ବୋମାମାଡ଼ରେ ଥରିଲା ବମିଖାଲ, ଟାର୍ଗେଟ୍‌ରେ ନିର୍ମାଣାଧୀନ ଆପାର୍ଟମେଣ୍ଟ

ଭୁବନେଶ୍ବର: ଗୁରୁବାର ବିଳମ୍ବିତ ରାତିରେ ସହିଦନଗର ଥାନା ବମିଖାଲ ଅଞ୍ଚଳରେ ବୋମାମାଡ଼ ହୋଇଥିଲା। ଦୁର୍ବୃତ୍ତମାନେ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ନିକଟରେ ତିନି ତିନିଟି ବୋମାମାଡ଼ କରି ଫେରାର୍ ହୋଇଯାଇଥିଲେ। ବୋମାମାଡ଼ରେ ଧନଜୀବନ କିଛି କ୍ଷତି ହୋଇନାହିଁ। ତେଣୁ ଦାଦାବଟି କିମ୍ବା ଅନ୍ୟ କୌଣସି କାରଣକୁ ନେଇ ଆପାର୍ଟମେଣ୍ଟ କରୁଥିବା ବିଲ୍‌ଡର୍‌ଙ୍କୁ ଧମକାଇବା ପାଇଁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଥିବା ଅନୁମାନ କରାଯାଉଛି।

ସୂଚନା ମୁତାବକ ରାତି ପାଖାପାଖି ୧୨ଟା ସମୟରେ ଏହି ବୋମାମାଡ଼ ହୋଇଥିଲା। ବମିଖାଲ ଜଗନ୍ନାଥନଗର ଅଞ୍ଚଳରେ ସନ୍ଦୀପ ସିଂଙ୍କ ନିର୍ମାଣାଧୀନ ଅପାର୍ଟମେଣ୍ଟ ପାଖରେ ଦୁର୍ବୃତ୍ତମାନେ ୩ଟି ବୋମାମାଡ଼ କରିଥିଲେ। ତେବେ ସିକ୍ୟୁରିଟି ଗାର୍ଡ ନିଦରୁ ଉଠି ବାହାରକୁ ଆସିବା ବେଳକୁ ଦୁର୍ବୃତ୍ତମାନେ ଫେରାର୍ ହୋଇସାରିଥିଲେ। ବୋମା ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ବି ଉଠିପଡ଼ିଥିଲେ ଓ ରାସ୍ତାରେ ପ୍ରବଳ ଧୂଆଁ ଦେଖି ଭୟଭୀତ ହୋଇପଡ଼ିଥିଲେ। ସେମାନେ ପୁଲିସକୁ ଫୋନ୍‌ କରି ଏବାବଦରେ ଜଣାଇଥିଲେ। ତେବେ ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ ପୁଲିସକୁ ପ୍ରକୃତ ଠିକଣା ଜଣାଇବା ପରେ ପୁଲିସ ସେଠାରେ ପହଞ୍ଚିଥିଲା ଓ ତଦନ୍ତ ଆରମ୍ଭ କରିଥିଲା। ସୂଚନାଯୋଗ୍ୟ, କିଛି ଦିନ ତଳେ ଏହି ଆପାର୍ଟମେଣ୍ଟ ପାଚେରି ନିର୍ମାଣକୁ ନେଇ ବିବାଦ ଉପୁଜିଥିଲା।

ଗତ ୧୮ ତାରିଖ ଦିନ ସେଠାରେ ପାଚେରି ନିର୍ମାଣ ଚାଲିଥିବା ବେଳେ ବୁଲୁ ମହାନ୍ତି ଓ ତାଙ୍କର ସହଯୋଗୀମାନେ ଆସି ବିରୋଧ କରିଥିଲେ। ସେମାନେ ପାଚେରି ଭାଙ୍ଗିବା ସହ ବିଲ୍‌ଡର୍‌ ସନ୍ଦୀପ ଓ ତାଙ୍କର କେତେକ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ବୁଲୁଙ୍କୁ ଗିରଫ କରିଥିଲା। ବୁଧବାର ବୁଲୁ ଗିରଫ ହୋଇଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ପୁଣି ସେଠାରେ ବୋମାମାଡ଼ ହୋଇଛି। ତେଣୁ ବୋମାମାଡ଼ ପଛରେ ବୁଲୁ ଗୋଷ୍ଠୀର ହାତ ଥାଇପା‌ରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ବୁଲୁ ଗିରଫ ହୋଇଥିବା ସମୟରେ ଅନ୍ୟ କେହି ବୋମାମାଡ଼ କରି ମାମଲାକୁ ଭିନ୍ନ ରୂପ ଦେବାକୁ ଉଦ୍ୟମ କରୁଥିବା କଥା ବି ଅସମ୍ଭବ ନୁହେଁ ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ତଦନ୍ତ ସରିନଥିବାରୁ କୌଣସି ସିଦ୍ଧାନ୍ତରେ ପହଞ୍ଚିନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର