ଚାନ୍ଦ୍ନୀ। ହାଓ୍ଵା ହାଓ୍ଵାଇ ଗାର୍ଲ। ବଲିଉଡ୍ କୁଇନ୍। ରୂପ୍ କି ରାଣୀ। ଫିମେଲ୍ ସୁପର୍ଷ୍ଟାର୍। ଏସବୁ ବିଶେଷଣ ଉଚ୍ଚାରଣ କଲେ ଆପେ ଆପେ ଆଖି ଆଗକୁ ଆସିଯାଆନ୍ତି ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀ। ସେ ଏମିତି ଜଣେ ଅଭିନେତ୍ରୀ, ଯିଏ କି ନାୟକ ପ୍ରାଧାନ୍ୟ ବଲିଉଡ୍ରେ ପ୍ରଥମ ମହିଳା ‘ସୁପର୍ଷ୍ଟାର୍’ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ହିନ୍ଦୀ ସିନେମାରେ ତାଙ୍କ ଉପସ୍ଥିତି ନାୟକମାନଙ୍କ ଅଭିନୟକୁ ବି ଗୌଣ କରିଦେଉଥିଲା। ଯଦିଓ ଗତ କିଛି ବର୍ଷ ହେବ ଶ୍ରୀଦେବୀ ଅଭିନୟ ଜଗତରେ ସକ୍ରିୟ ନଥିଲେ, କିନ୍ତୁ ୮୦ ଓ ୯୦ ଦଶକରେ ତାଙ୍କର ବଳିଷ୍ଠ ଅଭିନୟକୁ ଯିଏ ଦେଖିଛି ସେ ଶ୍ରୀଦେବୀଙ୍କ ପାଗଳ ପ୍ରଶଂସକ ପାଲଟି ଯାଇଛି। ରବିବାର ସକାଳୁ ସକାଳୁ ଏହି ମହାନ ଅଭିନେତ୍ରୀଙ୍କ ଅକାଳ ବିୟୋଗ ଖବରକୁ ହଠାତ୍ କେହି ବିଶ୍ୱାସ କରିପାରି ନ ଥିଲେ। ସାରା ଦେଶରେ ତାଙ୍କର ଅଗଣିତ ପ୍ରଶଂସକ ହତବାକ୍ ହୋଇଯାଇଥିଲେ। ସାରା ସିନେ ଜଗତ ଏବେ ଶୋକରେ ବୁଡ଼ି ଯାଇଥିବାବେଳେ ଓଲିଉଡ୍ ବି ସ୍ତବ୍ଧ ହୋଇ ଯାଇଛି। ଏହି ମହାନ ଅଭିନେତ୍ରୀଙ୍କ ବିୟୋଗରେ ଓଲିଉଡ୍ର କେତେଜଣ ବିଶିଷ୍ଟ କଳାକାର ଗଭୀର ଶୋକପ୍ରକାଶ କରିଛନ୍ତି।
ରବୀନ୍ଦ୍ର ମଣ୍ଡପରେ କବିତା ଗାଇଥିଲେ ଶ୍ରୀଦେବୀଙ୍କ ‘ହାଓ୍ଵା ହାଓ୍ଵାଇ...’
ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତି ଗତ ୧୬ ତାରିଖରେ ଭୁବନେଶ୍ୱର ଆସିଥିଲେ। ରବୀନ୍ଦ୍ର ମଣ୍ଡପରେ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ଜନ୍ମ ଦିନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ଉଦ୍ଘାଟନ ବେଳେ କବିତାଙ୍କୁ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସ୍ୱାଗତ କରିବା ସହ ତାଙ୍କର ବହୁଚର୍ଚ୍ଚିତ ଗୀତ ‘ହାଓ୍ଵା ହାଓ୍ଵାଇ’ ସମ୍ପର୍କରେ ମନେ ପକାଇ ଦେଇଥିଲେ। ‘ମିଷ୍ଟର୍ ଇଣ୍ଡିଆ’ ଚଳଚ୍ଚିତ୍ରର ଏହି ଗୀତଟି ଯେତିକି ଲୋକପ୍ରିୟତା ସାଉଁଟିଥିଲା ଶ୍ରୀଦେବୀଙ୍କ ନୃତ୍ୟ ସେତିକି ଚର୍ଚ୍ଚିତ ହୋଇଥିଲା। ସେହି ସନ୍ଧ୍ୟାରେ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କିଛି ଓଡ଼ିଆ ଗୀତ ଗାଇଥିଲେ କବିତା। ଆଉ ଶ୍ରୋତାମାନଙ୍କ ଅନୁରୋଧ ରକ୍ଷା କରି ଗାଇଥିଲେ ସୁପର୍ହିଟ୍ ଗୀତ ‘ହାଓ୍ଵା ହାଓ୍ଵାଇ’। ମଞ୍ଚରେ ଏହି ଗୀତଟି ଗାଇବା ସହ ଶ୍ରୀଦେବୀଙ୍କ ଅଭିନୟକୁ ବି ନିଜେ କବିତା ବେଶ୍ ପ୍ରଶଂସା କରିଥିଲେ। ସେ ଗୀତଟି ଗାଉଥିଲା ବେଳେ ତାଳି ମାଡ଼ରେ ଫାଟି ପଡ଼ୁଥିଲା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ। ଗୀତଟି ଶୁଣିଲା ବେଳେ ଶ୍ରୋତାଙ୍କ ଆଖି ଆଗରେ ଆସିଯାଉଥିଲା ଶ୍ରୀଦେବୀଙ୍କ ନୃତ୍ୟ। କିଛି ସମୟ ପାଇଁ ପ୍ରେକ୍ଷାଳୟରେ ଶ୍ରୀଦେବୀଙ୍କ ନୃତ୍ୟ ଓ ଅଭିିନୟ ଆଲୋଚନାର ବିଷୟ ହୋଇଥିଲା। ସେତେବେଳେ କେହି କଳ୍ପନା ବି କରି ନ ଥିଲେ ଯେ ସମସ୍ତଙ୍କର ଏହି ପ୍ରିୟ ଅଭିନେତ୍ରୀଜଣଙ୍କ ଆଉ ୧୦ ଦିନ ପରେ ସବୁ ଦିନ ପାଇଁ ଇହଧାମରୁ ବିଦାୟ ନେବେ।
ସିନେମା ଜଗତକୁ ବଡ଼ ଧକ୍କା
ଶ୍ରୀଦେବୀଙ୍କୁ ମଁ ବହୁତ ଆଗରୁ ଦେଖିଛି। ଗୁଡ଼ାଏ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ଏବଂ ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କ ଦର୍ଶକଙ୍କ ଦୃଦୟରେ ଛାପ ହୋଇ ରହିଛି ଯାହକୁ କେହି ଭୁଲିପାରିବେନି। ଯେକୌଣସି ଭୂମିକାରେ ତାଙ୍କୁ ଥୋଇଦେଲେ ସେ ସବୁ ଅଭିନୟକୁ ବହୁତ ଭଲ ଭାବେରେ ଅଭିନୟ କରନ୍ତି। ତାଙ୍କୁ ଅନୁକରଣ କରି ସବୁ ନୂଆ କଳାକାର ତାଙ୍କ ପରି ଅଭିନୟ କରିବାକୁ ଚାହାନ୍ତି। ତାଙ୍କ ବିୟୋଗରେ ସିନେ ଜଗତକୁ ବଡ଼ ଧକ୍କା ଲାଗିଛି।
ଜୟୀରାମ ସାମଲ, ବିଶିଷ୍ଟ ହାସ୍ୟ ଅଭିନେତା
ପ୍ରତ୍ୟେକ ଚରିତ୍ରକୁ ନିଖୁଣ ଭାବେ ନିଭାଉଥିଲେ
ପିଲାବେଳୁ ଶ୍ରୀଦେବୀଙ୍କ ଅଭିନୟରେ ମୁଁ ଗଭୀର ଭାବେ ପ୍ରଭାବିତ। ତାଙ୍କର ସଦ୍ମା ହେଉକି ହମିତଓ୍ଵାଲା ଫିଲ୍ମ ଆଦି ମୁଁ ବହୁଥର ଦେଖିଛି। ବାସ୍ତବରେ ସେ ଜଣେ ଭର୍ସାଟାଇଲ ଅଭିନେତ୍ରୀ ଥିଲେ। ନୃତ୍ୟ, ହେଉ କି ଫାଇଟ୍ ଅବା ଇମୋସନାଲ ଚରିତ୍ର ସବୁଥିରେ ସେ ବେଶ୍ ନିଖୁଣ ଥିଲେ। ତାଙ୍କ ବିୟୋଗରେ ଭାରତୀୟ ସିନେମା ଜଗତର ଅପୂରଣୀୟ କ୍ଷତି ଘଟିଲା। ତାଙ୍କ ପରଲୋକରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି।
ଆକାଶ ଦାସ ନାୟକ, ବିଧାୟକ ତଥା ଅଭିନେତା
ତାଙ୍କ ଜୀବନ କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ
ବଲିଉଡ୍ର ଜଣେ ବଡ଼ ଅଭିନେତ୍ରୀ ସେ। ତାଙ୍କ ଜୀବନ କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଭାରତୀୟ ଚଳଚ୍ଚିତ୍ର ଜଗତର ଶ୍ରୀଦେବୀ କହିଲେ ଏକ ବିରାଟ ନାମ। ସମସ୍ତେ ନା କମାନ୍ତି କିନ୍ତୁ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ନିଜ ଦକ୍ଷତା ବଳରେ ବହୁତ ଶୀଘ୍ର ନାମ କମାଇ ପାରନ୍ତି। ଶ୍ରୀଦେବୀ ସେଥିମଧ୍ୟରୁ ଜଣେ। ଭାରତର ଚଳଚ୍ଚିତ୍ରର ଇତିହାସରେ ଏହା ଏକ ଦୁଃଖର କଥା, ଆମ ସମସ୍ତଙ୍କ ପାଇଁ ଏହା ଏକ ଖରାପ ସମୟ। ଏମିତି ଅଭିନେତ୍ରୀ ବହୁତ କମ୍ ଆସିଛନ୍ତି। ତାଙ୍କର ମୃତ୍ୟୁ ଖବର ଶୁଣି ସମସ୍ତଙ୍କ ପରି ମୁଁ ବହୁତ ଦୁଃଖୀ। ଏଥିପାଇଁ ତାଙ୍କ ପରିବାରକୁ ସମବେଦନା ଜଣାଉଛି।
ବିଜୟ ମହାନ୍ତି, ଅଭିନେତା
ଏପରି କ୍ଷତି କେହି ପୂରଣ କରିପାରିବେ ନାହିଁ
ବଲିଉଡ୍ ଦୁନିଆରେ ଶ୍ରୀଦେବୀଙ୍କ ମୃତ୍ୟୁ ଏକ ଅପୂରଣୀୟ କ୍ଷତି। ମୁଁ ଓ ମୋ ପରିବାର ତାଙ୍କ ପ୍ରତ୍ୟେକ ଚଳଚ୍ଚିତ୍ର ଦେଖିବାକୁ ବହୁତ ଭଲପାଉ। ବିଭିନ୍ନ ଧରଣର ଅଭିନୟ କରିବାରେ ସେ ନିପୁଣ, ଯେଉଁ ଚରିତ୍ର ଦେଲେ ସେ ଅତି ସୁନ୍ଦର ଭାବେ ଅଭିନୟ କରିପାରନ୍ତି। ଏପରି କ୍ଷତି କେହି ପୂରଣ କରିପାରିବେ ନାହିଁ। ଶ୍ରୀଦେବୀଙ୍କ ଆତ୍ମାର ସଦ୍ଗତି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।
ଉତ୍ତମ ମହାନ୍ତି, ଅଭିନେତା
ଆଉ ଜଣେ ଶ୍ରୀଦେବୀ ସୃଷ୍ଟି ହେବା ଅସମ୍ଭବ
ଦକ୍ଷିଣରୁ ଆରମ୍ଭ ସାରା ଭାରତରେ ତାଙ୍କର ରାଜୁତି। ତାଙ୍କର ଉପସ୍ଥିତି ବଡ଼ ବଡ଼ ନାୟକଙ୍କ ଉପସ୍ଥିତିକୁ ଫିକା କରିଦେଉଥିଲା। ସେ ଅଭିନୟ କଲେ ଏକ ଚମକ ସୃଷ୍ଟି ହେଉଥିଲା। ଦର୍ଶକ ଶ୍ରୀଦେବୀଙ୍କ ଅଭିନୟରେ ମୁଗ୍ଧ୍ ହେଉଥିଲେ। ଆଉ ଜଣେ ଶ୍ରୀଦେବୀ ସୃଷ୍ଟି ହେବା ସମ୍ଭବ ନୁହେଁ, ବହୁତ ଶୀଘ୍ର ସେ ଅନେକ ନା କମାଇଥିଲେ। ତାଙ୍କଠାରୁ ତାଙ୍କ ପରପିଢ଼ି କିଛି ଶିଖିବା ଦରକାର।
ମିହିର ଦାସ, ବିଶିଷ୍ଟ ଅଭିନେତା
ଏମିତି ହୋଇଥାନ୍ତା କି ଏ ଖବର ମଧ୍ୟ ଭୁଲ୍ ହୋଇଥାନ୍ତା
ସମସ୍ତଙ୍କ ପାଇଁ ଏହା ବହୁତ ବଡ଼ ଦୁଃଖଦ ଓ ଅବିଶ୍ୱସନୀୟ ଘଟଣା। ଆଜିକାଲି ମିଛ ଖବରକୁ ଭାଇରାଲ କରାଯାଉଛି। ଏମିତି ହୋଇଥାନ୍ତା କି ଏ ଖବର ମଧ୍ୟ ଭୁଲ ହୋଇଥାନ୍ତା ଏବଂ ଆଜି ଖବର ମିଳିଥାନ୍ତା କି ସେ ବଞ୍ଚିଛନ୍ତି ବୋଲି। କିନ୍ତୁ ଏହା ଏବେ ସମ୍ଭବ ନୁହେଁ। ସିନେପ୍ରେମୀ ହିସାବରେ ମୁଁ ତାଙ୍କୁ ସବୁବେଳେ ଅନୁକରଣ କରେ। ତାଙ୍କ ମୁହଁ ଓ ଆଖିର ଭାବଭଙ୍ଗୀ ଓ ଡାଇଲଗ୍ ମୋତେ ଆମୋଦିତ କରୁଥିଲା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ, ଏତିକି କାମନ।
ସବ୍ୟସାଚୀ, ଅଭିନେତା
ଶ୍ରୀଦେବୀଙ୍କ ସୁନ୍ଦର ଆଖି ପାଇଁ ମୁଁ ପାଗଳ
ଶ୍ରୀଦେବୀଙ୍କ ଅଭିନୟ ଓ ସୁନ୍ଦର ଆଖି ପାଇଁ ମୁଁ ପିଲାବେଳୁ ପାଗଳ। ତାଙ୍କ ଚଳଚ୍ଚିତ୍ର ମୋତେ ଭଲ ଲାଗେ। ଏତେ କମ୍ ବୟସରୁ ଅଭିନୟ ଜଗତରୁ ବିଦାୟ ନେବା ସହିତ ସଂସାରରୁ ଚାଲିଯିବେ ବୋଲି ଭାବିନଥିଲି। ତାଙ୍କ ଆତ୍ମର ସଦ୍ଗତି ପାଇଁ ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି।
ଏଲିନା ସାମନ୍ତରାୟ, ଅଭିନେତ୍ରୀ
ନାୟିକାକୈନ୍ଦ୍ରିକ ସିନେମା ତାଙ୍କଠାରୁ ଆରମ୍ଭ ହୋଇଥିଲା
ବଲିଉଡ୍ର ନାୟକକୈନ୍ଦ୍ରିକ ସିନେମା ତିଆରି ଧାରା ସେ ଭାଙ୍ଗିଥିଲେ। ତାଙ୍କ ପାଇଁ ପ୍ରଥମେ ନାୟିକା ଚରିତ୍ରକୁ ପ୍ରାଧାନ୍ୟ ଦେଇ ସିନେମା ନିର୍ମାଣ ହୋଇଥିଲା। ବିବାହ ପରେ ନିଜ ପିଲାମାନଙ୍କ ଯତ୍ନ ପାଇଁ ସେ ୧୫ ବର୍ଷ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ। ଜଣେ ପ୍ରକୃତ ମା’ର କର୍ତବ୍ୟ ତୁଲାଇଥଲେ। ତାଙ୍କ ଫିଲ୍ମ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନରୁ ଅନେକ କିଛି ଶିଖିବାର ଅଛି। ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
ଶ୍ରୀତ୍ତମ ଦାସ, ସାଧାରଣ ସମ୍ପାଦକ, ଓଡ଼ିଶା ସିନେ କଳାକାର ସଂଘ