ଖୋଲୁଛି ବୋଲେରୋ ଚୋରିର ଗୁମର, ଲକ୍‌ଡାଉନ୍‌ରେ ଲୁଟିଥିଲେ ୫ ଗାଡ଼ି

ଭୁବନେଶ୍ବର : ରାଜଧାନୀରୁ ବୋଲେରୋ ଚୋରିର ରହସ୍ୟ ଖୋଲିବାରେ ଲାଗିଛି। ଗ୍ୟାଙ୍ଗର ସଦସ୍ୟ ପୁଲିସ ହାତରେ ଧରା ପଡ଼ିବା ପରେ ଚାଲିଛି ମାରାଥନ୍ ଜେରା। ଗ୍ୟାଙ୍ଗର ତିନି ସଦସ୍ୟ ପୁଲିସ ଆଗରେ ଦେଇଛନ୍ତି ଚାଞ୍ଚଲ୍ୟକର ତଥ୍ୟ। ସେମାନେ କେମିତି ବୋଲେରୋ ଲୁଟୁଥିଲେ, କେମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ ତାହାର ତଥ୍ୟ ପୁଲିସ ହାତରେ ଲାଗିଛି। ଏବେ ସୁଦ୍ଧା ଚାରି ଚକିଆ ଚୋର ଗ୍ୟାଙ୍ଗ ରାଜଧାନୀରୁ ୫ଟି ବୋଲେରୋ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଛି। ଆଉ ଏ ସବୁ ଚୋରି ଘଟଣା ଲକଡାଉନ୍ ସମୟରେ ହିଁ ହୋଇଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଲକଡାଉନର ଦ୍ବିତୀୟ ପର୍ଯ୍ୟାୟରେ ଏହି ଚାରି ଚକିଆ ଚୋର ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଥିଲେ। ବଡଗଡ଼ ଥାନା ଅଧୀନ କଳ୍ପନା ଛକ ଅଞ୍ଚଳ ଓ ଲକ୍ଷ୍ମୀସାଗର ଥାନା ଅଧୀନ ବିଜେବିନଗରରୁ ଦୁଇଟି ଲେଖାଏ ଗାଡ଼ି ଚୋରି କରିଥିଲେ। ସେମାନେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଗାଡ଼ିକୁ ଟାର୍ଗେଟ କରି ଚୋରି କରି ନେଉଥିଲେ। ଏଥିରେ ଏହି ଗ୍ୟାଙ୍ଗର ସଦସ୍ୟମାନେ କେବଳ ବୋଲେରୋକୁ ଟାର୍ଗେଟ୍ କରୁଥିଲେ। ଲକଡାଉନ୍ ରାତିରେ ଯେତେବେଳେ ରାଜଧାନୀ ନିସ୍ତବ୍ଧ ହୋଇ ଯାଉଥିଲା ସେତେବେଳେ ଆରମ୍ଭ ହେଉଥିଲା ଚାରି ଚକିଆ ଚୋରଙ୍କ ଅପରେସନ୍। ସେମାନେ ଚୋରି ଗାଡ଼ିରେ ଆସି ଗାଡି ଚୋରି କରୁଥିଲେ। ବିଜେବି ନଗରରେ ଏକ ଟେଲିକମ୍ ସଂସ୍ଥାର ଦୁଇଟି ବୋଲେରୋ ଚୋରି କରି ନେଇଥିଲେ। ଦ୍ବିତୀୟ ଗାଡ଼ି ଚୋରି କରି ଫେରାର ହେଉଥିବା ବେଳେ ଟେଲିକମ୍ ସଂସ୍ଥାର କର୍ମଚାରୀ ଦେଖି ଗୋଡ଼ାଇବାରୁ ଚୋର ଗ୍ୟାଙ୍ଗ ପ୍ରଥମ ଗାଡ଼ି ଛାଡ଼ି ପଳାଇଥିଲେ। ଦ୍ବିତୀୟ ବୋଲେରୋଟି ଧଉଳି ଥାନା ନୂଆଗାଁ ଅଞ୍ଚଳରେ ଛାଡ଼ି ଅନ୍ୟ ଏକ ବୋଲେରୋରେ ଫେରାର ହୋଇ ଯାଇଥିଲେ। କିନ୍ତୁ ପିପିଲିରେ ଧରାପଡ଼ି ଯାଇଥିଲେ। ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ଅଟକ ରଖି ପୁଲିସ ଅଧିକ ପଚରାଉଚରା ଚଳାଇଛି। ଆଉ କେଉଁଠି ବୋଲେରୋ ଅବା ଅନ୍ୟ କେଉଁ ଗାଡ଼ି ଚୋରି କରିଛନ୍ତି କି? ସେମାନଙ୍କ ନାଁରେ ଆଗରୁ କିଛି ଅପରାଧ ମାମଲା ରହିଛି କି ନ‌ାହିଁ ପୁଲିସ ପଚରାଉଚରା ଚଳାଇଛି।

ନକଲି ଚାବି ବ୍ୟବହାର କରୁଥିଲେ
ବୋଲେରୋ ଚୋରି କରିବାର ତରିକା ପୁଲିସ ଜାଣିବାକୁ ପାଇଛି। ଗ୍ୟାଙ୍ଗର ସଦସ୍ୟମାନଙ୍କ ପାଖରେ ବୋଲେରୋର ନକଲି ମାଷ୍ଟର କି ରହିଛି। ଟାର୍ଗେଟ କରୁଥିବା ଗାଡ଼ିକୁ ନକଲି ଚାବିରେ ଖୋଲି ନେଇ ଯାଉଥିଲେ। କେବଳ ବୋଲେରୋ କାହିଁକି ବୋଲି ପୁଲିସ ପଚାରିବାରୁ ଗ୍ୟାଙ୍ଗର ସଦସ୍ୟ ରୋଚକ ତଥ୍ୟ ଦେଇଛନ୍ତି। ହିରୋହୋଣ୍ଡା ବାଇକ୍ ଭଳି ଚାରିଚକିଆ ଗାଡ଼ି ଭିତରେ ବୋଲେରୋ ହିଁ ନକଲି ଚାବି ଦ୍ବାରା ଅତି ସହଜରେ ଖୋଲିଯାଏ। ଏହାକୁ ଲୁଟିବାରେ ସହଜ ହୁଏ ବୋଲ କହଛନ୍ତି ଗ୍ୟାଙ୍ଗର ସଦସ୍ୟ। ଅଧିକ ଜେରା ପରେ ପୂରା ତଥ୍ୟ ମିଳିବ ବୋଲି ପୁଲିସ କହିଛି।

ଟାର୍ଗେଟ୍‌ରେ ଥିଲା ଜରୁରୀକାଳୀନ ଗାଡ଼ି
ଲକଡାଉନରେ କେବଳ ଜରୁରୀକାଳୀନ କାମରେ ଲାଗିଥିବା ଗାଡ଼ିକୁ ପାସ୍ ମିଳିଛି। ଏହି ଗାଡ଼ି ଗୁଡ଼ିକ ବାହାରେ ରହୁଥିବାରୁ ସେ ଗାଡ଼ିକୁ ଏମାନେ ଟାର୍ଗେଟ କରୁଥିଲେ। ଗାଡ଼ିରେ ପାସ୍ ଲାଗିଥିବାରୁ ଚୋରି କରି ଯିବା ସମୟରେ କେହି ଅଟକାଇବେ ନାହିଁ। ସେଥିପାଇଁ ସେମାନେ ମଧ୍ୟ ଟେଲିକମ୍ ସଂସ୍ଥାର ଗାଡ଼ି, ବିଏମ୍‌ସି କାମରେ ଲାଗିଥିବା ବୋଲେରୋ ଲୁଟୁଥିଲେ।

ସମ୍ବନ୍ଧିତ ଖବର