ଶୁଭିଲାନି ‘ଭୋଲାବାବା ପାର୍ କରେଗା’, ଘରେ ମାନସିକ ପୂଜା କଲେ କାଉଡ଼ିଆ

ପୁରୁଣା ଭୁବନେଶ୍ୱର: ଆଜି ଥିଲା ଶ୍ରାବଣର ପ୍ରଥମ ସୋମବାର। ଏଥର ରାସ୍ତାରେ ଶୁଭିଲା ନାହିଁ ‘ଭୋଲାବାବା ପାର୍‌ କରେଗା’। କାଉଡ଼ିଆମାନେ ଭୋଲାବାବାଙ୍କୁ ଦର୍ଶନ କରି ପାରିଲେ ନାହିଁ କି ଶିବଲିଙ୍ଗରେ ଶ୍ରାବଣୀ ପାଣି ଢାଳି ପାରିଲେ ନାହିଁ। କରୋନା କଟକଣା ଚଳିତ ବର୍ଷ ସେମାନଙ୍କୁ ଏହି ବ୍ରତ ସାଧନରୁ ବଞ୍ଚିତ କଲା। କିନ୍ତୁ ସେମାନେ ବିଧି ମାନି ସେମାନଙ୍କ ମାନସିକ ବ୍ରତ ସାଧନ କରିଛନ୍ତି। ଅନ୍ୟ ସମସ୍ତ ପୂଜା ପର୍ବାଣୀ ଭଳି ଘରେ ରହି ଏହି ବ୍ରତ ପାଳନ କରିଛନ୍ତି। ତେବେ ଲିଙ୍ଗରାଜ ମନ୍ଦିରରେ କେବଳ ସେବାୟତମାନେ ମହାପ୍ରଭୁଙ୍କୁ ଜଳଲାଗି କରିଛନ୍ତି।

ପ୍ରତିବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଶ୍ରାବଣୀ ଜଳଭାର ନେଇ ଆସୁଥିବା ସହିଦନଗରର ରାଜେଶ ମହାକୁଡ଼ଙ୍କ କହିବା କଥା, କରୋନା ଯୋଗୁଁ ରାଜ୍ୟ ସରକାରଙ୍କ ନିୟମ ମାନିବାକୁ ପଡ଼ିଲା। ତେଣୁ ଏ ବର୍ଷ ଘରେ ପୂଜା କଲୁ। ତେବେ ପ୍ରତିବର୍ଷ ଭଳି ସେ ଆସନ୍ତା ବର୍ଷ ତାଙ୍କ ସାଙ୍ଗମାନଙ୍କ ସହ ପୁଣି ଶ୍ରାବଣୀ ଭାର ବୋହିବେ। କ୍ରିକେଟ୍‌ ଖେଳାଳି ତଥା ମାନସିକଧାରୀ ପ୍ରଶାନ୍ତ ମହାପାତ୍ର, ବଡ଼ଗଡ଼ ବ୍ରିଟ୍‌ କଲୋନିର ଇତିଶ୍ରୀ ଅପରାଜିତା ପାତ୍ର ଓ ପୂଜକ ଗୋପୀନାଥ କରଙ୍କ କହିବା କଥା ଶିବ ଆରାଧନା ଘରେ ରହି କରିହେବ। ତେଣୁ ଏଥର ଶ୍ରାବଣୀ ଜଳଭାର ବୋହିବା ଓ ଶିବଲିଙ୍ଗରେ ଢାଳିବା ମାନସିକ ବ୍ରତ ବନ୍ଦ ହୋଇ ନାହିଁ। ଘରେ ରହି ମହାଦେବଙ୍କୁ ପୂଜା କରାଯାଇଛି। ସାରା ଶ୍ରାବଣ ନିରାମିଷ ଭୋଜନ କରାଯିବ। ଆଜି ନିକଟସ୍ଥ ଶୈବ ପୀଠରେ ପ୍ରଭୁ ଦର୍ଶନ କରାଯାଇଛି। ସେହିଭଳି ଯୋଗଗୁରୁ ସୁକାନ୍ତ ଦାଶଙ୍କ ସୂଚନାନୁସାରେ, ସେ ଏହି ମାସ ସାରା ବାହାରେ ଖାଇବେ ନାହିଁ। ପ୍ରତି ସୋମବାର ଅରୁଆ ଖାଇବେ ଓ ଘରେ ଶିବ ଆରାଧାନା କରିବେ। ଆଜିଠାରୁ ସେ ଏହା ହିଁ କରିଛନ୍ତି। ପୂର୍ବ ବର୍ଷମାନଙ୍କରେ ଯେଉଁ ବିଧିବିଧାନରେ ପବିତ୍ର ଶ୍ରାବଣ କାଟିଥିଲେ, ଏଥର କେବଳ ପାଣିଭାର ବୋହିବାକୁ ଛାଡ଼ି ସେ ଅନ୍ୟ ସମସ୍ତ ବିଧି ପାଳନ କରିଛନ୍ତି। ଆଜି ସେ ଶିବ ମନ୍ଦିରରୁ ପ୍ରସାଦ ମଗାଇ ସେବନ କରିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର