ଚୋରା ବୋଲେରୋ ଜବତ, ୨ ଗିରଫ

ଅନ୍ତଃଜିଲ୍ଲା ରୢାକେଟ୍‌ ସନ୍ଦେହ

ଭୁବନେଶ୍ୱର : ଭୁବନେଶ୍ବରରୁ ଚୋରି ହୋଇଥିବା ଏକ ବୋଲେରୋକୁ ବିକ୍ରି କରିବା ବାଲେଶ୍ବର ନିଆଯାଉଥିବା ବେଳେ ମଞ୍ଚେଶ୍ବର ଥାନା ପୁଲିସ ମଙ୍ଗୁଳି ଛକଠାରେ ଧରିଛି। ଆଜି ସକାଳ ସାଢ଼େ ୭ଟା ବେଳେ ପୁଲିସ ଉକ୍ତ ଚୋରା ଗାଡ଼ିକୁ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଚାଳକ କଟକ ଜଗତ୍‌ପୁର ଥାନା ଅଧୀନ ବୈରପୁର ପୀରବଜାରର ଜବ୍ବର ଖାନ୍‌ ଓ ଟାଙ୍ଗୀ ଥାନା ଅଧୀନ ବାହୁଡ଼ା ଗ୍ରାମର ଅନ୍ତର୍ଯ୍ୟାମୀ ଦାସ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଗାଡ଼ିକୁ ଏମାନେ ଅନୁଗୁଳ ଜିଲ୍ଲା ତାଳଚେର ହାଣ୍ଡିଧୁଆର ପପୁ ଖାନ୍‌ଠାରୁ କିଣିଥିବା କହିଛନ୍ତି। ଖୁବ୍‌ଶୀଘ୍ର ପପୁ ଖାନ୍‌କୁ ଠାବ କରାଯିବା ସହ ଅଭିଯୋଗ ସତ ହୋଇଥିଲେ ଗିରଫ କରାଯିବ ବୋଲି ପୁଲିସ କହିଛି। ଏହା ପଛରେ ଅନ୍ତଃଜିଲ୍ଲା ରୢାକେଟ୍‌ ଥିବା ପୁଲିସ ସନ୍ଦେହ କରୁଛି। ଯେଉଁ ଢଙ୍ଗରେ ଗାଡ଼ିର ଇଞ୍ଜିନ ନମ୍ବର ଓ ଚେସିସ୍‌ ନମ୍ବର ପରିବର୍ତ୍ତନ କରାଯାଇଛି ତାହା ଜଣେ ପୁରୁଖା ଚୋରର କାରସାଦି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସୂଚନା ମୁତାବକ, ପଳାସୁଣୀ ପ୍ରାଚୀ ବିହାରରେ ରହୁଥିବା ଜଗତସିଂହପୁର ତିର୍ତ୍ତୋଲ ଥାନା ଅଧୀନ ଧନୁଆଁ ରଘୁନାଥ ପୁର ଗ୍ରାମର ପ୍ରମୋଦ ବାରିକଙ୍କର ଏକ ବୋଲେରୋ(ଓଡି ୦୨ଭି-୬୪୫୩) ଚୋରି ହୋଇଥିଲା। ଗତ ଅପ୍ରେଲ ୯ ତାରିଖ ରାତିରେ ତାଙ୍କ ଘର ଅଗଣାରେ ଥିବା ପାର୍କିଂରେ ସେ ଗାଡ଼ି ରଖି ଥିବା ବେଳେ ସକାଳେ ନ ଥିବା ଦେଖିଥିଲେ। ଏ ନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ମଞ୍ଚେଶ୍ବର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଚୋରା ଗାଡ଼ି ବାଲେଶ୍ବରରେ ବିକ୍ରି ହେବାପାଇଁ ଭୁବନେଶ୍ବରରୁ ଯାଉଥିବା ପୁଲିସ ଖବର ପାଇଥିଲା। ଏଣୁ ମଞ୍ଚେଶ୍ବର ପୁଲିସର ଏକ ଟିମ୍‌ ଆଜି ସକାଳୁ ମଙ୍ଗୁଳି ଚେକିଂ ପଏଣ୍ଟରେ ଜଗି ରହିଥିଲା। ସାଢ଼େ ୭ଟା ବେଳେ ଏହି ଗାଡ଼ି ଛକ ଅତିକ୍ରମ କରୁଥିବା ବ‌େଳେ ଧରାପଡ଼ିଥିଲା। ପଚରାଉଚରା ବେଳେ ଜଣାପଡ଼ିଥିଲା କି, ଚାଳକ ଜବ୍ବାର ଖାନ୍‌ର ଜଗତପୁର ଗୋଲେଇ ଛକରେ ଏକ ଗ୍ୟାରେଜ୍‌ ରହିଛି। ଏହି ଗ୍ୟାରେଜ୍‌ରେ ଗାଡ଼ିର ଇଞ୍ଜିନ ନମ୍ବର ସହ ଚେସିସ୍‌ ନମ୍ବର ଓ ଗାଡ଼ି ପଞ୍ଜୀକୃତ ନମ୍ବର ମଧ୍ୟ ପରିବର୍ତ୍ତନ କରାଯାଇଛି। ପପୁ ଖାନ୍‌ଠାରୁ ଅନ୍ତର୍ଯ୍ୟାମୀ କିଣିବା ପରେ ଏଠାରେ ଏହି ସବୁ ପରିବର୍ତ୍ତନ କରିଛି। ଏହାକୁ ବାଲେଶ୍ବର ନିଆଯାଇ ସେଠାରେ ନୂଆ ରେଜିଷ୍ଟ୍ରେସନ୍‌ ନମ୍ବର ସହ ଫିଟ୍‌ନେସ୍‌ କରାଯିବା ପାଇଁ ଯୋଜନା ହୋଇଥିଲା।

ସମ୍ବନ୍ଧିତ ଖବର