ଭୁବନେଶ୍ୱର : ଧୂର୍ତ୍ତ ଆଇଏଫଏସ୍ ଅଫିସର୍ ଓ ତାଙ୍କ ୪୨୦-ପୁଅ ଆକାଶ ପାଠକର ବିବାହ ପାଇଁ କୋଟି କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥିଲା, ଯାହାର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଛି। ରାଜସ୍ଥାନର ଉଦୟପୁରରେ ତାଜ୍ ଲେକ୍ ପ୍ୟାଲେସ୍ରେ ବିବାହ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲା। କେବଳ ପ୍ୟାଲେସ୍ର ଭଡ଼ା ଥିଲା ୫କୋଟି ଟଙ୍କା। ଅଗ୍ରୀମ ଭାବେ ୨୦ଲକ୍ଷ ଟଙ୍କା ଦିଆସରିଥିଲା। ବରଯାତ୍ରୀଙ୍କ ପାଇଁ ଚାର୍ଟର୍ ବିମାନ, ଦାମୀ ଉପହାର ବ୍ୟବସ୍ଥା ବି ହୋଇଥିଲା। ରାଜଉଆସ ଭଳି ସାଜସଜା, ଅତିଥିଙ୍କ ପାଇଁ ପଞ୍ଚତାରକା ହୋଟେଲର ମେନୁ ବି ତିଆରି ହୋଇଥିଲା। ଖାଲି ସେତିକି ନୁହେଁ, ବିବାହ ଉତ୍ସବରେ ମେଲୋଡି କାର୍ଯ୍ୟକ୍ରମ ପାଇଁ ବଲିଉଡ୍ର ଅଭିନେତ୍ରୀ ଆସିଥା’ନ୍ତେ। ଏଥିପାଇଁ ବଲିଉଡ୍ର ତିନିରୁ ଚାରିଜଣ ଆଗଧାଡ଼ିର ଅଭିନେତ୍ରୀଙ୍କ ସହ ଯୋଗାଯୋଗ ଚାଲିଥିଲା। କିନ୍ତୁ କରୋନା ସଂକ୍ରମଣ ପାଇଁ ସେମାନଙ୍କ ମଧ୍ୟରୁ ତିନିଜଣ ରାଜି ହୋଇନଥିଲେ। ବଲିଉଡ୍ରେ କାମ କରୁଥିବା ଅନ୍ୟ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ସହ କଥାବାର୍ତ୍ତା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲା। ସେହିପରି ବଲିଉଡ୍ର ନାମୀଦାମୀ କଣ୍ଠଶିଳ୍ପୀଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ ଆକାଶ। ବିବାହକୁ ଐତିହାସିକ କରିବା ପାଇଁ ପୂରା ଦମ୍ରେ ଲାଗି ପଡ଼ିଥିଲେ ବାପା-ପୁଅ। ବିବାହରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥା’ନ୍ତା ବୋଲି ଜଣାପଡ଼ିଥିଲେ ମଧ୍ୟ ବଜଟେ୍ ଏହାଠାରୁ ଆହୁରି ଅଧିକ ବୋଲି ଅନୁମାନ କରାଯାଉଛି।
ଅନ୍ୟପକ୍ଷରେ ଚାକିରି ନାଁରେ ଠକେଇ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁକରୁ ଆକାଶର ପିଏ ଡେଭିଡ ପିଟରଙ୍କଠାରୁ ଆହୁରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛି। ପିଟର୍ ଫେସବୁକ୍ରେ ନିଜର ଏକାଧିକ ଆକାଉଣ୍ଟ ତିଆରି କରିଥିଲା। ସେହି ଆକାଉଣ୍ଟ ଜରିଆରେ ଇଞ୍ଜିନିୟରିଂ ପାସ୍ କରିଥିବା ଯୁବକଯୁବତୀଙ୍କୁ ସେ ଟାର୍ଗେଟ୍ କରୁଥିଲା। ସେମାନଙ୍କୁ ଚାକିରି ଲୋଭ ଦେଖାଇ ମେସେଞ୍ଜର ଜରିଆରେ ମେସେଜ୍ କରୁଥିଲା। ସେଥିରେ ଆକାଶର ଇ-ମେଲ୍ ଆଇଡି, ଫୋନ୍ ନମ୍ବର ଦେଉଥିଲା। ଲୋଭନୀୟ ଦରମା ଦେଖି ବେକାର ଯୁବକ/ଯୁବତୀ ଆବେଦନ କରୁଥିଲେ। ଚାକିରି ନାଁରେ ସେମାନଙ୍କୁ ଠକେଇ କରାଯାଉଥିଲା। ଏ ବାବଦରେ କୋଟି କୋଟି ଟଙ୍କା ଆଦାୟ ହୋଇଥିବା ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଛି। ଆକାଶ ଓ ପିଟର୍ ମୁହାଁମୁହିଁ ଜେରା ହେଲା ପରେ ଏହାର ଗୁମର ଖୋଲିବ ବୋଲି କୁହାଯାଉଛି।