ଭୁବନେଶ୍ବର: ଦେହରେ ଗେରୁଆ ବସ୍ତ୍ର। କାନ୍ଧରେ ବାହୁଙ୍ଗି। ତୁଣ୍ଡରେ ଶିବ ପଞ୍ଚାକ୍ଷର ମନ୍ତ୍ର। କାଉଡ଼ିଆଙ୍କ ବୋଲ୍‌ବମ୍‌ ହରହର ଧ୍ବନିରେ କମ୍ପୁଥିଲା ଏକାମ୍ର କ୍ଷେତ୍ର। କାଉଡ଼ିଆମାନେ ଅଧରାତିରୁ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ପ୍ରଭୁ ଲଙ୍ଗରାଜଙ୍କୁ ଜଳଲାଗି କରିଥିଲେ। ସେହିପରି ପ୍ରତିକୂଳ ପାଗ ସତ୍ତ୍ବେ ହଜାର ହଜାର ଶିବଭକ୍ତ ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର କାଯ୍ୟାଳୟ ପକ୍ଷରୁ ସମସ୍ତ ସୁବିଧା ସହ ପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Advertisment

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଭୋର୍‌ ୩ଟାରେ ମନ୍ଦିର ଦ୍ବାର ଫିଠା ଯାଇଥିଲା। ଭୋଟ୍‌ ୩ଟା ୩୦ରେ ମଙ୍ଗଳ ଆଳତି ଓ ଅବକାଶ ପୂଜା ସମ୍ପନ୍ନ ହେବା ପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ୩ଟା ୪୫ ବେଳକୁ ସିଂହଦ୍ବାର ସମ୍ମୁଖରେ ଅପେକ୍ଷାରତ କାଉଡ଼ିଆମାନଙ୍କୁ ପ୍ରଥମେ ଜଳଲାଗି ପାଇଁ ଧାଡ଼ିରେ ଛଡ଼ା ଯାଇଥିଲା। ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ସାଧାରଣ ଶ୍ରଦ୍ଧାଳୁ ମଧ୍ୟ ‌ବଡ଼ିଭୋର୍‌ରୁ ମନ୍ଦି‌ରରେ ପହଞ୍ଚିଥିଲେ। କାଉଡ଼ିଆମାନଙ୍କୁ ପୂର୍ବଦ୍ବାରର ବାମ ପାଖରେ ଏବଂ ଅନ୍ୟ ଶ୍ରଦ୍ଧାଳୁଙ୍କୁ ଡାହାଣ ପାଖରେ ଛଡ଼ା ଯାଇଥିଲା। ସାହାଣମେଲା ଦର୍ଶନ ଥିବାରୁ ଭକ୍ତମାନେ ଗର୍ଭଗୃହକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଦର୍ଶନ ପରେ ଉତ୍ତର ଦ୍ବାର ଦେଇ ଭକ୍ତମା‌ନେ ପ୍ରସ୍ଥାନ କରିଥିଲେ। ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଏହାପରେ ସାହାଣମେଲା ଦର୍ଶନ ବନ୍ଦ ହୋଇ ଛାମୁ ପରିସ୍କାର କରାଯାଇଥିଲା। ପୂର୍ବରୁ ମନ୍ଦିର କାର୍ଯ୍ୟାଳୟ ଓ ନିଯୋଗମାନଙ୍କ ବୈଠକରେ ଦିନ ୧୨ଟା ଯାଏ ସାହାଣମେଲା ଦର୍ଶନ ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଅଧିକ ସଂଖ୍ୟାରେ କାଉଡ଼ିଆ ନଥିବାରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାହାଣମେଲା ଦର୍ଶନ ବନ୍ଦ କରାଯାଇଥିଲା। ଦିନ ସାଢ଼େ ୧୨ଟାରେ ସୂର୍ଯ୍ୟପୂଜା ସହ ସକାଳବଲ୍ଲଭ ହୋଇଥିଲା। ଦିନ ସାଢ଼େ ୨ଟାରେ ସକାଳ ଧୂପ ପରେ ଠାକୁରାଣୀଙ୍କ ସକାଳଧୂପ, ଭୋଗମଣ୍ଡପ, ସନ୍ଧ୍ୟାରେ ବୀରକିଶୋର ବଲ୍ଲଭ, ଦ୍ବିପ୍ରହରଧୂପ, ସନ୍ଧ୍ୟାଧୂପ ପରେ ବଡ଼ସିଂହାର କରାଯାଇଥିଲା।

ଦର୍ଶନ କଲେ ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀ ଓ ବିଧାୟକ
ଶ୍ରାବଣ ମାସର ସୋମବାରରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ତେଣୁ ଆଜି କାଉଡ଼ିଆଙ୍କ ସମେତ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆସିଥିଲେ। ତେବେ ଆଜି ସକାଳ ପ୍ରାୟ ୮ଟାରେ ରାଜ୍ୟପାଳ ରଘୁବର ଦାସ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ। ସେହିପରି ମଧ୍ୟାହ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଏକାମ୍ର ବିଧାୟକ ବାବୁ ସିଂହ ଦର୍ଶନ କରିଥିଲେ।

ଗତକାଲି ସନ୍ଧ୍ୟାରୁ ମନ୍ଦିର ପରିସରରେ କାଉଡ଼ିଆମାନେ ଜଳଲାଗି କରିବା ପାଇଁ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ମନ୍ଦିର ସମ୍ମୁଖରେ ଅସ୍ଥାୟୀ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଥିଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରନ୍ଧାଖାଦ୍ୟ ମଧ୍ୟ ଦିଆଯାଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖ ଗଙ୍ଗାଯମୁନା ମନ୍ଦିର ଠାରୁ ବ୍ୟାରିକେଡ୍‌ କରାଯାଇଥିଲା। ତେଣୁ ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କରିବା ପାଇଁ ରାତି ଅଧରୁ କାଉଡ଼ିଆମାନେ ଏହି ବ୍ୟାରିକେଡ୍‌ ଧାଡ଼ିରେ ଛିଡ଼ା ହୋଇ ରହିଥିଲେ। କିଛି କାଉଡ଼ିଆ ଭୋର୍‌ରୁ ବିନ୍ଦୁସାଗରରୁ ଜଳ ଆଣି ଲିଙ୍ଗରାଜଙ୍କୁ ଜଳଲାଗି କରିଥିଲେ। ମହିଳା ଭକ୍ତ ଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଥିଲା। ଏଥିସହ ଆଲୋକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମନ୍ଦିର କାର୍ଯ୍ୟାଳୟ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ), ବିଏମ୍‌ସି, ପୂର୍ତ୍ତ ବିଭାଗ, କମିସନରେଟ୍‌ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ପାଇଁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ସହ ୫ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଆଡ଼ିସନାଲ ଡିସିପି ପ୍ରଶାନ୍ତ କୁମାର ମଲ୍ଲଙ୍କ ନେତୃତ୍ବରେ ୨ଜଣ ଅତିରିକ୍ତ ଡିସିପି, ୪ଜଣ ଏସିପି, ୬ଜଣ ଥାନା ଅଧିକାରୀ, ୩୦ଜଣ ଏସ୍ଆଇ ଓ ଏଏସ୍ଆଇ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ନିରିକ୍ଷଣ କରିଥିଲେ। ଏଥିସହ ଆଶୁ ଚିକିତ୍ସା ପାଇଁ ଡାକ୍ତରୀ ଦଳ ଉପସ୍ଥିତ ରହିଥିଲେ। ବିନ୍ଦୁ ସାଗରରୁ କାଉଡ଼ଆ ପାଣି ଉଠାଉଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍‌ ସେଠାରେ ଉପସ୍ଥିତ ଥିଲେ।