ରାଜଧାନୀରେ ମାତିଲେ ଗାଡ଼ି ଚୋର : ତିନିଦିନରେ ୬ ବୋଲେରୋ ଲୁଟ୍

ଭୁବନେଶ୍ବର : ପୁଣି ମାତିଛନ୍ତି ଗାଡ଼ି ଚୋର। ଗାଡ଼ି କାଚ ଭାଙ୍ଗି ନକଲି ଚାବିରେ ଗାଡ଼ି ନେଇ ଫେରାର ହୋଇଯାଉଛନ୍ତି। ଗତକାଲି ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଏକ ବୋଲେରୋ ଚୋରି ହୋଇଥିବା ବେଳେ ଆଜି ନୂଆପଲ୍ଲୀ ଅଞ୍ଚଳରୁ ସମାନ ଢଙ୍ଗରେ ୨ଟି ବୋଲେରୋ ଚୋରି ହୋଇଛି। ପୂର୍ବରୁ ମଞ୍ଚେଶ୍ବର, ବଡ଼ଗଡ଼ ଓ ଭରତପୁର ଅଞ୍ଚଳରୁ ୩ ବୋଲେରୋ ସମାନ ଢଙ୍ଗରେ ଚୋରି ହୋଇଛି। ଅଧିକାଂଶ ଚୋରିର ପ୍ରମାଣ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। କମିସନରେଟ୍‌ ପୁଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଚାଲିଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ। ପୂର୍ବରୁ ଏଭଳି ଗାଡ଼ି ଚୋର ସହର ସାରା ବୁଲି ଚାରିଚକିଆ ଚୋରି କରୁଥିଲେ। ଖଣ୍ଡଗିରି ଅଞ୍ଚଳରେ ସର୍ବାଧିକ ଚୋରି ହୋଇଥିଲା। ସ୍ପେସାଲ ସ୍କ୍ବାଡ୍‌ ୫ ଜଣ ଅନ୍ତଃଜିଲ୍ଲା ଗାଡ଼ିଚୋରଙ୍କୁ ଧରିବା ପରେ ଏଭଳି ଅପରାଧ ଥମି ଯାଇଥିଲା। ହେଲେ ପୁଣି ଏଭଳି ଗାଡ଼ି ଚୋର ମାତିବା ସହ ଦୁଇ ରାତିରେ ଦୁଇଦୁଇଟି ଗାଡ଼ି ଚୋରି କରିନେବା ନେଇ ଆତଙ୍କ ଖେଳିଛି। ଅଧିକାଂଶ ଗାଡ଼ି ଘର ବାହାରେ ରହୁଥିବାରୁ ମାଲିକମାନେ ଭୟଭୀତ ହେବା ସହ ନିୟମିତ ପାଟ୍ରୋଲିଂ ଦାବି କରିଛନ୍ତି।

ଲକ୍ଷ୍ମୀସାଗର ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ଜିଜିପି କଲୋନିରେ ରହୁଥିବା ଲକ୍ଷ୍ମୀପ୍ରିୟା ମଲ୍ଲିକଙ୍କର ବୋଲେରୋ (ଓଡି ୦୨ୟୁ ୦୯୬୯) ଘର ବାହାରେ ରୁହେ। ଗତ ‌ଫେବ୍ରୁଆରି ମାସରୁ ଏହି ଗାଡ଼ି ବଡ଼ଗଡ଼ କେନାଲ ରୋଡ୍‌ରେ ରହୁଥିବା ତାଙ୍କ ବନ୍ଧୁ ଚତୁର୍ଭୁଜ ରାଉତଙ୍କ ଘର ସାମ୍ନା‌ରେ ରହୁଥିଲା। ହେଲେ ଗତକାଲି ସକାଳୁ ଏହି ଗାଡ଼ି ନଥିବା ଚତୁର୍ଭୁଜ ଦେଖିବା ପରେ ବନ୍ଧୁଙ୍କୁ ଖବର ଦେଇଥିଲେ। ଲକ୍ଷ୍ମୀପ୍ରିୟା ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ।

ସେହିଭଳି ନୂଆପଲ୍ଲୀ ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ଏନ୍‌ ୧/୧୭ରେ ରହୁଥିବା ହରପ୍ରସାଦ ବେହେରାଙ୍କର ଏକ ବୋଲେରୋ(ଓଆର ୦୨ ବିବି୧୬୩୬) ଘର ବାହାରେ ପାର୍କିଂ ହୋଇଥିଲା। ରାତି ପ୍ରାୟ ସାଢ଼େ ୨ଟା ବେଳେ ତିନିଜଣ ଲୁଟେରା ବାଇକ୍‌ରେ ଆସି ନକଲି ଚାବିରେ ଖୋଲି ନେଇ ପଳାଇଥିଲେ। ଏ ନେଇ ତାଙ୍କ ଭାଇ ଦେବୀ ପ୍ରସାଦ ବେହେରା ନୂଆପଲ୍ଲୀ ଥାନାରେ ଏତଲା ଦେଇଛନ୍ତି। ୩ ଜଣ ଯୁବକ ଏକ ବୁଲେଟ୍‌ରେ ଆସି ବୋଲେରୋ ନେଇ ଫେରାର ହୋଇ ଯାଇଛନ୍ତି। ରାତି ସାଢ଼େ ୨ଟା ବେଳେ ଏହି ଘଟଣା ଘଟିଛି। ଚୋରିର ସମସ୍ତ ପ୍ରମାଣ ପାଖରେ ଲାଗିଥିବା ସିସିଟିଭି କ୍ୟାମେରରେ କଏଦ୍‌ ହୋଇଛି।

ସମ୍ବନ୍ଧିତ ଖବର