକିଛି ବୋଉକୁ ଦେବି। ଆଜିକାଲିର ଦରଦାମ କଥା ମାଲୁମ୍‌ ନଥିଲେ ହେଁ ୭ ବର୍ଷ ବୟସରେ ତା’ର ପୁଅ ପଣିଆର ଉତ୍ତରଦାୟିତ୍ୱ ଆମକୁ କିଛି ସମୟ ପାଇଁ ନିରବ କରି ଦେଇଥିଲା।

ତା ପରେ ଆମ ସାମ୍ନାରେ ପଡ଼ିଥିଲା ୧୩/୧୪ ବର୍ଷ ବୟସର ରାଜୁ। ଯେବେ ୨ ପକେଟ୍‌ରେ କଏନ୍‌ ଝଣଝଣ କରି ଅନ୍ୟମାନଙ୍କଠାରୁ ସେ ଅଧିକ ଛାଣିଛି ବୋଲି ଭାବି ଦୁଇ ପକେଟ୍‌କୁ ତଉଲୁଥିଲା ଆମେ ପଚାରିଲୁ, କେତେ କମେଇଛୁ। ସେ କହିଲା ଦୁଇଶ କି ଅଢ଼େଇଶ ହବ। ପଚାରିଲୁ, ଏଥିରେ କ’ଣ କିଣିବୁ। ପ୍ରଥମେ ପ୍ରଥମେ କହିବାକୁ ମଙ୍ଗିଲାନି। ଦୁଇ ତିନିଥର ପଚାରିବାରୁ ଟିକେ ନରମେଇ ଫୁସ୍‌ଫୁସ୍‌ ହେଇ କହିଲା, ଆଗେ ପଇସା ଗଣିବି। ସେଥିରେ ଆଗେ ଦି’ଟା ବିୟର କିଣିବି। ବଳିଲେ କିଛି ଚାଖଣା କିଣିବି। ସନ୍ଧ୍ୟାରେ ସାଙ୍ଗମାନଙ୍କ ସହ ମସ୍ତି କରିବି। ରାଜୁର କଥା ଶୁଣି ହସିବୁ କି ତାକୁ ମଦ ନପିଇବା ପାଇଁ ବୁଝେଇବୁ ଭାବିଲା ବେଳକୁ ସେ ଆଉ ସେଠି ନଥିଲା।

ସମ୍ବନ୍ଧିତ ଖବର