କାଉଡ଼ିଆଙ୍କୁ ମନ୍ଦିର ମନା

ପୁରୁଣା ଭୁବନେଶ୍ୱର: ଚଳିତ ବର୍ଷ ଶ୍ରାବଣ ସୋମବାରରେ ଶିବ ମନ୍ଦିରମାନଙ୍କରେ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ। ସେମାନଙ୍କୁ ଶିବ ମନ୍ଦିରରେ ଶ୍ରାବଣୀ ପାଣି ଢ଼ାଳିବାକୁ ଅନୁମତି ଦିଆଯିବ ନାହିଁ। ଲକ୍‌ଡାଉନ୍‌ ସମୟରେ କୌଣସି ମନ୍ଦିରରେ ଧାର୍ମିକ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବାରୁ ଶ୍ରାବଣୀ ପାଣି ଢଳା ଉପରେ ରୋକ୍ ଲଗାଯାଇଛି। ବୋଲବମ୍‌ ପାଇଁ ପ୍ରଶାସନ ଅନୁମତି ନାହିଁ ବୋଲି ଆଜି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କମାର ଦାଶ ସ୍ପଷ୍ଟ କରିଛନ୍ତି। ଶ୍ରୀ ଦାଶଙ୍କ କହିବା ଅନୁଯାୟୀ, କେବଳ ମନ୍ଦିର‌ ଭିତରେ ସେବାୟତଙ୍କ ଦ୍ବାରା ନୀତିକାନ୍ତି ସମ୍ପନ୍ନ କରାଯିବ।

ଆସନ୍ତା ୬ତାରିଖରୁ ଶ୍ରାବଣ ମାସ ଆରମ୍ଭ ହେଉଛି ଓ ସେଦିନ ମଧ୍ୟ ପ୍ରଥମ ସୋମବାର ପଡ଼ୁଛି। କିନ୍ତୁ କାଉଡ଼ିଆମାନଙ୍କୁ ମନ୍ଦିର ମନା ହୋଇଥିବାରୁ ଚଳିତ ବର୍ଷ ଆଉ କୌଣସି ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିବ ନାହିଁ। ତେଣୁ ଏଥର ଶ୍ରାବଣ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିର, ମେଘେଶ୍ବର ମନ୍ଦିର, ବ୍ରହ୍ମେଶ୍ବର ମନ୍ଦିର, ମେଘେଶ୍ବର ମନ୍ଦିର, ଭାଷ୍କରେଶ୍ବର ମନ୍ଦିର, ନାଗେଶ୍ବର ମନ୍ଦିର, ରାମେଶ୍ବର ମନ୍ଦିର, ଗୋସାଗରେଶ୍ବର ମନ୍ଦିର, କୁକୁଟେଶ୍ବର ମନ୍ଦିର, କପିଳେଶ୍ବର ମନ୍ଦିର, ସୂକ୍ଷ୍ମେଶ୍ବର ମନ୍ଦିର, ମୁକ୍ତେଶ୍ବର ମନ୍ଦିର, ପର୍ଶୁରାମେଶ୍ବର ମନ୍ଦିର, ଡାକରାବିଭୀଷଣେଶ୍ବର ମନ୍ଦିର, ଖରାଖିଆ ବୈଦ୍ୟନାଥ ମନ୍ଦିର, ତୀର୍ଥେଶ୍ବର ମନ୍ଦିର, ଭବାନୀ ଶଙ୍କର ମନ୍ଦିର, ଚିନ୍ତାମଣିଶ୍ବର, ଜମେଶ୍ବର ମନ୍ଦିର ଖାଁ ଖାଁ ଲାଗିବ। ସୂଚନାଯୋଗ୍ୟ ଯେ ଏକାମ୍ର କ୍ଷେତ୍ରକୁ ଶ୍ରାବଣ ସୋମବାର ପାଳିରେ ପାଖାପାଖି ୨୦ ହଜାରରୁ ୫୦ ହଜାର ବୋଲବମ୍ ଭକ୍ତ ଆସିଥାନ୍ତି। କିନ୍ତୁ ଚଳିତ ବର୍ଷ ଏଥିପାଇଁ ଅନୁମତି ନାହିଁ ବୋଲି ବିଏମ୍‌ସି ଜୋନାଲ ଡେପୁଟି କମିସନର ଅଂଶୁମାନ ରଥ କହିଛନ୍ତି।

ସମ୍ବନ୍ଧିତ ଖବର